ଝାରସୁଗୁଡା : ସ୍ପାଇସ୍ ଜେଟ୍ କର୍ତ୍ତୃପକ୍ଷ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବିମାନ ସେବା ମାର୍ଚ୍ଚ ୩୧ ତାରିଖରେ ଆରମ୍ଭ ହେବ ବୋଲି ବୁଧବାର ଘୋଷଣା କରିଛନ୍ତି। ସ୍ପାଇସ୍ ଜେଟ୍ ଝାରସୁଗୁଡ଼ାରୁ ଦେଶର ୩ଟି ବଡ଼ ସହର ମଧ୍ୟରେ ଚଳାଚଳ କରିବ। ଏହି ସହର ମଧ୍ୟରେ ନୂଆଦିଲ୍ଲୀ, ହାଇଦ୍ରାବାଦ ଓ କୋଲକୋତା ସାମିଲ ରହିଛି। ଉଡାଣ ଯୋଜନା ଆଧାରରେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଏହି ସ୍ପାଇସ୍ ଜେଟ ବିମାନ ଚଳାଚଳ କରିବ ବୋଲି ସୂଚନା ମିଳିଛି। ଏହି ବିମାନ ସେବାର ଲାଭ ଉଠାଇବା ପାଇଁ ଯାତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜିଠାରୁ ଅର୍ଥାତ୍ ଫେବ୍ରୁଆରି ୨୭ ଅପରାହ୍ନରୁ ସ୍ପାଇସ୍ ଜେଟରେ ଯାତ୍ରା ପାଇଁ ଟିକେଟ ବୁକିଂ ଆରମ୍ଭ ହୋଇଯାଇଛି ବୋଲି ସ୍ପାଇସ୍ ଜେଟ୍ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ କହିଛନ୍ତି।
/sambad/media/post_attachments/wp-content/uploads/2019/02/download-90-300x152.jpg)
ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ସ୍ପାଇସ୍ ଜେଟ୍ କର୍ତ୍ତୃପକ୍ଷ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପରିଦର୍ଶନ କରିଥିଲେ। ସଂସ୍ଥାର ଏକ ଆଠଜଣିଆ ପ୍ରତିନିଧ ଦଳ ଝାରସୁଗୁଡ଼ାରେ ପହଞ୍ଚି ବିମାନ ବନ୍ଦରର ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥା ସହ ଯାତ୍ରୀଙ୍କ ପାଇଁ ଥିବା ବିଭିନ୍ନ ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରିଥିଲେ। ବିମାନ ବନ୍ଦର ନିର୍ଦ୍ଦେଶକ ଏସ୍.କେ. ଚେହାନ ସ୍ପାଇସ୍ ଜେଟ୍ କର୍ତ୍ତୃପକ୍ଷଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ବିମାନ ବନ୍ଦରର ସମସ୍ତ ବ୍ୟବସ୍ଥା ସଂପର୍କରେ ଅବଗତ କରିଥିଲେ। ପରିଦର୍ଶନ ପରେ ଟିମ୍ ପଦାଧିକାରୀମାନେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବିମାନ ସେବା ପ୍ରଦାନ କରିବେ ସୂଚନା ଦେଇଥିଲେ।
Follow Us