ବିଜୟାଦଶମୀରେ ସୁନାବେଶରେ ଶ୍ରୀଜିଉ: ବୀରବେଶରେ ଦର୍ଶନ ଦେଲେ ମଦନମୋହନ

ବିଜୟାଦଶମୀରେ ସୁନାବେଶରେ ଶ୍ରୀଜିଉ: ବୀରବେଶରେ ଦର୍ଶନ ଦେଲେ ମଦନମୋହନ

ପୁରୀ: ଗତକାଲି ପବିତ୍ର ବିଜୟା ଦଶମୀ ତିଥିରେ ମହାପ୍ରଭୁ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି। ଏହି ଅବସରରେ ମହାପ୍ରଭୁଙ୍କ ଆୟୁଧ ପୂଜା ହୋଇଛି। ଏହି ପବିତ୍ର ଦିନରେ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି କୋଟି ପୁଣ୍ୟ ଲାଭ କରିଛନ୍ତି। ପରମ୍ପରା ଅନୁଯାୟୀ, ବିଜୟା ଦଶମୀରେ ଅବକାଶ ବଢ଼ିବା ପରେ ଚନ୍ଦନଲାଗି ହୋଇଥିଲା। ପରେ ନୂଆ ଲୁଗା ଲାଗି ହୋଇ ମହାପ୍ରଭୁଙ୍କ ବଡ଼ ତଢ଼ାଉ ବା ସୁନାବେଶ ହୋଇଥିଲା। ଏହି ବେଶରେ ୫ଟି ଆଜ୍ଞାମାଳ ଲାଗି ହୋଇଥିଲା। ପାଣି ପଡ଼ି ଗୋପାଳବଲ୍ଲଭ ବଢ଼ିବା ପରେ ସକାଳ ଧୂପ ହୋଇଥିଲା। ଏହା ପୂର୍ବରୁ ଭଣ୍ଡାର ଦ୍ୱାରଠାରେ ଆୟୂଧ ପୂଜାରେ ବସିଥିଲା। ଏହି ଆୟୂଧକୁ ସେଠାରେ ମହାସ୍ନାନ କରାଯାଇ ବରୁଣ ପୂଜା କରାଯାଇଥିଲା। ୩ଟି ରୁପାଥାଳିରେ ୬ଜଣ ମେକାପ ଆୟୁଧମାନ ରଖି ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ୩ ବେଢ଼ା ବୁଲିଥିଲେ। ପରେ ଆୟୁଧ ରତ୍ନ ସିଂହାସନକୁ ବିଜେ କରିଥିଲେ।

ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ହଳ ଓ ମୂଷଳ ଲାଗି ହୋଇଥିବା ବେଳେ ମା’ ସୁଭଦ୍ରାଙ୍କୁ ତଡ଼ଗି ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶଙ୍ଖ ଓ ଚକ୍ର ଲାଗି ହୋଇଥିଲା। ଏହି ସମୟରେ ଦକ୍ଷିଣି ଘରଠାରେ ପ୍ରଭୁ ମଦନମୋହନ ମହାଖଳାକୁ ଯିବା ପାଇଁ ଧନୁ, ତୀର ସହ ବୀର ବେଶରେ ପ୍ରସ୍ତୁତ ରହିଥିଲେ। ଭିତରେ ଆଳତି ଲାଗି ପରେ ଦକ୍ଷିଣିଘରୁ ମଦନମୋହନ, ଶ୍ରୀରାମ, ଶ୍ରୀକୃଷ୍ଣ ଓ ଭଣ୍ଡାରରୁ ଦୁର୍ଗା ମାଧବ ଭିତର ସିଂହାସନକୁ ବିଜେ କରିଥିଲେ। ପଣ୍ଡା, ପତି ଓ ମୁଦିରସ୍ତ ୩ ବାଡ଼ରେ ମଙ୍ଗଳାର୍ପଣ କରିବା ପରେ ପୂଜାପଣ୍ଡା ମହାଜନଙ୍କ ହାତରେ ଆଜ୍ଞାମାଳ ପ୍ରଦାନ କରିଥିଲେ। ଆଜ୍ଞାମାଳ ପାଇବା ପରେ ବଟବୃକ୍ଷ ମୂଳେ ଥିବା ପାଲିଙ୍କିରେ ଶ୍ରୀରାମ ଓ ଶ୍ରୀକୃଷ୍ଣ, ରଥରେ ଦୁର୍ଗାମାଧବ ଏବଂ ବିମାନରେ ମଦନମୋହନଙ୍କୁ ବିଜେ କରାଇଥିଲେ। ରୁନ୍ଧା ସରିବା ପରେ ଠାକୁରମାନେ ଶ୍ରୀଜଗନ୍ନାଥବଲ୍ଲଭ ନିକଟ ମହାଖଳାକୁ ଯାତ୍ରା କରିଥିଲେ। ମହାଖଳାଠାରେ ଶିକାର ନୀତି ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁ ଏକ ମାଛ ଆକୃତି ସୋଲର ଆଖିକୁ ତୀର ବିନ୍ଧିଥିଲେ। ଏହି ଅବସରରେ ପ୍ରଭୁ ମଦନମୋହନଙ୍କ ବୀରବେଶ ଦେଖିବାକୁ ଭକ୍ତଙ୍କ ଭିଡ଼ ଲାଗିଥିଲା। ଏଠାରେ ଠାକୁରଙ୍କୁ ପ୍ରସାଦ ଲାଗି ହେବା ପରେ ଶୀତଳ ଭୋଗ ହୋଇ ବନ୍ଦାପନା ହୋଇଥିଲା। ପରେ ଠାକୁରମାନେ ବାହୁଡ଼ା ବିଜେ କରିଥିଲେ। ଭୋଗମଣ୍ଡପ ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe