୨୦ ଯାଏ ବର୍ଷା, ବିଜୁଳି ଘଡ଼ଘଡ଼ି ପାଇଁ ଏସ୍‌ଆରସିଙ୍କ ସତର୍କତା

Advertisment
୨୦ ଯାଏ ବର୍ଷା, ବିଜୁଳି ଘଡ଼ଘଡ଼ି ପାଇଁ ଏସ୍‌ଆରସିଙ୍କ ସତର୍କତା

DNA India

ଭୁବନେଶ୍ବର : ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠାରୁ ପାଗରେ ପରିବର୍ତ୍ତନ ଆସିଛି। ଅଧିକାଂଶ ଅଞ୍ଚଳରେ ମେଘୁଆ ପାଗ ସାଙ୍ଗକୁ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ମଧ୍ୟ ହୋଇଛି। ଆଗାମୀ ୧୯ ତାରିଖ ଯାଏ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ରହିବାକୁ ଥିବାରୁ ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ମାର୍ଚ୍ଚ ୧୬, ୧୭ ଓ ୧୮ ତାରିଖରେ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ଝଡ଼ ପବନ ହେବାର ସମ୍ଭାବନା ରହିଛି। ୧୯ ଓ ୨୦ ତାରିଖରେ ମଧ୍ୟ କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି ଯେ ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ତେବେ ୧୭ ତାରିଖରୁ ବର୍ଷାର ବିସ୍ତୃତି ବଢ଼ିବ। ଗୁରୁବାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ପରବର୍ତ୍ତୀ ତିନି ଦିନରେ ଯଥାକ୍ରମେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ନୂଆପଡ଼ା, ଗଜପତି, ଗଞ୍ଜାମ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ଅନୁଗୁଳ, ଢେଙ୍କାନାଳ, ପୁରୀ ଜିଲ୍ଲାର ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ସ୍ଥାନେ ସ୍ଥାନେ ୪୦ରୁ ୫୦ କିମି ବେଗରେ ପବନ ବହିବ। ତାହାକୁ ନଜରରେ ରଖି ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେପଟେ ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି। କୌଣସି ପ୍ରକାର ବିପର୍ଯ୍ୟୟର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ଗତ ୩୬ଘଣ୍ଟା ମଧ୍ୟରେ କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇଛି। ନୟାଗଡ଼ର ଦଶପଲ୍ଲାଠାରେ ୪.୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଭବାନୀପାଟଣାରେ ୩.୮, ଦାରିଙ୍ଗବାଡ଼ିରେ ୨, କାଶୀପୁରରେ ୧ ମିମି ହୋଇଛି। ମେଘୁଆ ପାଗ ଫଳରେ ଆଜି ଦିନର ତାପମାତ୍ରା ବହୁ ପରିମାଣରେ ହ୍ରାସ ପାଇଛି। ଝାରସୁଗୁଡ଼ାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୭.୮ ଡିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ବର, କଟକ ପରି ଉପକୂଳବର୍ତ୍ତୀ ଅଞ୍ଚଳରେ ତାପମାତ୍ରା ୫ରୁ ୬ ଡିଗ୍ରି ପର୍ଯ୍ୟନ୍ତ କମିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe