ଚିକିତ୍ସାଳୟରୁ ଡେଙ୍ଗୁ ମଶା ଘଉଡ଼ାଇବାକୁ ହେବ ସ୍ବତନ୍ତ୍ର ଯୋଜନା

ଚିକିତ୍ସାଳୟରୁ ଡେଙ୍ଗୁ ମଶା ଘଉଡ଼ାଇବାକୁ ହେବ ସ୍ବତନ୍ତ୍ର ଯୋଜନା

Sambad

ଖୋର୍ଦ୍ଧା: ଚାରିଆଡ଼େ ବର୍ତମାନ ଡେଙ୍ଗୁ ଓ ମାଲେରିଆ ସଂକ୍ରମଣ। ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା ବର୍ତମାନ ଡେଙ୍ଗୁ ସଂକ୍ରମଣରେ ସବୁଠାରୁ ଆଗରେ ରହିଛି। ଏହାକୁ ଦୃଷ୍ଟିରେ ରଖି ବର୍ତମାନ ପ୍ରଶାସନ ପକ୍ଷରୁ ସରକାରୀ ଚିକିତ୍ସାଳୟଗୁଡ଼ିକରେ ମଶା ଘଉଡ଼ାଇବା ପାଇଁ ସ୍ବତନ୍ତ୍ର ‌ଯୋଜନା କରାଯିବ।

ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନାରେ, ‌ଗତ ୩-୪ ମାସ ଧରି ଚାଲିଥିବା ଡେଙ୍ଗୁ ସଂକ୍ରମଣ ସଂଖ୍ୟା ଅକ୍ଟୋବର ଶେଷ ଆଡ଼କୁ ହ୍ରାସ ପାଇଛି। ଜିଲ୍ଲାରେ ଅଗଷ୍ଟମାସରେ ଦିନକୁ ହାରାହାରି ୭୦ରୁ ୮୦ ଡେଙ୍ଗୁ ସଂକ୍ରମିତ ରୋଗୀ ଆସୁଥିଲେ। ସେହି ମାସରେ ମୋଟ ୨୨୭୮ଜଣ ରୋଗୀଙ୍କୁ ଚିକିତ୍ସା କରାଯାଇଥିଲା। ଅକ୍ଟୋବର ମାସରେ ଏହି ସଂଖ୍ୟା ଦୈନିକ ହାରାହାରି ୩୦ରୁ ୩୨ ରହିଥିଲା। ଚଳିତ ମାସରେ ଏହା ଦୈନିକ ହାରାହାରି ୫ରୁ ୭ ରହିଛି। ଚଳିତ ବର୍ଷ ଜାନୁଆରୀରୁ ବର୍ତମାନ ସୁଦ୍ଧା ୫୪୪୬ଜଣ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା କରାଯାଇଥିବା ବେଳେ ଏହା ମଧ୍ୟରୁ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ୪୧୪୬ଟି ରୋଗୀ ଅଟନ୍ତି। ତେବେ ଚଳିତ ବର୍ଷ ଯେଭଳି ଡେଙ୍ଗୁ ଆତଙ୍କ ସୃଷ୍ଟି କରିଥିଲା, ସେଭଳି ଆଗାମୀ ଦିନରେ ନହେବ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ରାଜ୍ୟ ଚିକିତ୍ସା ବିଭାଗ ନିର୍ଦ୍ଦେଶ ଦେଇଛି।

ସମସ୍ତ ଚିକିତ୍ସାଳୟର ଝରକାରେ ଜାଲି (ୱାୟର ମେସ୍‌) ଲଗାଯିବା ବାଧ୍ୟତାମୂଳକ କରାଯାଇଛି। ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଗିଗଂ ଯନ୍ତ୍ର (ମଶା ନିବାରକ ଧୂଆଁ ଛାଡ଼ିବା ଯନ୍ତ୍ର) ରହିବ। ପୂର୍ବେ ଏହି ଯନ୍ତ୍ର ବାହାରୁ ଭଡ଼ାକୁ ଅଣାଯାଉଥିଲା, କିମ୍ବା ପୌର ପରିଷଦ ପକ୍ଷରୁ ବର୍ଷକୁ ଦୁଇ ତିନିଥର ବ୍ୟବହାର କରାଯାଉଥିଲା। ଚିକିତ୍ସାଳୟର କୁଲର, ପାଣିଟାଙ୍କୀ ଆଦିକୁ ତୃତୀୟ ପକ୍ଷ ଦ୍ବାରା ନିୟମିତ ଭାବେ ସଫା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଏହାନୁହେଁଚିକିତ୍ସାଳୟ ପରିସରରେ ମାଛି ଧରିବା ଯନ୍ତ୍ର, ଅଲଟ୍ରାସୋନିକ୍‌ ମଶା ତାଡ଼କ ଯନ୍ତ୍ର ଆଦି ମଧ୍ୟ ଲଗାଯିବ। ଏନେଇ କାୟାକଳ୍ପ ଓଆମ ହସପିଟାଲ୍‌ ପାଣ୍ଠୀରୁ ଅର୍ଥ ବିନିଯୋଗ ହେବ। ଏନେଇ ଚିକିତ୍ସାଳୟ ପରିଚାଳକ କହିଛନ୍ତି ଯେ ଡେଙ୍ଗୁ ପାଇଁ ଜିଲ୍ଲା ଚିକିତ୍ସାଳୟରେ ଏକ ସ୍ବତନ୍ତ୍ର ୱାର୍ଡ ପ୍ରସ୍ତୁତ କରାଯାଇଛି। ବର୍ତମାନ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ଶଯ୍ୟା ସଂଖ୍ୟା ୧୦କୁ ହ୍ରାସ କରାଯାଇଛି। ଗତକାଲି ସ୍ବାସ୍ଥ୍ୟ ସଚିବଙ୍କ ଠାରୁ ଚିକିତ୍ସାଳୟରେ ମଶା, ମାଛି ଉଘଡ଼ାଇବା ପାଇଁ ବ୍ୟବସ୍ଥା କରିବାକୁ ଚିଠି ଆସିଛି। ଏନେଇ ତିନି-ଚାରି ଦିନ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସି କେଉଁ କେଉଁ ସାମଗ୍ରୀ କିଣାଯିବ ସେନେଇନିଷ୍ପତ୍ତି ନିଆଯିବ। ତେବେ ଚିକିତ୍ସାଳୟ ପରିସରକୁ ସଫା ରଖିବା ପାଇଁ ପୂର୍ବ ନିର୍ଦ୍ଧାରିତ ନିୟମାବଳି ଅନୁସାରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe