ଆଜି ବିଳମ୍ବିତ ରାତିରେ ସ୍ନାନବେଦୀରୁ ପହଣ୍ଡି ଯିବାବେଳେ ଶ୍ରୀବିଗ୍ରହମାନେ ଅଣସର ପିଣ୍ଡିରେ ଅଟକିଛନ୍ତି। ଆଜିଠାରୁ ଏଠାରେ ମହାପ୍ରଭୁଙ୍କ ଗୋପନ ନୀତି ଅନୁଷ୍ଠିତ ହେବ। ଅଣସରବାସ ପିଣ୍ଡି ସମ୍ମୁଖରେ ଅଣସର ତାଟି ଦିଆଯାଇଛି। ମହାପ୍ରଭୁଙ୍କ ଅଣସର ବେଳର ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପଟିଦିଅଁ ବିଜେ କରାଯାଇଛି। ଅଣସର ତାଟି ସମ୍ମୁଖରେ ପଟିଦିଅଁ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି। ଆସନ୍ତାକାଲିଠାରୁ ଭକ୍ତମାନେ ଏହି ପଟିଦିଅଁଙ୍କୁ ଦର୍ଶନ କରିବେ। ପ୍ରଭୁ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ମା’ ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ବରୀ ଓ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶ୍ରୀନାରାୟଣ ଅଧିଷ୍ଠିତ ହେବେ। ପଟିଦିଅଁଙ୍କୁ ଭକ୍ତମାନେ ଦଶ ଅବତାର ଭାବେ ବିବେଚନା କରିଥାନ୍ତି। ପଟିଦିଅଁ ବାସୁଦେବଙ୍କ ସହିତ ଦୋଳଗୋବିନ୍ଦ, ରାମ-ନୃସିଂହ, ଭୁବନେଶ୍ବରୀଙ୍କ ପାର୍ଶ୍ବରେ ଭୂଦେବୀ, ଶ୍ରୀଦେବୀ, ନାରାୟଣଙ୍କ ସମ୍ମୁଖରେ ମଦନମୋହନ ଓ ଶ୍ରୀକୃଷ୍ଣ ବିଜେ କରିବାର ପରମ୍ପରା ରହିଛି। କିମ୍ବଦନ୍ତୀ ମୁତାବକ, ଅଣସର ସମୟରେ ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ ଭାବେ ଭକ୍ତ ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠକୁ ଦର୍ଶନ ପାଇଁ ଯାଇଥାନ୍ତି। ସେଠାରେ ମହାପ୍ରଭୁ ବିଜେ କରିଥାନ୍ତି ବୋଲି ବିଶ୍ବାସ କରାଯାଏ। ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଅର୍ଥାତ ଆସନ୍ତାକାଲିଠାରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ସମାଗମ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ଅଲାରନାଥଙ୍କ ପୀଠରେ ସମସ୍ତ ବନ୍ଦୋବସ୍ତ କରାଯାଇଛି।
ଶ୍ରୀମନ୍ଦିରରେ ବିଜେ ହେଲେ ପଟିଦିଅଁ
Advertisment
Follow Us