ଭତ୍ରାଜୋରରେ ବିରଳ ପ୍ରଜାତିର ଲାରିଡେ: ଜନ୍ମନେଲେ ଶହେରୁ ଊର୍ଦ୍ଧ୍ବ ଶାବକ

Advertisment
ଭତ୍ରାଜୋରରେ ବିରଳ ପ୍ରଜାତିର ଲାରିଡେ: ଜନ୍ମନେଲେ ଶହେରୁ ଊର୍ଦ୍ଧ୍ବ ଶାବକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ୍‌ ଭତ୍ରାଜୋର ଡ୍ୟାମ୍‌କୁ ପ୍ରତିବର୍ଷ ପ୍ରାୟ ୨୫୦ରୁ ଅଧିକ ପ୍ରଜାତିର ପକ୍ଷୀ ଆସିଥା’ନ୍ତି। ଚଳିତବର୍ଷ ପ୍ରଥମଥର ପାଇଁ ଲାରିଡେ ପ୍ରଜାତିର ହୁଇସ୍କର୍ଡଟର୍ନ ପକ୍ଷୀ ଆସିଛନ୍ତି। ଏହାର ବୈଜ୍ଞାନିକ ନାଁ ଚିଡୋନିଆସ ହାଇବ୍ରିଡା ଅଟେ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଗତ ଜୁନ୍‌ ପ୍ରଥମ ସପ୍ତାହରେ ପ୍ରାୟ ୩୦୦ରୁ ଅଧିକ ଏହି ପ୍ରଜାତିର ପକ୍ଷୀ ଭତ୍ରାଜୋରକୁ ଆସିଥିଲେ। ଏହି ସ୍ଥାନକୁ ସୁରକ୍ଷିତ ମନେକରି ଅଣ୍ଡା ଦେଇଥିଲେ। ବର୍ତ୍ତମାନ ପ୍ରାୟ ୧୦୦ରୁ ଅଧିକ ପକ୍ଷୀ ଶାବକ ଜନ୍ମ ନେଇ ବିଚରଣ କରୁଥିବା ଦେଖିବାକୁ ମିଳୁଛି।

ଏହି ପକ୍ଷୀ ଭାରତ ବ୍ୟତୀତ ୟୁରୋପୀୟ ଦେଶ, ସାଇବେରିଆ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଚୀନ, ପାକିସ୍ତାନ, ଜାଭା ଆଦି ଦେଶରେ ଦେଖିବାକୁ ମିଳିଥାଏ। ପ୍ରଥମଥର ଅଣ୍ଡା ଦେଇଥିବା ଯୋଗୁ ଏହି ପ୍ରଜାତିର ସମସ୍ତ ପକ୍ଷୀ ଏଠାରେ ବସା ବାନ୍ଧିଛନ୍ତି, ଯାହାକି ପକ୍ଷୀ ବିଶାରଦମାନଙ୍କୁ ଚକିତ କରିଛି। ଏ ସମ୍ପର୍କରେ ପକ୍ଷୀ ବିଶାରଦ ମହମ୍ମଦ ଖଲିଲ କହିଛନ୍ତି, ପ୍ରଥମଥର ପାଇଁ ଏହି ପ୍ରଜାତିର ପକ୍ଷୀ ଏଠାକୁ ଆସି ଅଣ୍ଡା ଦେବା ଓ ପକ୍ଷୀ ଶାବକ ଜନ୍ମ ଦେବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ ଅଟେ। ଭତ୍ରାଜୋର ସୁରକ୍ଷିତ ସ୍ଥାନ ହୋଇଥିବା ଯୋଗୁଁ ବିଦେଶୀ ପକ୍ଷୀମାନେ ଆକୃଷ୍ଟ ହେଉଛନ୍ତି। ଭତ୍ରାଜୋରକୁ ପକ୍ଷୀ ଅଭୟାରଣ୍ୟ ଘୋଷଣା କରାଗଲେ ପକ୍ଷୀମାନେ ସୁରକ୍ଷିତ ହେବା ସହିତ ପର୍ଯ୍ୟଟକମାନଙ୍କୁ ବିଦେଶୀ ପକ୍ଷୀ ଉପରେ ଅଧିକ ସୂଚନା ମିଳିପାରନ୍ତା। ବର୍ତ୍ତମାନ ସେଠାରେ ନୌକା ବିହାର ଆରମ୍ଭ ହୋଇଥିବା ବେଳେ ଏ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe