ମାଲକାନଗିରି : ବୁଡ଼ି ଯାଉଥିବା ବନ୍ଧୁକୁ ବଞ୍ଚାଇବା ପାଇଁ ପୋଖରୀକୁ ଲମ୍ଫ ଦେଲେ। ଉବୁଟୁବୁ ହେଉଥିବା ବନ୍ଧୁ ସୁରକ୍ଷିତ ଭାବେ କୂଳକୁ ଚାଲି ଆସିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ମାତ୍ର ୧୧ବର୍ଷ ବୟସରେ ସବୁ ଦିନ ପାଇଁ ଦୁନିଆରୁ ବିଦାୟ ନେଲେ। ଜଣେ ବାଳକର ଏମିତି ବଳିଦାନର କାହାଣୀ ମାଲକାନଗିରି ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ ପୁଅକୁ ହରାଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ସୂଚନା ଅନୁଯାୟୀ, ସ୍ଥାନୀୟ ଦୀପ୍ତି କନଭେଣ୍ଟ ସ୍କୁଲର କିଛି ଛାତ୍ର ମଲିକେଶ୍ବର ନିକଟରେ ରହୁଥିବା ଜଣେ ଶିକ୍ଷକଙ୍କ ନିକଟକୁ ଟ୍ୟୁସନ୍ ଯାଉଥିଲେ। ଦୁଇ ଦିନ ତଳେ ଟ୍ୟୁସନ୍ରୁ ଘରକୁ ଫେରିବା ବଦଳରେ ଖେଳିବାକୁ ଚାଲି ଯାଇଥିଲେ। ପାଖ ପଡ଼ିଆରେ ଖେଳିବା ସମୟରେ ଯୁବରାଜ ସୁରାନା ନାମକ ଜଣେ ଛାତ୍ର ନିକଟସ୍ଥ ପୋଖରୀକୁ ଖସି ପଡ଼ିଥିଲେ। ବର୍ଷା ଯୋଗୁ ପୋଖରୀର ଜଳସ୍ତର ଅଧିକ ଥିବାରୁ ଯୁବରାଜ ବାହାରି ପାରି ନଥିଲେ। ସହପାଠୀ ବୁଡ଼ି ଯାଉଥିବା ଦେଖି ୧୧ବର୍ଷର ଶ୍ରବଣ ସାନା ନିଜକୁ ରୋକିପାରି ନଥିଲା। ତୁରନ୍ତ ପୋଖରୀକୁ ଡେଇଁଥିଲେ। ଯୁବରାଜକୁ କୌଣସି ପ୍ରକାର ବଞ୍ଚାଇ କୂଳକୁ ପଠାଇ ଦେଇଥିଲା। ଏହାପରେ ନିଜେ ପୋଖରୀରୁ ବାହାରିବା ବେଳକୁ ଭାଗ୍ୟ ସାଥ୍ ଦେଇ ନଥିଲା। କାଦୁଅରେ ଗୋଡ଼ ଫସି ଯାଇ ଆଉ ବାହାରି ନଥିଲା। ଅନ୍ୟ ସହପାଠୀ ତୁରନ୍ତ ସ୍ଥାନୀୟ ଲୋକଙ୍କୁ ସହାୟତା ପାଇଁ ଡାକ ପକାଇଥିଲେ। ଲୋକେ ପହଞ୍ଚିବା ବେଳକୁ ଶ୍ରବଣର ମୃତ୍ୟୁ ହୋଇଯାଇଥିଲା। ନିଜ ବନ୍ଧୁର ଜୀବନ ବଞ୍ଚାଇ ନିଜ ଜୀବନର ବଳିଦାନ ଦେଇଥିଲା ଶ୍ରବଣ। ବ୍ୟବସାୟୀ ରବି ସାନାଙ୍କ ଗୋଟିଏ ବୋଲି ପୁଅ ଥିଲା ଶ୍ରବଣ। ପୁଅକୁ ହରାଇ ପରିବାର ଏବେ ଭାଙ୍ଗି ପଡିଛନ୍ତି।
Follow Us