ଖେଳ ଶିକ୍ଷକ ନାହାନ୍ତି ବୋଲି ରୁଟିନ୍‌ରୁ ଖେଳ ପିରିୟଡ ବାଦ୍ ପଡ଼ିଲା

ରାଜ୍ୟ ଓ କେନ୍ଦ୍ର ସରକାର ସ୍କୁଲରେ ପାଠପଢ଼ା ସାଙ୍ଗକୁ ଖେଳକୁଦକୁ ଅଧିକ ଗୁରୁତର ସହ ନେଉଥିବା ଡିଣ୍ଡିମ ପିଟୁଥିବା ବେଳେ ନାଲକୋ ନଗରର ନବରତ୍ନ ଉଦ୍ୟୋଗ ନାଲକୋ ଜୁନିୟର ଦିଲ୍ଲୀ ପବ୍ଲିକ ସ୍କୁଲ (ଡିପିଏସ)ର ରୁଟିନ୍‌ରେ ଖେଳ ପରିୟଡ ନାହିଁ....

sports period was dropped from the routine due to the absence of a sports teacher.

sports period was dropped from the routine due to the absence of a sports teacher. Photograph: (sambad.in)

ନାଲକୋ ନଗର: ନାଲକୋ ନଗର ଜୁନିୟର ଦିଲ୍ଲୀ ପବ୍ଲିକ ସ୍କୁଲରେ  ଦୀର୍ଘ ଦିନ ଧରି ଖେଳ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଖେଳର ଭିତ୍ତିଭୂମି  ଥାଇ ମଧ୍ୟ କୌଣସି କାର୍ଯ୍ୟରେ ବି ଆସୁ ନାହିଁ। ରାଜ୍ୟ ଓ କେନ୍ଦ୍ର ସରକାର ସ୍କୁଲରେ ପାଠପଢ଼ା ସାଙ୍ଗକୁ ଖେଳକୁଦକୁ ଅଧିକ ଗୁରୁତର ସହ ନେଉଥିବା  ଡିଣ୍ଡିମ ପିଟୁଥିବା ବେଳେ ନାଲକୋ ନଗରର ନବରତ୍ନ ଉଦ୍ୟୋଗ ନାଲକୋ ଜୁନିୟର ଦିଲ୍ଲୀ ପବ୍ଲିକ ସ୍କୁଲ (ଡିପିଏସ)ର ରୁଟିନ୍‌ରେ ଖେଳ ପରିୟଡ ନାହିଁ।

ସ୍କୁଲରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨ହଜାର ଛାତ୍ରଛାତ୍ରୀ ଓ  ଷଷ୍ଠରୁ +୨ପର୍ଯ୍ୟନ୍ତ ୧୨ଶହ ଛାତ୍ର ଛାତ୍ରୀ ପଢୁଛନ୍ତି। ନର୍ସରୀ ଠାରୁ ଆରମ୍ଭ କରି +୨ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ  ସ୍କୁଲ ରୁଟିନ୍‌ରେ  ସପ୍ତାହରେ ଗୋଟିଏ ଦିନ ଖେଳକୁଦ ଓ ଶାରୀରିକ ବ୍ୟାୟାମ, ଯୋଗ କରିବା ପାଇଁ ଗୋଟିଏ ପିରିୟଡ ରହି ଥାଏ ମାତ୍ର  ଡିପିଏସ ସ୍କୁଲରେ ଖେଳକୁଦ କରିବା ପାଇଁ କୌଣସି ପିରିୟଡ ନଥିବା ଦେଖିବାକୁ ମିଳିଛି।


ସୂଚନା ଅନୁଯାୟୀ ନାଲକୋ ଡିପିଏସ ସ୍କୁଲରେ ଖେଳ ଶିକ୍ଷକ ନଥିବାରୁ ଚଳିତ ବର୍ଷ ୨୦୨୫-୨୬  ଶିକ୍ଷା ବର୍ଷରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ଖେଳକୁଦ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଯାହା ଫଳରେ ଖେଳ ଭଳି ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ସ୍କୁଲ ଛାତ୍ରଛାତ୍ରୀ। ସ୍କୁଲ କର୍ତ୍ତୃପକ୍ଷ ଜାଣିଶୁଣି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦେଉଥିବା ଅଭିଯୋଗ ହୋଇଛି।

ପାଠପଢ଼ା ସାଙ୍ଗକୁ ନାଚିବା ଖେଳିବା ପାଇଁ ପିଲାମାନେ ସ୍କୁଲକୁ ଆସୁଛନ୍ତି। ନୃତ୍ୟଗୀତ, ଖେଳକୁଦ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପଢାଇ ଏକ ସୁସ୍ଥ ଉଦାହରଣ ସୃଷ୍ଟି କରିଥାନ୍ତି ଖେଳ ଶିକ୍ଷକ। ଖାଲି ଏତିକି ନୁହେଁ, ବିଦ୍ୟାଳୟରେ ପିଲାମାନଙ୍କୁ ‌‌ଯୋଗ ଶିକ୍ଷା ଦେବା ନିହାତି ଆବଶ୍ୟକ। ଯାହା ଫଳରେ ପାଠପଢା ପ୍ରତି ପିଲାମାନଙ୍କ ଆଗ୍ରହ ବଢାଇବାରେ ଏହି ପ୍ରୟାସ ସଫଳ ହେଉଥିଲା ବେଳେ ସେମାନଙ୍କୁ ମାନସିକ ଓ ଶାରୀରିକ ସୁସ୍ଥ ବିକାଶ ରଖିବାରେ ବି ସହାୟକ ହୋଇଥାଏ।

ପାଠପଢାକୁ ନେଇ ପିଲାମାନେ ଯେମିତି ଚାପଗ୍ରସ୍ତ  ନ ହେବେ ଓ ଖୁସିରେ ଖୁସିରେ ପାଠ ପଢିବେ ତାକୁ ଏଠା‌‌ରେ ଗୁରୁତ୍ବ ଦିଆଯିବା କଥା ଯାହା ଫଳରେ ପାଠପଢା ‌ଏବେ ପିଲାଙ୍କ ପାଇଁ ବୋଝ ନ ହୋଇ ମନୋରଂଜନର ଏକ ମାଧ୍ୟମ ହେବା କଥା। ନିୟମିତ ଶ୍ରେଣୀକୁ ଆସିବା‌ ସହ ଆନନ୍ଦରେ ପାଠପଢ଼ା ପ୍ରକ୍ରିୟାରେ ସାମିଲ ହୋଇ ଥାନ୍ତି। ମାତ୍ର ଗତ ୨୦୨୩ମସିହାରେ ସ୍କୁଲର ବରିଷ୍ଠ ଖେଳ ଶିକ୍ଷକଙ୍କ ଅବସର ଗ୍ରହଣ କରିଥିଲେ।

ପରେ ଆଡହକରେ ଏକ ବର୍ଷ ପାଇଁ ଖେଳ ଶିକ୍ଷକ ରଖିଥିଲେ। ଏକ ବର୍ଷ ପୂରଣ ହୋଇଯିବା ପରଠାରୁ ଉଭୟ ସିନିୟର୍ ଓ ଜୁନିଅର ସ୍କୁଲରେ ଖେଳ ଶିକ୍ଷକ ନାହାନ୍ତି। ଯାହା ଫଳରେ ସ୍କୁଲ ଛାତ୍ରଛାତ୍ରୀ କ୍ଲାସ ରୁମର ଚାରି କାନ୍ଥ ଭିତରୁ ନ ବାହାରି ବା ଫଳରେ ଆଉଟୁ ପାଉଟୁ ହୋଇ ପଡିଛନ୍ତି। କିଛି ଛାତ୍ରଛାତ୍ରୀ ଟିକିଏ ଖେଳି ଯିବା ପାଇଁ ଆଉଟୁ ପାଉଟୁ ହେଉଥିବା ଦେଖିବାକୁ ମିଳିଛି। 

ଚଳିତ ବର୍ଷ ଖେଳ ଶିକ୍ଷକ ନିଯୁକ୍ତି ପାଇଁ  ବିଜ୍ଞାପନ ବାହାରିଛି ମାତ୍ର ସ୍କୁଲର ୨୦୨୫-୨୬ ଶିକ୍ଷା ବର୍ଷ ଅଧା ପାର ହୋଇ ସାରିଲାଣି। ହେଲେ ଶିକ୍ଷକଙ୍କୁ ନିଯୁକ୍ତି ପ୍ରକ୍ରିୟା ତ୍ବରାନିତ ହୋଇ ପାରିନାହିଁ।

କିଛି ମାସ ତଳେ ସ୍କୁଲରେ ଥିବା ଆଡହକ ଖେଳ ଶିକ୍ଷକଙ୍କ  ଏକ ବର୍ଷ ପୂରଣ ହୋଇ ଯିବାରୁ ସ୍କୁଲ ପରିଚାଳନା କମିଟି କର୍ତ୍ତୃପକ୍ଷ  ଶିକ୍ଷକଙ୍କୁ ମନା କରିବା ପରେ  ଖେଳ ଶିକ୍ଷକ ନଥିବାରୁ ସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କ ରୁଟିନ୍‌ରୁ ଖେଳ ପିରିୟଡକୁ ଉଠାଇ ଦେଇଛନ୍ତି। ମାତ୍ର ଚଳିତ ଶିକ୍ଷା ବର୍ଷ ପାଇଁ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ଦିଆଯାଇଥିବା ବେଳେ ଏ ପର୍ଯ୍ୟନ୍ତ ସ୍କୁଲ କର୍ତ୍ତୃପକ୍ଷ ଖେଳ ଶିକ୍ଷକ ନିଯୁକ୍ତି କରି ନଥିବା ସୂଚନା ରହିଛି।

ସ୍କୁଲର ଜଣେ ବରିଷ୍ଠ ଶିକ୍ଷକଙ୍କ କହିବା ଅନୁଯାୟୀ ଖରା ଛୁଟି ମେ’ ମାସରେ ଭୁବନେଶ୍ବର କର୍ପୋରେଟ କାର୍ଯ୍ୟାଳୟ ଉଚ୍ଚ ପଦସ୍ତ ଅଧିକାରୀ ମାନଙ୍କୁ ନେଇ ନାଲକୋର ଦୁଇଟି ସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଁ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। 

ସ୍କୁଲ ଖୋଲିବା ପୂର୍ବରୁ ନିଯୁକ୍ତି ହେବାକୁ ନିଷ୍ପତି ନିଆଯାଇଥିଲା ମାତ୍ର ସମସ୍ତ ଯୋଜନା ଫେଲ୍ ମାରିଛି। ସ୍କୁଲ କର୍ତ୍ତୃପକ୍ଷଙ୍କ ଭୁଲ୍ ପାଇଁ ସମସ୍ତ ଛାତ୍ରଛାତ୍ରୀମାନେ ଖେଳରୁ ବଞ୍ଚିତ ହେଉଛନ୍ତି ଏବଂ  ବାଲ ବାଟିକା-୩ରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ କହିବାରୁ ଗତ କିଛି ଦିନ ତଳେ ପିଲାମାନେ ସ୍କୁଲରେ ଯୋଗ ଦେଇଥିଲେ ମାତ୍ର ଶିକ୍ଷକ ଅଭାବ କାରଣରୁ ନାଚ ଓ ସଙ୍ଗୀତ ଶିକ୍ଷକ ବାଲ ବାଟିକା-୩ ପିଲାଙ୍କୁ ପାଠ ପଢ଼ାଉଛନ୍ତି ।

ବଡ଼ ଦୁଃଖର ବିଷୟ ବାଲ ବାଟିକା-୧ ରେ ୨ଶହରୁ ଅଧିକ ଆଡମିନସନ୍ ହୋଇ ଥିଲେ ମଧ୍ୟ ଶିକ୍ଷକ ନଥିବା କାରଣରୁ ଏପର୍ଯ୍ୟନ୍ତ ସ୍କୁଲକୁ ଆସିନାହାନ୍ତି। ଯାହା ଫଳରେ  ଅଭିଭାବକମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ପଦକ୍ଷେପକୁ ନା ପସନ୍ଦ କରିଛନ୍ତି।

ବଅଁରପାଳ ବ୍ଲକ ଶିକ୍ଷା ଅଧିକାରୀ ମାନସ ରଞ୍ଜନ ପୃଷ୍ଟି କୁହନ୍ତି, ନାଲକୋ ଦିଲ୍ଲୀ ପବ୍ଲିକ ସ୍କୁଲ କର୍ତ୍ତୃପକ୍ଷଙ୍କ  ଅବହେଳା ଯୋଗୁ ବିଭିନ୍ନ ସମସ୍ୟା ମୁଣ୍ଡ ଟେକୁଛି। ବାରମ୍ବାର ତାଗିଦ୍ କରିବା ପରେ ମଧ୍ୟ ସୁଧାର ଆସୁନାହିଁ। ରୁଟିନ୍‌ରେ ଖେଳ ପିରିୟଡ ନଥିବା ଘଟଣା ଅଭିଭାବକଙ୍କ ଠାରୁ ସୂଚନା ପାଇଛି। ଖୁବ୍ ଶୀଘ୍ର ଏ ବିଷୟରେ ସ୍କୁଲ କର୍ତ୍ତୃପକ୍ଷାଙ୍କ ସହ ଆଲୋଚନା କରିବି ବୋଲି ପ୍ରକାଶ କରିଥିଲେ।  ଜଣାଶୁଣା ସ୍କୁଲ ଏଭଳି ଭୁଲ୍ କରିବା ନିନ୍ଦନୀୟ।

ଖେଳକୁଦ ,ଯୋଗ ଓ ପ୍ରାଣାୟାମ କରିବା ଦ୍ବାରା ଛାତ୍ର ଛାତ୍ରୀଙ୍କ ଏକାଗ୍ରତା ବଢୁଥିଲା ଓ ମନ ପ୍ରଫୁଲ୍ଲ ରୁହେ। ଯାହା ଫଳରେ  ଶରୀର ସୁସ୍ଥ ରହିବାରେ ସହାୟକ ହୋଇଥାଏ ବୋଲି ବରିଷ୍ଠ ଖେଳ ଶିକ୍ଷକ ଗଦାଧର ପାଣିଗ୍ରାହୀ  କହିଛନ୍ତି।

ସେହିପରି ଅନ୍ୟ ଜଣେ ଖେଳ ଶିକ୍ଷକ ବିଜୟ କୁମାର ବିଶ୍ୱାଳ କହିଛନ୍ତି, ସ୍କୁଲ ଛାତ୍ରଛାତ୍ରୀ ସ୍କୁଲ ଚାରୀ କାନ୍ଥ ମଧ୍ୟରେ ରହୁଛନ୍ତି। ମାତ୍ର ଖେଳ ପଡିଆକୁ ନ ଗଲେ ଛାତ୍ର ଛାତ୍ରୀମାନଙ୍କ ଖେଳ ବିନା ମାନସିକ, ଶାରୀରିକ, ବୌଦ୍ଧିକ ସାମାଜିକର ବିକାଶ ସମ୍ଭବ ନୁହେଁ। ଖେଳ ସପ୍ତାହକୁ ଦୁଇଟି ଦିନ ସ୍ବାସ୍ଥ୍ୟ ଏବଂ ଶରୀରିକ ଶିକ୍ଷା ଓ ମାସ୍ ଡ୍ରିଲ୍‌ର ଆବଶ୍ୟକତା ରହିଛି।

ଦାୟିତ୍ଵରେ ଥିବା  ଦିଲ୍ଲୀ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ମାଧବ  ବେହେରା କୁହନ୍ତି, ସ୍କୁଲରେ ଖେଳ ଶିକ୍ଷକ ନଥିବାରୁ ନାଲକୋ ଡିପିଏସ ସ୍କୁଲ ପକ୍ଷରୁ ନିଯୁକ୍ତି ବାହାର କରାଯାଇଛି। ଖୁବ୍ ଶୀଘ୍ର ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନିତ ଆରମ୍ଭ  ହେବ ବୋଲି ପ୍ରକାଶ କରିଛନ୍ତି।

 angul 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe