ରାଉର‌କେଲାରେ ଏମିତି କାମ କରୁଛି ପୁଲିସର ସ୍ୱତନ୍ତ୍ର ସ୍କ୍ବାର୍ଡ: ବେଆଇନ ମଦ ବାରକୁ ଛାଡି ଆଖପାଖରେ କରୁଛି ଚଢ଼ଉ

Advertisment
ରାଉର‌କେଲାରେ ଏମିତି କାମ କରୁଛି ପୁଲିସର ସ୍ୱତନ୍ତ୍ର ସ୍କ୍ବାର୍ଡ: ବେଆଇନ ମଦ ବାରକୁ ଛାଡି ଆଖପାଖରେ କରୁଛି ଚଢ଼ଉ

ରାଉର‌କେଲା : କିଛି ଦିନର ବ୍ୟବଧାନ ପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ପୁଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି। ଅସାମାଜିକ ଯୁବକ ଓ ମଦୁଆମାନଙ୍କୁ ସାବାଡ କରିବାକୁ ସହର ପ୍ରମୁଖ ଛକ, ଜନଗହଳିପୂର୍ଣ୍ଣ ଘନ ଘନ ଚଢ଼ଉ କରାଯାଉଛି। ଜିଲ୍ଲା ପୁଲିସର ଏଭଳି ପଦକ୍ଷେପକୁ ସହରର ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ମାତ୍ର ସହରର ଏମିତି କିଛି ଢ଼ାବା ଓ ହୋଟେଲ ରହିଛି ଯେଉଁଠି ଦିନରାତି ବେଆଇନ ମଦ ବାର୍‌‌ ଖୋଲାଯାଇଛି। ସକାଳୁ ଆରମ୍ଭ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦୁଆ ଓ ଅସାମାଜିକ ଯୁବକଙ୍କ ଭିଡ଼ ଜମୁଛି। ମାସେ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ଏଭଳି ବେଆଇନ ବାର୍‌କୁ ବନ୍ଦ କରିବାକୁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉ ନାହିଁ। ପୁଲିସ ନା ଅବକାରୀ ଟିମ୍‌ କେହି ଏମାନଙ୍କ ପାଖ ପଶୁ ନାହାନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଚାପ ପଡ଼ିଲେ ଉଭୟ ପୁଲିସ ଓ ଅବକାରୀ ପୁଲିସ ‌ଲୋକ ଦେଖାଣିଆ ଭାବେ ଚଢ଼ଉ କରି କାମ ସାରି ଦେଉଛନ୍ତି।

ବିଗତ ଦିନରେ ଏମିତି ଅନେକ ଘଟଣା ଘଟିଛି। ସହରର ଉଦିତନଗର ଛକରୁ ରାଉରକେଲା ବିର୍ସା ମୁଣ୍ଡା ଛକ ପର୍ଯ୍ୟନ୍ତ ରାଉରକେଲା ମୁଖ୍ୟ ମାର୍ଗରେ ୨୦ରୁ ଅଧିକ ଢ଼ାବା ଓ ହୋଟେଲ ରହିଛି। ୮୦% ଢ଼ାବାରେ ବେଆଇନ ମଦ ବାର୍‌ ଖୋଲାଯାଇଛି। ବିନା ଲାଇସେନ୍ସରେ ଚାଲିଥିବା ଏସବୁ ବାର୍‌ରେ ଖୋଲାଖୋଲି ବିଦେଶୀ ବିକ୍ରି ହେଉଛି। କେବଳ ବିକ୍ରି ନୁହେଁ ପାର୍ଟିର ଆସର ଜମୁଛି। ଡେଲିମାର୍କେଟ, ପାୱାର ହାଉସ୍‌ ରୋଡରେ ରହିଥିବା କିଛି ଢ଼ାବା ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଛି। ରାତି ୧୦ଟା ପରେ ଏସବୁ ଢ଼ାବାଗୁଡ଼ିକର ସମ୍ମୁଖ କବାଟ ବନ୍ଦ ହୋଇଯାଉଛି। ଭିତରପଟୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଛି। ସ୍ଥାନୀୟ ପୁଲିସ ସବୁ କିଛି ଜାଣୁଛନ୍ତି। କିନ୍ତୁ ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଯାହାକୁ ନେଇ ସାଧରଣରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ରାଉରକେଲା ମୁଖ୍ୟ ମାର୍ଗ ଠାରୁ ନୂଆ ବସ୍‌ଷ୍ଟାଣ୍ଡ ସ୍ଥିତି ଆହୁରି ସଙ୍ଗୀନ।

publive-image

ରାଜ୍ୟ ଓ ରାଜ୍ୟ ବାହାର ଯାତ୍ରୀଙ୍କ ‌କୋଳାହଳରେ ଫାଟି ପଡୁଥିବା ନୂଆ ବସ୍‌ଷ୍ଟାଣ୍ଡରେ ଯେତିକି ହୋଟେଲ ଓ ଢ଼ାବା ରହିଛି। ଅର୍ଦ୍ଧାଧିକ ଢ଼ାବାରେ ଓ ହୋଟେଲ ଲୋକମାନେ ଖୋଲାଖୋଲି ଭାବେ ମଦପାନ କରୁଛନ୍ତି। ଟ୍ରାଫିକ ଗେଟ୍‌ରେ ମଧ୍ୟ ସମାନ ସ୍ଥିତି। ଏଠି ମଧ୍ୟ କିଛି ହୋଟେଲରେ ବେଆଇନ ମିନି ବାର୍‌ ଚାଲିଛି। ସିଭିଲଟାଉନସିପ୍‌ ସଞ୍ଜୟ ମାର୍କେଟ ପରିସରରେ ଥିବା ଢ଼ାବା ଏକ ପ୍ରକାର ଓପନ୍‌ ବାର୍‌ ପାଲଟିଯାଇଛି। ସେକ୍ଟର-୧୯ସ୍ଥ ଗଜପତି ମାର୍କେଟ, ସେକ୍ଟର-୧୮ ମାର୍କେଟ, ମାଲଗୋଦାମ, ରେଲୱେ କଲୋନି, ଟିମ୍ବର କଲୋନି, ବେଦବ୍ୟାସ, ସାରନଗରୀ, ପାନପୋଷ, ସେକ୍ଟର-୨୧ ନୟାବଜାର ମାର୍କେଟ, ସେକ୍ଟର-୬ ମାର୍କେଟ, ଝିରପାଣି, କୋଏଲନଗର ଏନ୍‌ଏମସି ମାର୍କେଟ ଆଦି ସ୍ଥାନରେ ଖୋଲାଯାଇଥିବା କିଛି ଢ଼ାବା ଓ ହୋଟେଲ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦୁଆ ଓ ନିଶାଢ଼ିଙ୍କ ଆଡ୍ଡା ଜମୁଛି। ସେହି ବାଟ ଦେଇ ପୁଲିସ ପିସିଆର୍‌ ଗାଡି ଯାତାୟତ କରୁଛି। ଏହାର ଆଖପାଖରେ ପୁଲିସର ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରୁଛନ୍ତି, କିନ୍ତୁ ଏମାନଙ୍କ ପାଖ ପଶୁ ନାହାନ୍ତି।

ପୁଲିସର ସ୍ବତନ୍ତ ସ୍କ୍ବାର୍ଡ ପକ୍ଷରୁ ଚାଲିଥିବା ଚଢ଼ଉ ଏସବୁ ଢ଼ାବା ଓ ହୋଲେଗୁଡ଼ିକୁ କାହିଁକି ବାଦ୍‌ ଦିଆଯାଉଛି ? ବିନା ଲାଇସେନ୍ସରେ ମଦ ବାର୍‌ ଖୋଲିଥିବା ଢ଼ାବା ଓ ହୋଟେଲଗୁଡ଼ିକ ତାଲିକା ଅବକାରୀ ପାଖରେ ଅଛି ତ ? ଯଦି ଅଛି, ବିଭାଗୀୟ ଅଧିକାରୀଙ୍କୁ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ? ବର୍ଷ ବର୍ଷ ଧରି ବିନା ଲାଇସେନ୍ସରେ ମଦ ବିକୁଥିବା ସହରରେ ଢ଼ାବା ଓ ହୋଟେଲଗୁଡ଼ିକ ତାଲିକା ଉଭୟ ସ୍ଥାନୀୟ ପୁଲିସ ଓ ଅବକାରୀ ପୁଲିସ ନିକଟରେ ଅଛି ତ ? ଏମିତି ଅନେକ ପ୍ରଶ୍ନକୁ ନେଇ ସହରବାସୀଙ୍କ ମଧ୍ୟରେ ନାନା ଆଲୋଚନା ହେଉଛି। ତେଣୁ ବେଆଇନ ମଦ ବାର୍‌ ଖୋଲିଥିବା ହୋଟେଲ ଓ ଢ଼ାବାଗୁଡ଼ିକରେ ଚଢ଼ଉ ହେବାର ଆବଶ୍ୟକତା ରହିଛି। ଏମିତି କରାଯାଇପାରିଲେ ସହରରୁ ଅସାମାଜିକ ଯୁବକଙ୍କ ଦୌରାତ୍ମ ନିଶ୍ଚିତ ଭାବେ ହ୍ରାସ ପାଆନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe