ଟ୍ରକ୍‌କୁ ପଛପଟରୁ ଧକ୍କା ଦେଇ କାର୍‌ ଭିତରେ ଚାପି ହୋଇଯାଇଥିଲେ ବିଶେଷଜ୍ଞ ଡାକ୍ତର, କଟକ ନେବା ସମୟରେ ରାସ୍ତାରେ ମୃତ୍ୟୁ

Advertisment
ଟ୍ରକ୍‌କୁ ପଛପଟରୁ ଧକ୍କା ଦେଇ କାର୍‌ ଭିତରେ ଚାପି ହୋଇଯାଇଥିଲେ ବିଶେଷଜ୍ଞ ଡାକ୍ତର, କଟକ ନେବା ସମୟରେ ରାସ୍ତାରେ ମୃତ୍ୟୁ

ବାରିପଦା/ବେତନଟୀ: ଜଣାଶୁଣା ଡାକ୍ତର ଅଞ୍ଜନ ଷଡ଼ଙ୍ଗୀଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ତାଙ୍କୁ ୫୯ ବର୍ଷ ହୋଇଥିଲା। ସେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଅକାଳ ନିଧନରେ ବାରିପଦା, ବାଲେଶ୍ବର ସମେତ ଜନ୍ମମାଟି ବେତନଟୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଡାକ୍ତର ଷଡ଼ଙ୍ଗୀ ଗତକାଲି ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାଇଟ୍‌ ଡ୍ୟୁଟି ସାରି ଆଜି ସକାଳେ ବାରିପଦାସ୍ଥିତ ନିଜ ଘରକୁ ଫେରୁଥିଲେ। ଦିନ ପ୍ରାୟ ୯ଟା ୩୫ରେ ବେତନଟୀ ଥାନା ନୟାପୁରୁଷୋତ୍ତମ ନିକଟରେ ତାଙ୍କ କାର୍‌ (ଓଡି-୧୧କେ-୧୨୨୨) ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରାସ୍ତା ଉପରେ ଠିଆ ହୋଇଥିବା ଏକ‌ ଟ୍ରକ୍‌ ପଛରେ ପିଟି ହୋଇଯିବା ଫଳରେ ତାଙ୍କ ଓ୍ବାଗନ୍‌-ଆର୍‌ କାର୍‌ଟି ଭାଙ୍ଗି ଚୂର୍‌ମାର ହୋଇ ଯାଇଥିଲା। ନିଜେ କାର୍‌ ଡ୍ରାଇଭିଂ କରୁଥିବା ଡାକ୍ତର ଷଡ଼ଙ୍ଗୀ ବହୁ ସମୟ ଧରି ଷ୍ଟିୟରିଂରେ ଚାପି ହୋଇ ରହିଥିଲେ। ଜଙ୍ଗଲିଆ ସ୍ଥାନ ହୋଇଥିବାରୁ ଦୁର୍ଘଟଣା ସଂପର୍କରେ ପ୍ରଥମେ କେହି ଜାଣି ପାରିନଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜାତୀୟ ରାଜପଥରେ ପାଖାପାଖି ଗୋଟିଏ ଘଣ୍ଟା ରହିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗ୍ୟାସ୍ କଟର୍‌ରେ ଗାଡ଼ିକୁ କାଟି ଡାକ୍ତର ଷଡ଼ଙ୍ଗୀଙ୍କୁ ଉଦ୍ଧାର କରାଯିବା ପରେ ଆମ୍ବୁଲାନ୍‌ସ ଯୋଗେ ବାରିପଦା ପିଆର୍‌ଏମ୍ ମେଡିକାଲ କଲେଜକୁ ନିଆଯାଇଥିଲା।

ତେବେ ସେଠାରେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର ବେଳେ ଭଦ୍ରକ ନିକଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଡାକ୍ତର ଷଡ଼ଙ୍ଗୀଙ୍କ ପତ୍ନୀ ଡାକ୍ତର ମିତା ମିଶ୍ର ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚକ୍ଷୁ ବିଶେଷଜ୍ଞ ଅଛନ୍ତି। ଶେଷକୃତ୍ୟ ପାଇଁ ମୃତଦେହକୁ ବାରିପଦାସ୍ଥିତ ଘରକୁ ନିଆଯାଇଛି। ଡାକ୍ତର ଷଡ଼ଙ୍ଗୀଙ୍କ ଅକାଳ ବିୟୋଗରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳସେନ ଜଗଦେବଙ୍କ ସମେତ ବହୁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ଷଡ଼ଙ୍ଗୀ ଗତ ୪ ବର୍ଷ ତଳେ ବାରିପଦାରୁ ବଦଳି ହୋଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ନିଜ ଘର ବେତନଟୀ ହୋଇଥିଲେ ମଧ୍ୟ ସେ ବାରିପଦାରେ ଘର କରି ସେଠାରେ ପରିବାର ସହ ରହୁଥିଲେ। ସେ ତାଙ୍କ ପଛରେ ବିଧବା ମା’ ମୀନତି ଷଡ଼ଙ୍ଗୀ, ପତ୍ନୀ ଡାକ୍ତର ମିତା ମିଶ୍ର ଓ ଏକମାତ୍ର ପୁଅକୁ ଛାଡ଼ି ଚାଲି ଯାଇଛନ୍ତି। ପ୍ରକାଶଥାଉକି, ଜାତୀୟ ରାଜପଥରେ ବେଆଇନ୍ ଗାଡ଼ି ପାର୍କିଂ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିଲେ ମଧ୍ୟ କେହି ଏ ଦିଗରେ ଦୃଷ୍ଟି ଦେଉନାହାନ୍ତି। ଡାକ୍ତର ଷଡ଼ଙ୍ଗୀଙ୍କ ଅକାଳ ମୃତ୍ୟୁ ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe