ପ୍ରଧାନ ଶିକ୍ଷକଙ୍କୁ ଡିଇଓଙ୍କ ନିର୍ଦ୍ଦେଶନାମା: କ୍ରୀଡ଼ା ଶିକ୍ଷକ ପଢ଼ାଇବେ ମାତୃଭାଷା!

Advertisment
୧୦୬ ହାଇସ୍କୁଲରେ ‌ଖୋଲିବ ଏକାଦଶ

Republic World

ଢେଙ୍କାନାଳ : ଓଡ଼ିଆ, ଭୂଗୋଳ, ଇତିହାସ ପଢ଼ାଇବେ କ୍ରୀଡ଼ା ଶିକ୍ଷକ। କେବଳ କ୍ରୀଡ଼ା ନୁହେଁ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ବି ଏହି ସବୁ ଅତିରିକ୍ତ ବିଷୟ ପଢ଼ାଇବାକୁ ବାଧ୍ୟ। ଦୁଇଦିନ ତଳେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ଏ ପ୍ରକାର ସରକାରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶନାମାକୁ କେହି ଖିଲାପ କଲେ ଶିକ୍ଷା ବିଭାଗକୁ ତୁରନ୍ତ ଜଣାଇବାକୁ ସମସ୍ତ ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଖେଳ ଶିକ୍ଷକଙ୍କୁ ମାତୃଭାଷା ବିଷୟ ପଢ଼ାଇବାର ଦାୟିତ୍ବ ଢେଙ୍କାନାଳ ଜିଲ୍ଲା ଶିକ୍ଷା ବିଭାଗର ଶିକ୍ଷକ ଅଭାବ ସ୍ଥିତିକୁ କେବଳ ଦର୍ଶାଇଉନାହିଁ, ବରଂ ଏ ବିଭାଗର ଶିକ୍ଷକଙ୍କୁ ସେ ବିଭାଗର ଶିକ୍ଷାଦାନ ଦାୟିତ୍ବ ଦେଇ ସରକାରଙ୍କ ୫-ଟି ହାଇସ୍କୁଲଗୁଡ଼ିକରେ କେମିତି କାମଚଳା ଶିକ୍ଷାଦାନ ଚାଲିଛି ତାହା ବି ଦର୍ଶାଇ ଦେଉଛି।

ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲାର ପ୍ରାୟ ୧୫୦ ଶହ ହାଇସ୍କୁଲ୍‌କୁ ସରକାର ୫-ଟି ସ୍କୁଲ୍‌ ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ୍‌ କରିଛନ୍ତି। ଚକାଚକ୍‌ ବିଲ୍‌ଡିଂ, ସ୍ମାର୍ଟ ଶ୍ରେଣୀକକ୍ଷଠାରୁ ଆରମ୍ଭ କରି ଲାଇବ୍ରେରି ଯାଏ ସରକାର ଏହି ସ୍କୁଲ୍‌ଗୁଡ଼ିକରେ ସବୁ ପ୍ରକାର ବ୍ୟବସ୍ଥା ଖଞ୍ଜି ଦେଇଛନ୍ତି। କେବଳ ରୂପାନ୍ତରଣ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାରେ ୬୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଭିତ୍ତିଭୂମି ସିନା ଚକାଚକ୍‌ ହୋଇଗଲା, କିନ୍ତୁ ଶିକ୍ଷକ ଅଭାବ ସମସ୍ୟା ଦୂର ହେଲାନି। ନିକଟରେ ସରକାର ଯେଉଁ ହାଇସ୍କୁଲ ଶିକ୍ଷକଙ୍କୁ ନିଯୁକ୍ତି ଦେଲେ, ସେଥିରୁ ଢେଙ୍କାନାଳ ଜିଲ୍ଲା ଭାଗରେ ବି କିଛି ପଡ଼ିଛି। ସ୍କୁଲ୍‌ଗୁଡ଼ିକରେ ଶିକ୍ଷକମାନେ ନିଯୁକ୍ତ ହୋଇ ପାଠ ବି ପଢ଼ାଇଲେଣି। ତଥାପି, ଜିଲ୍ଲାରେ ଶିକ୍ଷକ ଅଭାବ ସମସ୍ୟା ଯେ ହଟି ନାହିଁ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଏହି ନିର୍ଦ୍ଦେଶନାମା ଦର୍ଶାଇ ଦେଇଛି। ଚିଠି ନମ୍ବର ୧୧୨୭୭, ତାରିଖ ୧୧.୦୮.୨୦୨୨ରେ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ଜିଲ୍ଲାର ସବୁ ହାଇସ୍କୁଲ୍‌କୁ ସ୍ପଷ୍ଟ ଭାବେ ଲିଖିତ ନିର୍ଦ୍ଦେଶନାମା ଦେଇଛନ୍ତି, ହାଇସ୍କୁଲ୍‌ରେ ନିୟୋଜିତ ହିନ୍ଦୀ, ସଂସ୍କୃତ ଏବଂ ପିଇଟି ଶିକ୍ଷକଙ୍କ କ୍ଲାସ୍‌ ସଂଖ୍ୟା ଦିନକୁ ଦିନ କମୁଛି। ତେଣୁ, ସେମାନଙ୍କର ବଳକା ସମୟକୁ ଉପଯୋଗ କର। ନିଜ ନିଜ ବିଷୟ ବାଦ୍‌ ବିଦ୍ୟାଳୟର ଅତିରିକ୍ତ କ୍ଲାସ୍‌ ଦାୟିତ୍ବ ଦେବାକୁ କୁହାଯାଇଛି। ବିଶେଷ କରି ହିନ୍ଦୀ, ସଂସ୍କୃତ ଏବଂ କ୍ରୀଡ଼ା ଶିକ୍ଷକଙ୍କୁ ଇତିହାସ, ଭୂଗୋଳ ଏବଂ ମାତୃଭାଷା ବିଷୟ ପଢ଼ାଇବା ଦାୟିତ୍ବ ଦେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶର ଖିଲାପ ହେଲେ ତୁରନ୍ତ ଜଣାଇବାକୁ ଚିଠିରେ ପ୍ରଧାନ ଶିକ୍ଷକମାନଙ୍କୁ କୁହାଯାଇଛି।

ନିର୍ଦ୍ଦେଶନାମା ସପକ୍ଷରେ ଯୁକ୍ତି ବାଢ଼ି ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି କହିଛନ୍ତି, ହାଇସ୍କୁଲ୍‌ରେ ଅଧିକାଂଶ ଶିକ୍ଷକ ବସି ରହୁଛନ୍ତି। ଏମିତି ବି ଅନେକ ସ୍କୁଲ୍ ଅଛି, ଯେଉଁଠି ଛାତ୍ରଛାତ୍ରୀମାନେ ହିନ୍ଦୀ ବିଷୟକୁ ଚୟନ କରୁନାହାନ୍ତି। ତେଣୁ, ସ୍କୁଲ୍‌ରେ ହିନ୍ଦୀ କ୍ଲାସ୍‌ ହେଉନାହିଁ। ସେ ଶିକ୍ଷକମା‌ନେ ଗୋଟିଏ ପଟେ ବସି ବସି ଦରମା ନେଉଥିବା ବେଳେ ଅନ୍ୟପଟେ ଶିକ୍ଷକ ଅଭାବ ଯୋଗୁଁ ବିଦ୍ୟାଳୟର ଶୈକ୍ଷିକ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଛି। ଶିକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀମତୀ ପାଣି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe