ଭଗ୍ନ ଅବସ୍ଥାରେ ଆନନ୍ଦବଜାର ଡମ୍ପିଂୟାର୍ଡ଼ : ଶ୍ରୀମନ୍ଦିରକୁ କରୁଛି ଅସୁନ୍ଦର, ରାସ୍ତାରେ ଏଣେତେଣେ ପଡ଼ୁଛି ଖଲି, ମହାପ୍ରସାଦ

Advertisment
ଭଗ୍ନ ଅବସ୍ଥାରେ ଆନନ୍ଦବଜାର ଡମ୍ପିଂୟାର୍ଡ଼ : ଶ୍ରୀମନ୍ଦିରକୁ କରୁଛି ଅସୁନ୍ଦର, ରାସ୍ତାରେ ଏଣେତେଣେ ପଡ଼ୁଛି ଖଲି, ମହାପ୍ରସାଦ

ପୁରୀ : ଶ୍ରୀମନ୍ଦିର ସୌନ୍ଦର୍ଯ୍ୟୀକରଣର ଏକ ପ୍ରମୁଖ ଦିଗ ହେଲା ପରିଛନ୍ନତା। ଏହାକୁ ଦୃଷ୍ଟିରୁ ରଖି ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶରେ ଆବଶ୍ୟକ ଦିଗ ପ୍ରତି ଧ୍ୟାନ ଦେବାକୁ କହିଛନ୍ତି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପ୍ଲାଣ୍ଟ୍‌ ସହ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ କୁହାଯାଇଛି। କିନ୍ତୁ ଏହି ଦିଗକୁ ସତେ ଯେପରି ଭୁଲିଯାଇଛି ଶ୍ରୀମନ୍ଦିର ପ୍ରଶାସନ। ଯେଉଁଥି ପାଇଁ ଉତ୍ତରଦ୍ୱାରରେ ଥିବା ଡମ୍ପିଂୟାର୍ଡ଼ ଦୁଇ ତିନି ମାସ ହେବ ଭଗ୍ନ ଅବସ୍ଥାରେ ପଡ଼ିରହିଛି। ଏହା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ନଷ୍ଟକରିବା ସହ ଭକ୍ତଙ୍କ ମନରେ ଏକ ନକରାତ୍ମକ ଭାବନା ସୃଷ୍ଟି କରୁଛି। ସବୁଠୁ ବଡ଼ କଥା ହେଲା, ଆନନ୍ଦବଜାରରୁ ବାହାରୁଥିବା ଖଲିପତ୍ର, କଦଳୀ ପତ୍ର, ଭଙ୍ଗା କୁଡ଼ୁଆ ସବୁ ରାସ୍ତାଘାଟରେ ପଡ଼ିବା ସହ ଏହାକୁ କୁଦି ଲୋକେ ଯାଆସ କରୁଛନ୍ତି। ଭକ୍ତମାନେ ମହାପ୍ରସାଦକୁ ପାଦରେ ଦଳିବା ଧାର୍ମିକ ଭାବନାକୁ କୁଠାରାଘାତ କରୁଛି।

publive-image

ଶ୍ରୀମନ୍ଦିର ପ୍ରଶାସନ ଆନନ୍ଦବଜାରରୁ ନିର୍ଗତ ଖଲିପତ୍ର, କଦଳୀ ପତ୍ର, କୁଡ଼ୁଆ ସହ ଅନ୍ୟାନ୍ୟ ଆବର୍ଜନାକୁ ସୁବ୍ୟବସ୍ଥିତ କରିବା ପାଇଁ ଉତ୍ତରଦ୍ୱାର କଡ଼ରେ ଏକ ଡମ୍ପିଂୟାର୍ଡ଼ର ବ୍ୟବସ୍ଥା କରିଛନ୍ତି। ପୂର୍ବରୁ ଏଠାରେ ଏକ କୁଣ୍ଡର ବ୍ୟବସ୍ଥା କରାଯାଇଥିଲା। ମେଘନାଦ ପ୍ରାଚୀରକୁ ଲାଗି କୁଣ୍ଡରେ ସମସ୍ତ ଆବର୍ଜନା ପଡ଼ୁଥିଲା। ପରେ ଏହାକୁ ଅତ୍ୟାଧୁନିକ କରିବା ସହ ମେଘନାଦ ପ୍ରାଚୀରକୁ ସୁରକ୍ଷିତ ରଖିବାକୁ ଯାଇ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି କୁଣ୍ଡକୁ ଭାଙ୍ଗି ଲୁହାର ବିରାଟ କାହାଳୀ ସଦୃଶ ଏକ ଯନ୍ତ୍ରାଂଶ ଏଠାରେ ଲଗାଯାଇଥିଲା। ମେଘନାଦ ପ୍ରାଚୀରକୁ ଛାଡ଼ି ଚାରିପାର୍ଶ୍ବରେ ଲୁହାର ଖୁଣ୍ଟି ପୋତାଯାଇ ଏହା ଉପରେ ଏହି ବଡ଼ କାହାଳୀକୁ ଏଠାରେ ସ୍ଥାନିତ କରାଯାଇଥିଲା। ଆନନ୍ଦବଜାର କଡ଼କୁ ଶ୍ରୀମନ୍ଦିର ଭିତରୁ ଯେଉଁ ସଫେଇ କର୍ମଚାରୀମାନେ ରହୁଥିଲେ, ସେମାନେ ସିଧାସଳଖ ଏହା ଉପରେ ଅଳିଆ ଆବର୍ଜନା ପକାଉଥିଲେ। ଭକ୍ତମାନେ ମହାପ୍ରସାଦ ଖାଉଥିବା ଖଲିପତ୍ର, କଦଳୀପତ୍ର ସହ ସମସ୍ତ ଆବର୍ଜନା ଏହିଠାରେ ପକାଗଲା। ପରେ ପୌରସଂସ୍ଥାର ସଫେଇ କର୍ମଚାରୀମାନେ ଆସି ଆବର୍ଜନା ଉଠାଇବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏହି ନୂଆ ବ୍ୟବସ୍ଥା ଏବେ ଭଗ୍ନ ଅବସ୍ଥାରେ ପଡ଼ିଛି। ପୁଣିଥରେ ପୁରୁଣା ବ୍ୟବସ୍ଥାରେ ଅଳିଆ ଫିଙ୍ଗା ଚାଲିଥିବାବେଳେ ପୂର୍ବ କୁଣ୍ଡ ନଥିବାରୁ ଏହା ରାସ୍ତାଘାଟରେ ବିଛାଡ଼ି ହୋଇ ପଡ଼ୁଛି। ଏ ଦିଗ ପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe