ଭୁବନେଶ୍ବର : ଉଭୟ ଦିବ୍ୟାଙ୍ଗ ଏବଂ ଅଣ-ଦିବ୍ୟାଙ୍ଗ ନିଯୁକ୍ତି-ଆଶାୟୀଙ୍କ ଲାଗି ଭୁବନେଶ୍ବରସ୍ଥିତ ଏନ୍ସିଏସ୍ସିଡିଏ (ଦିବ୍ୟାଙ୍ଗଜନଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର) ପକ୍ଷରୁ ଏକ ସ୍ବତନ୍ତ୍ର ନିଯୁକ୍ତି ମେଳା ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ବିଭିନ୍ନ ବର୍ଗର ୨୫୦ଟି ପଦବୀ ପାଇଁ ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଭୁବନେଶ୍ବର ପୋଖରୀପୁଟ ଗଣ୍ଡମୁଣ୍ଡାସ୍ଥିତ (ମଧୁସୂଦନ ପାର୍କ ସମ୍ମୁଖ) ଏନ୍ସିଏସ୍ସିଡିଏ ମୁଖ୍ୟ କାର୍ଯ୍ୟାଳୟରେ ସକାଳ ୯ଟାଠାରୁ ଦିନ ୨ଟା ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଳାରେ ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତାଧାରୀ ପ୍ରାର୍ଥୀମାନେ ଭାଗ ନେଇପାରିବେ।
ୱେବ୍ ଡେଭଲପମେଣ୍ଟ, ସେଲ୍ସ, ଟେଲି ସେଲ୍ସ, ସର୍ଭିସ୍ ଇଞ୍ଜିନିୟର, ଗ୍ରାହକ ସେବା, ଲଜିଷ୍ଟିକ୍ସ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯିବ। ମାଟ୍ରିକ ପାସ୍ଠାରୁ ଆରମ୍ଭ କରି ଯୁକ୍ତ ଦୁଇ, ସ୍ନାତକ, ଏମ୍ବିଏ, ଆଇଟିଆଇ ଏବଂ ଡିପ୍ଲୋମା ନିଯୁକ୍ତିଧାରୀମାନେ ଏସବୁ ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କ ବୟସ ୧୮ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଦିବ୍ୟାଙ୍ଗ ବର୍ଗରେ ଚଳନ ଅକ୍ଷମତା (ଏଲ୍ଡି) ଏବଂ ବାକ୍ ଓ ଶ୍ରବଣଶକ୍ତି-ହୀନ ଦିବ୍ୟାଙ୍ଗମାନେ ଏଥିରେ ଭାଗ ନେଇପାରିବେ। ସମସ୍ତ ପ୍ରାର୍ଥୀ ନିଜର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ଆଧାର କାର୍ଡ, ପାସ୍ପୋର୍ଟ, ଫଟୋ, ଦିବ୍ୟାଙ୍ଗ ପ୍ରମାଣପତ୍ର ଏବଂ ବାୟୋଡାଟା ସହିତ ଆବେଦନ କରିପାରିବେ। ନିଯୁକ୍ତି ମେଳା ସମ୍ପର୍କରେ ଅଧିକ ସୂଚନା ପାଇବାକୁ ଚାହୁଥିବା ପ୍ରାର୍ଥୀମାନେ ୦୬୭୪-୨୩୫୨୩୧୭ ନମ୍ବରରେ ଯୋଗାଯୋଗ କରିବା ଲାଗି ଏନ୍ସିଏସ୍ସିଡିଏ ପକ୍ଷରୁ ଅନୁରୋଧ କରାଯାଇଛି।
Follow Us