Image Courtesy of East Coast Daily English
ଅନୁଗୁଳ : ଜାଲ୍ ସାର୍ଟିଫିକେଟ୍ ଦେଇ ସରକାରୀ କ୍ରୀଡ଼ା ଶିକ୍ଷୟିତ୍ରୀ ହେବା ମହଙ୍ଗା ପଡ଼ିଛି। ଏନେଇ ଥାନାରେ ମାମଲା ରୁଜୁ ହେବାର ଠିକ୍ ୧୦ଦିନ ପରେ ଅନୁଗୁଳ ଟାଉନ୍ ଥାନା ପୁଲିସ ମୋଟ୍ ୧୦ଜଣ ପିଇଟି ଶିକ୍ଷକଙ୍କ ମଧ୍ୟରୁ ଜଣଙ୍କୁ ଆଜି ଗିରଫ କରିଛି।
ଗିରଫ ଶିକ୍ଷୟିତ୍ରୀ ହେଲେ, ସୁପ୍ରଭା ସାହୁ। ସୁପ୍ରଭାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଗୋବିନ୍ଦପୁର ଗାଁ। ସେ କଟକ ଜିଲ୍ଲା ତିଗିରିଆସ୍ଥିତ ପ୍ରସନ୍ନମଣି କଲେଜ ଅଫ୍ ଫିଜିକାଲ୍ ଏଜୁକେସନ୍ ଆଣ୍ଡ ଯୋଗ କଲେଜ ନାଁରେ ଜାଲ୍ ସାର୍ଟିଫିକେଟ୍ ତିଆରି କରିଥିଲେ। ୨୦୦୩ ମସିହା ଅଗଷ୍ଟ ମାସରେ କଲେଜରୁ ପାସ୍ କରିଛନ୍ତି ବୋଲି ସାର୍ଟିଫିକେଟ୍ ଦେଇ ୨୦୧୬ ମସିହାରୁ ବଳରାମପ୍ରସାଦ ହାଇସ୍କୁଲରେ ଚାକିରି କରି ଆସୁଥିଲେ। ସେ ଦେଇଥିବା ସାର୍ଟିଫିକେଟ୍ ନକଲି ବୋଲି ଜଣାପଡ଼ିବାପରେ ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗ ସୁପ୍ରଭାଙ୍କ ସମେତ ମୋଟ୍ ୧୦ଜଣ ନକଲି ପିଇଟିଙ୍କ ନାଁରେ ଥାନାରେ ଏତଲା ଦେଇଥିଲା। ଏତଲା କ୍ରମେ ୧୦ଜଣଙ୍କ ମଧ୍ୟରୁ ସୁପ୍ରଭାଙ୍କୁ ଆଜି ଅନୁଗୁଳ ଟାଉନ୍ ଥାନା ପୁଲିସ ବଳରାମପ୍ରସାଦର ଏକ ଭଡ଼ାଘରୁ ଗିରଫ କରିଛି।
ସୁପ୍ରଭାଙ୍କ ଗିରଫ ପରେ ଅନ୍ୟ ୯ ଜଣ ପିଇଟିଙ୍କ ମଧ୍ୟରେ ଛନକା ପଶିଛି। ସେମାନେ ହେଲେ, ଢେଙ୍କାନାଳ ସଦର ଥାନା କାଇମାଟି ବାଉତିବେରେଣାର ମଧୁସୂଦନ ସାହୁଙ୍କ ପୁଅ ମହେଶ୍ବର ସାହୁ, ଢେଙ୍କାନାଳ ସଦର ଥାନା ମହାପଦା ନାଥୁଆ ଗାଁର ପ୍ରେମାନନ୍ଦ ଦେହୁରୀଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ବିଶ୍ବାଳ, ନାଥୁଆର ଶରତ ଦେହୁରୀଙ୍କ ଝିଅ ପ୍ରିୟମ୍ବଦା ଦେହୁରୀ, ସାରଙ୍ଗଧର ଦେହୁରୀଙ୍କ ପୁଅ ସୁନିଲ ଦେହୁରୀ, ପ୍ରଭାକର ନାଏକଙ୍କ ପୁଅ ସୁନିଲ କୁମାର ନାଏକ, କୃଷ୍ଣଚନ୍ଦ୍ର ଦେହୁରୀଙ୍କ ପୁଅ କମଳ କୁମାର ଦେହୁରୀ, ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ନାଧରା ଗାଁର ପ୍ରଦୀପ ପୃଷ୍ଟିଙ୍କ ସ୍ତ୍ରୀ ରୀନା ସ୍ବାଇଁ, ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଛୋଟାପଡ଼ା ଗାଁର ଖଗେଶ୍ବର ବେହେରାଙ୍କ ପୁଅ ମନୋଜ ବେହେରା, କଟକ ଜିଲ୍ଲା ତିଗିରିଆ ଥାନା ମାନପୁର ଗାଁର ପବିତ୍ର ମୋହନ ବେହେରାଙ୍କ ପୁଅ ଶୁଭ୍ରକାନ୍ତ ବେହେରା। ଜାଲିଆତି କରିଥିବା ଏହି ଶିକ୍ଷକମାନେ କେବେ ବନ୍ଧାହେବେ ତା ଉପରେ ଶିକ୍ଷକମହଲର ନଜର ରହିଛି। ଏମାନଙ୍କୁ ଗିରଫ କରିବା ଯେତିକି ଗୁରୁତ୍ବପୂର୍ଣ୍ଣ, ତାଠାରୁ ବେଶି ମହତ୍ତ୍ବ ରଖୁଛି ସେମାନେ କେଉଁଠାରୁ ଜାଲ୍ ସାର୍ଟିଫିକେଟ୍ ଆଣିଥିଲେ? ଜାଲ୍ ସାର୍ଟିଫିକେଟ୍ ପଛରେ କେଉଁ ରୢାକେଟ୍ କେଉଁ ଯାଏ କାମ କରୁଛି? ଜାଲିଆତି କରିଥିବା ନକଲି ଶିକ୍ଷକମାନଙ୍କୁ ଜେରା କଲେ ଏହା ପଛର ଅସଲ ମୁଖା ଖୋଲି ପାରିବ ବୋଲି କୁହାଯାଉଛି।
Follow Us