ପୁରୀ: ଶ୍ରୀମୁଖରେ ପଦ୍ମ, ଶ୍ରୀହସ୍ତରେ ପଦ୍ମ, କରରେ କଦମ୍ବ ଫୁଲର କରପଲ୍ଲଭ, ହୃଦୟରେ ହୃଦ୍ପଦକ। ଶ୍ରୀପୟରରେ ମାଳା, ଫୁଲର ଝୁମ୍ପା ସାଙ୍ଗକୁ ଫୁଲର ଚିତା। ଜଳାଶୟ ଭିତରେ ହଂସ ହଂସରାଳି ଖେଳ। ବଡ଼ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା ଆଜି ରତ୍ନ ସିଂହାସନରେ ଏଭଳି ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଆଜି ରାତିରେ ବଡ଼ସିଂହାର ବେଳେ ମହାପ୍ରଭୁଙ୍କୁ ଏହି ବେଶ ଲାଗି ହୋଇଛି। ଏଣୁ ଆଜି ରାତ୍ର ପହୁଡ଼ ପର୍ଯ୍ୟନ୍ତ ଶ୍ରୀଜିଉ ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଆସନ୍ତାକାଲି ସକାଳେ ବି ଶ୍ରୀବିଗ୍ରହ ପଦ୍ମବେଶରେ ଦର୍ଶନ ଦେବେ। ଅବକାଶ ନୀତି ପୂର୍ବରୁ ବେଶ ଓଲାଗି ହେବ। ଦ୍ବିତୀୟ ଶନିବାର ଓ ରବିବାର, ଏଭଳି ଦୁଇଦିନ ଛୁଟି ରହିଥିବାରୁ ଭକ୍ତଙ୍କ ଭିଡ଼ ବଢ଼ିବା ସମ୍ଭାବନା ଥିବାରୁ ଜିଲ୍ଲା ପୁଲିସ ପକ୍ଷରୁ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।
ପରମ୍ପରା ଅନୁଯାୟୀ, ମାଘମାସ ଶୁକ୍ଳ ପ୍ରତିପଦାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାରରେ ମହାପ୍ରଭୁଙ୍କ ପଦ୍ମବେଶ ହୋଇଥାଏ। ବୁଧବାରରେ ନୀଳ ଘୋଡ଼ ସହ ଓ ଶନିବାରରେ କଳାଘୋଡ଼ ସହ ଶ୍ରୀଜିଉ ପଦ୍ମବେଶ ହେବାର ବିଧି ରହିଛି। ପ୍ରତିବର୍ଷ ଭଳି ଏହି ବେଶ ପ୍ରସ୍ତୁତି ପରେ ଆଜି ସନ୍ଧ୍ୟା ଆଳତି ସମୟରେ ବଡ଼ଛତା ମଠର ସାଧୁସନ୍ଥମାନେ ଦୁହୁଡ଼ି ଆଲୋକରେ ଘଣ୍ଟଘଣ୍ଟା ସହକାରେ ଶୋଭାଯାତ୍ରାରେ ବେଶକୁ ଶ୍ରୀମନ୍ଦିରକୁ ନେଇଥିଲେ। ରାତ୍ର ଚନ୍ଦନଲାଗି ବଢ଼ିବା ପରେ ବଡ଼ସିଂହାର ନୀତିରେ ଏହି ବେଶ ଲାଗି କରାଯାଇଥିଲା। ପଦ୍ମବେଶରେ ଏକପଣ(୮୦ଟି) ପଦ୍ମଫୁଲ, ଏକ ପଣ(୮୦ଟି) ଆମ୍ବ କସି, ୩ଟି ଶ୍ରୀମୁଖ ପଦ୍ମ, ୭ଟି ସିଂହାସନ ସହ ଗଛ, ୪ଟି ଶ୍ରୀହସ୍ତ ପଦ୍ମ କଢ଼, ୨୦ଟି କଦମ୍ବ ଫୁଲରେ ସୁସଜ୍ଜିତ କରପଲ୍ଲବ ମାଳ, ୪ଟି ମଗର କୁଣ୍ଡଳ, ୨ଟି ତିଳକ, ୪ଟି ହଂସ ଆଦି ଲାଗି କରାଯାଇଥିଲା। ସେହିଭଳି ବଡ଼ଛତା ମଠ ପକ୍ଷରୁ ଆସିଥିବା ତୁଳସୀ ମାଳ, ଗେଣ୍ଡୁମାଳ ଆଦି ବି ଲାଗି କରାଯାଇଥିଲା। ପଦ୍ମବେଶରେ ଠାକୁରମାନଙ୍କର ପହୁଡ଼ ନୀତି ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ଶନିବାରରେ ଏହି ବେଶ ପଡ଼ିଥିବାରୁ କଳାରଙ୍ଗର ଘୋଡ଼ ସହ ମହାପ୍ରଭୁଙ୍କ ପଦ୍ମବେଶ କରଯାଇଥିଲା। ସିଂଘାରୀ, ଖୁଣ୍ଟିଆ, ଚାଙ୍ଗଡ଼ା, ଗରାବଡ଼ୁ ପ୍ରମୁଖ ସେବକମାନେ ମହାପ୍ରଭୁଙ୍କ ଏହି ଦୁଲ୍ଲଭ ବେଶ କରିଥିଲେ। ବଡ଼ଛତା ମଠ ତରଫରୁ ପ୍ରଦତ୍ତ ଦ୍ରବ୍ୟରେ ଶ୍ରୀମନ୍ଦିର କୋଠଭୋଗ ଚୁଲିରେ ପ୍ରସ୍ତୁତ କ୍ଷୀରି, ଅମାଲୁ ଆଦି ଭୋଗ ଅର୍ପଣ କରାଯାଇଥିଲା। ଆସନ୍ତାକାଲି ଭକ୍ତମାନେ ମଙ୍ଗଳଆଳତିରେ ମହାପ୍ରଭୁଙ୍କ ପଦ୍ମବେଶ ଦର୍ଶନ କରିବେ।
Follow Us