ବିଦ୍ୟାଳୟସ୍ତରରେ ‘କ୍ରୀଡ଼ା ପ୍ରତିଭା ଅନ୍ୱେଷଣ’ କାର୍ଯ୍ୟକ୍ରମ 

Advertisment
ବିଦ୍ୟାଳୟସ୍ତରରେ ‘କ୍ରୀଡ଼ା ପ୍ରତିଭା ଅନ୍ୱେଷଣ’ କାର୍ଯ୍ୟକ୍ରମ 

ସୁନ୍ଦରଗଡ଼: ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଦ୍ୟାଳୟସ୍ତରରେ ‘କ୍ରୀଡ଼ା ପ୍ରତିଭା ଅନ୍ୱେଷଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ଦେବା ପାଇଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ବ୍ଲକ୍ ଓ ପୌରାଞ୍ଚଳ ସ୍ତରରେ ମନୋନୟନ ପ୍ରକ୍ରିୟା ଶେଷ ହୋଇଛି। ହକିର ଗଡ଼ ସୁନ୍ଦରଗଡ଼ରେ କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହନ ଦେଇ ଭବିଷ୍ୟତରେ ଜିଲ୍ଲାରୁ ଅଧିକ ସଂଖ୍ୟାରେ କ୍ରୀଡ଼ା ତାରକା ସୃଷ୍ଟି କରିବାରେ ‘କ୍ରୀଡ଼ା ପ୍ରତିଭା ଅନ୍ୱେଷଣ’ କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ ବୋଲି କୁହାଯାଉଥିବା ବେଳେ ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୩,୩୫୨ ଛାତ୍ରଛାତ୍ରୀ ଅନଲାଇନ୍ରେ ନାମ ପଞ୍ଜୀକରଣ କରିଥିଲେ। ଯେଉଁମାନେ ଅନ୍ଲାଇନ୍ ପଞ୍ଜୀକରଣ କରିପାରି ନଥିଲେ, ସେମାନେ ଅନ୍ ସ୍ପଟ୍ ପଞ୍ଜୀକରଣ କରି ମନୋନୟନ ପ୍ରକ୍ରିୟାରେ ସାମିଲ ହୋଇଥିଲେ।

ଏହି କାର୍ଯ୍ୟକ୍ରମ ଜରିଆରେ ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକ ସମେତ ରାଉରକେଲା ଓ ବୀରମିତ୍ରପୁର ପୌରାଞ୍ଚଳରେ ସେଣ୍ଟର କରାଯାଇ କ୍ରୀଡ଼ା ପ୍ରତିଭା ଚିହ୍ନଟ ପ୍ରକ୍ରିୟା ଚାଲିଥିଲା। ପ୍ରଥମେ ବାଳକ ବାଳିକାମାନଙ୍କର ପ୍ରମାଣପତ୍ର ଯାଞ୍ଚ ସହ ଉଚ୍ଚତା ଏବଂ ଓଜନ ମାପ କରାଯାଇଥିଲା। ଏହାପରେ ସେମାନଙ୍କର ୩୦ ମିଟର ଦୌଡ଼ ଓ ଷ୍ଟାଣ୍ଡିଂ ବ୍ରଡ୍ ଜମ୍ପ ପରୀକ୍ଷା ନିଆଯାଇଥିଲା। ବ୍ଲକ୍ ଓ ପୌରାଞ୍ଚଳସ୍ତରରୁ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନେ ପରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ସେଠାରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେଇ ଯେଉଁମାନେ ଉତ୍ତୀର୍ଣ୍ଣ ହେବେ, ସେମାନଙ୍କୁ ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ରଖାଯାଇ ପ୍ରଶିକ୍ଷଣ ଦିଆଯିବ। ସେଠାରେ ତୀରନ୍ଦାଜୀ, ଦୌଡ଼କୁଦ, ସାଇକେଲ ଚାଳନା, ବାସ୍କେଟବଲ, ଫୁଟବଲ, ଜିମ୍ନାଷ୍ଟିକ, ହକି, ଜୁଡୋ, କବାଡି, ଖୋଖୋ, ଭଲିବଲ ଏବଂ କୁସ୍ତି ଭଳି ୧୨ଟି ଶୃଙ୍ଖଳାରେ ତାଲିମ ପ୍ରଦାନ କରାଯିବ। ଫଳରେ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ନିଜକୁ ଜଣେ ଭଲ କ୍ରୀଡ଼ାବିତ୍ ଭାବେ ଗଢ଼ିବାର ସୁଯୋଗ ପାଇବେ। ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଶାନ୍ତ ତରାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମେ’ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ଏହି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଚାଲିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe