The Statesman
ଭୁବନେଶ୍ବର: ବାତ୍ୟାରେ ସବୁଠାରୁ ଅଧିକ କ୍ଷତି ହୋଇଥିବା ପୁରୀକୁ ରେଳ ଯୋଗାଯୋଗ ସମ୍ଭବପର ହୋଇଛି। ୧୦ ତାରିଖ ପରେ ପୁରୀକୁ ଟ୍ରେନ୍ ଚଳାଚଳ ହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଥିଲା। ତେବେ ଏହାର ତିନି ଦିନ ପୂର୍ବରୁ ଆଜି ଖୋର୍ଧା ରୋଡ୍ ଷ୍ଟେସନରୁ ପୁରୀକୁ ସ୍ବତନ୍ତ୍ର ଟ୍ରେନ୍ ଗଡ଼ିଛି। ଖୋର୍ଧା ରୋଡ୍ରେ ଅପେକ୍ଷା କରି ରହିଥିବା ଯାତ୍ରୀଙ୍କୁ ନେଇ ସାକଳ ୯ଟା ୪୫ରେ ଏହି ସ୍ବତନ୍ତ୍ର ଟ୍ରେନ୍ ପୁରୀ ଅଭିମୁଖେ ଛାଡ଼ିଥିଲା। ପୁରୀରୁ ମଧ୍ୟାହ୍ନ ୧୨ଟା ୩୦ରେ ଉକ୍ତ ଟ୍ରେନ୍ ପୁରୀକୁ ଯାତ୍ରୀଙ୍କୁ ଆଣି ଖୋର୍ଧା ରେଡ୍ ଷ୍ଟେସନ୍ରେ ପହଞ୍ଚିଥିଲା। ବୁଧବାର ମଧ୍ୟ ଏକ ସ୍ବତନ୍ତ୍ର ଟ୍ରେନ୍ ଖୋର୍ଧାରୋଡ୍ ଷ୍ଟେସନ୍ରୁ ପୁରୀକୁ ଚାଲିବ। ପୂର୍ବାହ୍ନ ୧୧ଟାରେ ପୁରୀ ଅଭିମୁଖେ ଛାଡ଼ିବ। ଅପରାହ୍ନ ୪ଟାରେ ପୁରୀରୁ ଛାଡ଼ିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଧାରୋଡରୁ ପୁରୀକୁ ସ୍ବତନ୍ତ୍ର ଟ୍ରେନ୍ ଗଡ଼ିବା ପୂର୍ବରୁ ଗତକାଲି ପରୀକ୍ଷାମୂଳକ ଭାବେ ଏକ ଟ୍ରେନ୍ ଚଳାଚଳ କରିଥିଲା। ଯିବା ସମୟରେ ବାଟରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ଖୋର୍ଧା ରୋଡ୍ରୁ ପୁରୀକୁ ଅତି ବେଶିରେ ଗୋଟିଏ ଘଣ୍ଟା ସମୟ ଲାଗୁଥିବା ବେଳେ ଗତକାଲି ପ୍ରାୟ ୪ ଘଣ୍ଟା ଲାଗିଯାଇଥିଲା। ଅନ୍ୟପକ୍ଷରେ ପୂର୍ବତଟ ରେଳପଥ ଅଧୀନରେ ଟ୍ରାକ୍ଗୁଡ଼ିକ ସ୍ବାଭାବିକ ହୋଇ ନଥିବାରୁ ଆଜି ମଧ୍ୟ ୬ଟି ଟ୍ରେନ୍ ବାତିଲ୍ କରାଯାଇଥିବା ସୂଚନା ମିଳିଛି।
Follow Us