ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବକ୍ତୃତା: ସିନ୍ଧୁ ସଭ୍ୟତାର ବ୍ୟାଖ୍ୟା କଲେ ପ୍ରଫେସର ଜୋନାଥନ୍‌ ମାର୍କ କେନୋୟାର୍

Advertisment
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବକ୍ତୃତା: ସିନ୍ଧୁ ସଭ୍ୟତାର ବ୍ୟାଖ୍ୟା କଲେ ପ୍ରଫେସର ଜୋନାଥନ୍‌ ମାର୍କ କେନୋୟାର୍

ବାରିପଦା: ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ପାଇଁ ବାର୍ଷିକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବକ୍ତୃତା ମାଳା ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରତ୍ନତତ୍ତ୍ୱବିତ୍ ତଥା ଆମେରିକାର ୱିସ୍‌କନ୍‌ସିନ୍‌ ମାଡିସନ ବିଶ୍ୱବିଦ୍ୟାଳୟର ନୃତତ୍ତ୍ବ ବିଭାଗର ପ୍ରଫେସର ଜୋନାଥନ୍‌ ମାର୍କ କେନୋୟାର୍ ଯୋଗ ଦେଇ ‘ସିନ୍ଧୁ ସଭ୍ୟତାର ଉତ୍ପତ୍ତି ଓ ପରବର୍ତ୍ତୀ କାଳରେ ଏହାର ପ୍ରଭାବ’ ଶୀର୍ଷକ ବକ୍ତୃତା ପ୍ରଦାନ କରିଥିଲେ।

ପ୍ରାରମ୍ଭରେ ପ୍ରଫେସର କେନୋୟାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କୁ ନବ ଓଡ଼ିଶାର ବିନ୍ଧାଣୀ ବୋଲି ଆଖ୍ୟାୟିତ କରିଥିଲେ। ନିଜ ବକ୍ତୃତାରେ ସେ ସିନ୍ଧୁ ସଭ୍ୟତାରେ ମାତୃକୈନ୍ଦ୍ରିକ ପାରିବାରିକ ବ୍ୟବସ୍ଥା, ପୃଥିବୀର ଦୂରଦୂରାନ୍ତ ସଭ୍ୟତାଗୁଡ଼ିକ ସହ ବାଣିଜ୍ୟିକ ସମ୍ପର୍କ, ମଣିଷମାନଙ୍କ ଦନ୍ତ ଅବଶେଷର ଅନୁଧ୍ୟାନରୁ ଖାଦ୍ୟାଭ୍ୟାସ ପରିଚିତି, ତତ୍କାଳୀନ ମହିଳାଙ୍କ ଅଳଙ୍କାର, ପୁରୁଷଙ୍କ ପଗଡ଼ି ପରିଧାନ ଆଦି ବିଷୟ ଉପରେ ଆଲୋକପାତ କରି ସମସ୍ତଙ୍କୁ ବିମୋହିତ କରିଥିଲେ।

ଏହି କାର୍ଯ୍ୟକମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କିଶୋର କୁମାର ବସା ସଭାପତିତ୍ୱ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତିଲାଭ କରିଥିବା ଜଣେ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ କରି ପ୍ରତିବର୍ଷ ଏଭଳି ବକ୍ତୃତା ଆୟୋଜନ କରିବାକୁ ସିଦ୍ଧାନ୍ତ ନିଆଯାଇଛି ବୋଲି ଅବଗତ କରାଇଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ କୁମାର ଶତପଥି ଓ କୁଳସଚିବ ସହଦେବ ସମାଧିଆ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ତଥା ଏହା ଅଧୀନ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଗବେଷକଗଣ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe