୧୫ବର୍ଷ ଗୁପ୍ତରେ ରହିଥିଲେ ଶ୍ରୀଜଗନ୍ନାଥ: ତିଗିରିଆରେ ପ୍ରସନ୍ନ ଥିବାରୁ ଶ୍ରୀପ୍ରସନ୍ନ ପୁରୁଷୋତ୍ତମଦେବ ନାମ ରହିଲା

Advertisment

ଶ୍ରୀକ୍ଷେତ୍ରର ଦିନକ ପରେ ହୁଏ ରଥଯାତ୍ରା

ଶ୍ରୀକ୍ଷେତ୍ରର ଦିନକ ପରେ ହୁଏ ରଥଯାତ୍ରା

୧୫ବର୍ଷ ଗୁପ୍ତରେ ରହିଥିଲେ ଶ୍ରୀଜଗନ୍ନାଥ: ତିଗିରିଆରେ ପ୍ରସନ୍ନ ଥିବାରୁ ଶ୍ରୀପ୍ରସନ୍ନ ପୁରୁଷୋତ୍ତମଦେବ ନାମ ରହିଲା

ତିଗିରିଆ: କଟକ ଜିଲ୍ଲା ତିଗିରିଆର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀପ୍ରସନ୍ନ ପୁରୁଷୋତ୍ତମଦେବଙ୍କ ପୀଠର ସ୍ବତନ୍ତ୍ର ମାହାତ୍ମ୍ୟ ରହିଛି। ଏଠାରେ ମହାପ୍ରଭୁଙ୍କ ବିଗ୍ରହ ୧୫ ବର୍ଷ ଧରି ଗୁପ୍ତରେ ରହିଥିବାରୁ ଏହା ଗୁପ୍ତ ଶ୍ରୀକ୍ଷେତ୍ର ଭାବେ ପରିଚିତ। ସୂଚନା ଅନୁଯାୟୀ, ଦିଲ୍ଲୀର ସମ୍ରାଟ ଆଉରଙ୍ଗଜେବ ତତ୍କାଳୀନ ବଙ୍ଗ ନବାବଙ୍କୁ ପୁରୀ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମ୍ରାଟଙ୍କ ନିର୍ଦ୍ଦେଶରେ ବଙ୍ଗ ନବାବଙ୍କ ସେନାପତି ଆକ୍ରମ ଖାଁ ଆକ୍ରମଣ ପାଇଁ ଆସିଥିଲେ।ଏହିସମୟରେ ପୁରୀ ବଡ଼ଦେଉଳର ରତ୍ନ ସିଂହାସନରେ ଚନ୍ଦନ କାଠରେ ତିଆରି ଜଗନ୍ନାଥ ମହାପ୍ରଭୁଙ୍କ ବିଗ୍ରହ ରଖାଯାଇ ପ୍ରକୃତ ବିଗ୍ରହ ତିଗିରିଆରେ ଆଣି ଲୁଚାଇ ରଖାଯାଇଥିଲା। ତତ୍କାଳୀନ ତିଗିରିଆ ଗଡ଼ଜାତର ରାଜା ମହାପ୍ରଭୁଙ୍କ ବିଗ୍ରହକୁ ତିଗିରିଆରେ ୧୬୯୨ରୁ ୧୭୦୭ ମସିହା ପର୍ଯ୍ୟନ୍ତ ପ୍ରାୟ ୧୫ ବର୍ଷ ଧରି ଗୁପ୍ତ ଭାବେ ରଖି ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ଏହି ୧୫ ବର୍ଷ ପୁରୀ ଶ୍ରୀମନ୍ଦିରରେ କୌଣସି ନୀତି ଅନୁଷ୍ଠିତ ହୋଇ ନ ଥିଲା। ୧୭୦୭ ମସିହାରେ ସମ୍ରାଟ ଆଉରଙ୍ଗଜେବଙ୍କ ମୃତ୍ୟୁ ପରେ ତତ୍କାଳୀନ ପୁରୀ ଗଜପତି ତିଗିରିଆରେ ଗୁପ୍ତ ଭାବେ ପୂଜା ପାଉଥିବା ଶ୍ରୀଜିଉଙ୍କ ପ୍ରକୃତ ବିଗ୍ରହ ଶ୍ରୀମନ୍ଦିର ଫେରାଇ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ତିଗିରିଆରେ ପୂଜା ପାଉଥିବା ମହାପ୍ରଭୁଙ୍କ ବିଗ୍ରହ ଆଉ ପୁରୀ ଶ୍ରୀମନ୍ଦିରକୁ ଫେରି ନ ଥିଲେ। ତତ୍କାଳୀନ ପୁରୀ ଗଜପତିଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ୱପ୍ନାଦେଶ ଦେଇ ‘ମୁଁ ତିଗିରିଆରେ ପ୍ରସନ୍ନ ଅଛି ଓ ଏଠାରେ ପୂଜା ପାଇବି’ ବୋଲି କହିଥିଲେ। ଏଭଳି ସ୍ୱପ୍ନାଦେଶ ପରେ ପୁରୀ ଗଜପତି ଶ୍ରୀମନ୍ଦିରରେ ନୂତନ ବିଗ୍ରହ ନିର୍ମାଣ କରି ପୂଜା କରିଥିଲେ। ପରେ ତିଗିରିଆର ତତ୍କାଳୀନ ରାଜା ନିଜ ରାଜବାଟୀରେ ମନ୍ଦିର ନିର୍ମାଣ କରିଥିଲେ। ସେଠାରେ ମହାପ୍ରଭୁଙ୍କ ବିଗ୍ରହ ସ୍ଥାପନ କରି ପୂଜାର୍ଚ୍ଚନା କରାଯାଇଥିଲା।

ମହାପ୍ରଭୁ ପୁରୀ ଶ୍ରୀମନ୍ଦିରରେ ପୁରୁଷୋତ୍ତମ ଦେବ ନାମରେ ପୂଜା ପାଉଛନ୍ତି। ତିଗିରିଆରେ ମହାପ୍ରଭୁ ପ୍ରସନ୍ନ ଥିବାରୁ ପୁରୀ ନାମ ଅନୁସାରେ ତିଗିରିଆର ତତ୍କାଳୀନ ରାଜା ଏହି ପୀଠର ନାମ ପ୍ରସନ୍ନ ପୁରୁଷୋତ୍ତମ ଦେବ ରଖିଥିଲେ। ଶ୍ରୀମନ୍ଦିରର ସମସ୍ତ ନୀତି ଅଳ୍ପବହୁତ ଶ୍ରୀପ୍ରସନ୍ନ ପୁରୁଷୋତ୍ତମ ଦେବଙ୍କ ପୀଠରେ ପାଳନ କରାଯାଏ। ପୁରୀ ଶ୍ରୀମନ୍ଦିର ପରେ ଓଡ଼ିଆ ଭାଷାଭାଷୀ ସମସ୍ତ ଗଡ଼ଜାତ ରାଜ୍ୟରେ ଥିବା ପ୍ରାଚୀନ ଜଗନ୍ନାଥ ମନ୍ଦିର ମଧ୍ୟରେ ତିଗିରିଆ ଜଗନ୍ନାଥ ମନ୍ଦିରକୁ ସବୁଠାରୁ ଉଚ୍ଚ ମନ୍ଦିର ବୋଲି କୁହାଯାଏ। ‌ଲୋକକଥାରେ ତିଗିରିଆ ବଡ଼ଦେଉଳ, ଆଠଗଡ଼ ପୋଖରୀ, ତାଳଚେର ସିଂହଦ୍ୱାର, ଢେଙ୍କାନାଳ କଚେରୀ ଗଡ଼ଜାତ ରାଜ୍ୟ ମଧ୍ୟରେ ବଡ଼ ବୋଲି କୁହାଯାଏ। ପରମ୍ପରା ଅନୁଯାୟୀ ତିଗିରିଆ ଗଡ଼ଜାତ ରାଜାମାନେ ପୁରୀ ରଥଯାତ୍ରାରେ ପରିଚ୍ଛା ସେବା ସମ୍ପାଦନ ପାଇଁ ଯାଇଥା’ନ୍ତି। ଫଳରେ ପୁରୀ ରଥଯାତ୍ରାର ଗୋଟିଏ ଦିନ ପରେ ତିଗିରିଆର ପ୍ରଭୁ ଶ୍ରୀପ୍ରସନ୍ନ ପୁରୁଷୋତ୍ତମ ଦେବଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ବାହୁଡ଼ା ଯାତ୍ରାର ପରଦିନ ତିଗିରିଆରେ ଉକ୍ତ ଯାତ୍ରା ଅନୁଷ୍ଠିତ ହୋଇଥାଏ ବୋଲି ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ଆଇନଜୀବୀ ଲଳିତକୃଷ୍ଣ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe