ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ : ‘୫ ଓ ୬ ତାରିଖରେ ଭୋଟ ଗ୍ରହଣ କେନ୍ଦ୍ରରେ ସ୍ବତନ୍ତ୍ର ଅଭିଯାନ’

Advertisment
ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ : ‘୫ ଓ ୬ ତାରିଖରେ ଭୋଟ ଗ୍ରହଣ କେନ୍ଦ୍ରରେ ସ୍ବତନ୍ତ୍ର ଅଭିଯାନ’

ଭୁବନେଶ୍ୱର : ୨୦୨୦-୨୧ ପାଇଁ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସାରା ରାଜ୍ୟରେ ଚାଲୁ ରହିଛି। ଏହି ପ୍ରକ୍ରିୟା ଗତ ନଭେମ୍ବର ୧୬ ତାରିଖରୁ ଆରମ୍ଭ ହୋଇ ଚଳିତମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଡିସେମ୍ବର ୫ ଓ ୬ ତାରିଖରେ ରାଜ୍ୟର ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯିବ। ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ। ଏହି ଦିନମାନଙ୍କରେ ପ୍ରତି ଭୋଟ ଗ୍ରହଣ କେନ୍ଦ୍ରରେ ବି.ଏଲ୍‌.ଓମାନଙ୍କ ସହ ଅନ୍ୟ କର୍ମଚାରୀମାନେ ଆବଶ୍ୟକ ଫର୍ମ ସହ ଉପସ୍ଥିତ ରହି ଭୋଟରମାନଙ୍କୁ ସବୁ ପ୍ରକାର ସହାୟତା କରିବେ।

ଶ୍ରୀ ଲୋହାନୀ କହିଛନ୍ତି, ଯେଉଁ ନାଗରିକମାନେ ୨୦୨୧ ଜାନୁଆରି ପହିଲା ସୁଦ୍ଧା ୧୮ ବର୍ଷ ବୟସର ହୋଇଥିବେ, ସେମାନେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିପାରିବେ। ଏହାସହିତ ଯେଉଁମାନଙ୍କର ଭୋଟର ତାଲିକାରେ ନାମ ନ ଥିବ କିମ୍ବା ବିବାହ ଯୋଗୁ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ବଦଳି ହୋଇ ଯାଇଥିବେ ସେମାନେ ମଧ୍ୟ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରିପାରିବେ। ଏଥିପାଇଁ ସେମାନେ ଫର୍ମ-୬ରେ ଆବେଦନ କରି ଭୋଟର ତାଲିକାରେ ନାମ ଯୋଗ କରିପାରିବେ। ସେହିପରି ଭୋଟର ତାଲିକାରୁ ନାମ ବାଦ ଦେବା ନିମନ୍ତେ ଜଣେ ଭୋଟର ନିଜ ଭୋଟ ଗ୍ରହଣ କେନ୍ଦ୍ରରେ ଥିବା ବି.ଏଲ.ଓଙ୍କ ସହ ଯୋଗାଯୋଗ କରିପାରିବେ। ମୃତ ବ୍ୟକ୍ତି, ଅନ୍ୟସ୍ଥାନକୁ ସ୍ଥାନାନ୍ତର ହୋଇଥିବା ଭୋଟର କିମ୍ବା ପୃଥକ ଭାବେ ଦୁଇଟି ସ୍ଥାନରେ ନାମ ଥିଲେ ଫର୍ମ ନମ୍ବର ୭ରେ ଆବେଦନ କରି ଭୋଟର ତାଲିକାରୁ ନାମ ବାଦ ଦିଆଯାଇପାରିବ। ଭୋଟର ତାଲିକାରେ ନାମ, ଜନ୍ମ ତାରିଖକୁ ନେଇ ଯଦି କିଛି ତ୍ରୁଟି ଥାଏ, ତାହେଲେ ସଂଶୋଧନ ପାଇଁ ଫର୍ମ-୮ରେ ଆବେଦନ କରିହେବ। ଏଥିପାଇଁ ଭୋଟରମାନେ ଉଭୟ ଅନ୍‌ଲାଇନ୍‌ ଓ ଅଫ ଲାଇନ୍‌ରେ ମାଧ୍ୟମରେ ଆବେଦନ କରିପାରିବେ। ଭୋଟରମାନେ ନିଜ ଅଞ୍ଚଳରେ ଥିବା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଓ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ କିମ୍ବା ତହସିଲଦାରଙ୍କ ସହ ଯୋଗାଯୋଗ କରିପାରିବେ ବୋଲି ଶ୍ରୀ ଲୋହାନୀ କହିଛନ୍ତି।

ଅନ୍‌ଲାଇନ୍‌ ମାଧ୍ୟମରେ ଜଣେ ଭୋଟର www.nvsp.in କିମ୍ବା Voter Help Line Mobile Appକୁ ଯାଇ ଆବଶ୍ୟକ ଦସ୍ତାବିଜ୍‌ ଅପ୍‌ ଲୋଡ୍‌ କରି ଅନ୍‌ଲାଇନ୍‌ ନାମ ପଞ୍ଜୀକରଣ କରିପାରିବେ। ଏହାବ୍ୟତୀତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଓ୍ବେବ୍‌ସାଇଟ୍‌ ceoodisha.nic.inରେ ନିଜ ଅଞ୍ଚଳର ଭୋଟର ତାଲିକା ଦେଖିପାରିବା ସହ ନିଜ ନାମ ଓ ବୁଥ ଇତ୍ୟାଦି ଯାଞ୍ଚ କରିପାରିବେ। ଆସନ୍ତା ୧୫ ତାରିଖ ପରେ ଯେଉଁ ଦାବି ପତ୍ରଗୁଡ଼ିକ ଗ୍ରହଣ କରାଯାଇଥିବ, ସେ ସବୁର ସଠିକତା ୨୦୨୧ ଜାନୁଆରି ୫ ତାରିଖ ସୁଦ୍ଧା ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ନିର୍ବାଚନ ଆୟୋଗଙ୍କ ଅନୁମତି କ୍ରମେ ଜାନୁଆରି ୧୫ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଜନସାଧାରଣ ସହଯୋଗ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe