ଭୁବନେଶ୍ବର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରୁ ଜଗନ୍ନାଥ ସର୍କିଟ୍ରେ ଗଡ଼ିବ ଏକ୍ସପ୍ରେସ୍। ରାମାୟଣ ସର୍କିଟ୍ ପରି ଏହି ସର୍କିଟ୍ରେ ଓଡ଼ିଶାର ଆରାଧ୍ୟ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତି, ଐତିହ୍ୟକୁ ସ୍ଥାନିତ କରାଯିବ। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ଏହି ସର୍କିଟ୍ରେ ସାମିଲ କରାଯିବ। ଏକ୍ସପ୍ରେସ୍ରେ ଓଡ଼ିଶାର ଭାଇଚାରା ଦେଖିବାକୁ ମିଳିବ, ଓଡ଼ିଆ ଖାଦ୍ୟ ଏହି ଟ୍ରେନ୍ ଯାତ୍ରୀଙ୍କୁ ମିଳିବ। ଜଗନ୍ନାଥ ସର୍କିଟର ରୂପରେଖ ପ୍ରସ୍ତୁତ ହୋଇସାରିଛି। ଆସନ୍ତା ରଥଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦ୍ଘାଟନ କରିବେ ବୋଲି ‘କନକ ନ୍ୟୁଜ’ ପକ୍ଷରୁ ଆୟୋଜିତ ଓଡ଼ିଶା ନିର୍ମାଣ କନକ୍ଲେଭରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଛନ୍ତି।
ସେ କହିଛନ୍ତି ଯେ ଓଡ଼ିଶାରେ ବି ବନ୍ଦେ ଭାରତ ଏକ୍ସପ୍ରେସ୍ ଗଡ଼ିବ। ବର୍ତ୍ତମାନ ସମୟରେ ପ୍ରତି ମାସରେ ଦୁଇଟି ଲେଖାଏ ବନ୍ଦେ ଭାରତ ଏକ୍ସପ୍ରେସ୍ ନିର୍ମାଣ କରାଯାଉଛି। ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ଆମେ ପଦକ୍ଷେପ ନେଉଛୁ। କିଭଳି ଅଧିକରୁ ଅଧିକ ଏକ୍ସପ୍ରେସ୍ ନିର୍ମାଣ କରାଯାଇପାରିବ ସେଦିଗରେ କାର୍ଯ୍ୟ କରୁଛୁ। ଆସନ୍ତା ଜାନୁଆରି/ଫେବ୍ରୁଆରିରୁ ପ୍ରତି ମାସରେ ୪ରୁ ୫ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛୁ। ଫଳରେ ଅଧିକରୁ ଅଧିକ ସ୍ଥାନକୁ ଏହି ଏକ୍ସପ୍ରେସ୍ ଗଡ଼ିପାରିବ।
ଓଡ଼ିଶାକୁ ରେଲବାଇ ବଜେଟ୍ରେ ଅବହେଳା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଲେ, ୨୦୧୪ ପୂର୍ବରୁ ରେଳପଥର ବିକାଶ ଲାଗି ଓଡ଼ିଶାକୁ ବାର୍ଷିକ ୮୩୮ କୋଟି ଟଙ୍କା ମିଳୁଥିଲା। ମାତ୍ର ମୋଦୀ ସରକାର ଆସିବା ପରେ ଏହି ଅନୁଦାନ ୪ ଗୁଣାରୁ ଅଧିକ ବଢ଼ିଛି। ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାକୁ ୯୭୩୪ କୋଟି ଟଙ୍କା ଅନୁଦାନ ମିଳିଛି। ପ୍ରକଳ୍ପ ପଡ଼ି ରହୁଥିଲା। ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ୫୫,୨୧୯ କୋଟି ଟଙ୍କାର ରେଳ ପ୍ରକଳ୍ପ ଅନୁମୋଦିତ ହୋଇ ରହିଛି। ମାର୍ଚ୍ଚ ୩୧ ପରେ ଆଜି ସୁଦ୍ଧା ଆଉ ୪ ହଜାର କୋଟିର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ରାଜ୍ୟ ସରକାରଙ୍କ ସହ ମିଶି ପ୍ରକଳ୍ପ ଆଗକୁ ନିଆଯାଉଛି। ୟୁପିଏ ତଥା କଂଗ୍ରେସ ସରକାର ସମୟରେ ଓଡ଼ିଶାରେ ବର୍ଷକୁ ଅତିବେଶିରେ ୨୫ରୁ ୨୬ କିମି ରେଳ ଲାଇନ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉଥିଲା। ମାତ୍ର ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାରେ ୧୮୦ କିମି ନୂଆ ରେଳ ଲାଇନ ନିର୍ମାଣ ହୋଇଛି। ଚଳିତ ଆର୍ଥିକ ବର୍ଷର ଏବେ ସୁଦ୍ଧା ୨୩୮ କିମି ରେଳ ଲାଇନ୍ କାର୍ଯ୍ୟ ଶେଷ ହୋଇଛି। ଆର୍ଥିକ ବର୍ଷ ଶେଷ ତଥା ୨୦୨୩ ମାର୍ଚ୍ଚ ସୁଦ୍ଧା ୫୫୦ କିମି ନୂଆ ରେଳ ଲାଇନ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ମନରେ କୌଣସି ପ୍ରକାର ଗର୍ବ ନ ରଖି ଜମି ସମସ୍ୟାର ସମାଧାନ ଲାଗି ଆରଆଇ ଅଫିସ୍କୁ ଯିବାକୁ ରେଳ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିବା କହିଛନ୍ତି।
ଓଡ଼ିଶାରେ ମେଟ୍ରୋ ଟ୍ରେନ୍ ଚାଲି ପାରିବ କି ନାହିଁ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି ଯେ ମେଟ୍ରୋ ଟ୍ରେନ୍ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ପଠାଇ ନାହାନ୍ତି। ପ୍ରସ୍ତାବ ଦେଲେ ନିଶ୍ଚିତ ସହଯୋଗ କରାଯିବ। ଓଡ଼ିଶାରେ ମଧ୍ୟ ମେଟ୍ରୋ ଟ୍ରେନ୍ ଚାଲିପାରିବ। ବର୍ତମାନ ରାଜ୍ୟର ୩୨ଟି ଷ୍ଟେସନର ଉନ୍ନତୀକରଣ କାମ ଆଗେଇ ଚାଲିଛି। ଆଉ ୪ଟି ଷ୍ଟେସନର ପ୍ଲାନିଂ କରାଯାଇଛି। ପୂରା ଓଡ଼ିଶାର ଯେଉଁ ରେଲୱେ ପ୍ରକଳ୍ପ ବାକି ରହିଛି, ତାକୁ ଆଗେଇ ନେବାକୁ ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱର ରେଳଷ୍ଟେସନର ଉନ୍ନତୀକରଣ କାମ ମଧ୍ୟ ତୀବ୍ର ଗତିରେ ଚାଲିଛି। କ୍ୟାମ୍ପ ଅଫିସ୍ ତିଆରି ସହ କେବଲିଂ କାର୍ଯ୍ୟ ହେଉଛି। ପୁରୀ ଷ୍ଟେସନ ଉନ୍ନତୀକରଣ କାମ ବି ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇସାରିଛି ବୋଲି ସେ ମତପ୍ରକାଶ କରିଥିଲେ।
Follow Us