ନୂଆବର୍ଷରେ ଶ୍ରୀକ୍ଷେତ୍ର ଲୋକାରଣ୍ୟ : ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ୫ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ରଥଯାତ୍ରା ଭ୍ରମ ସୃଷ୍ଟି କଲା ନୂଆ ବର୍ଷ, ରାତି ୨ଟାରେ ହେଲା ମଙ୍ଗଳଆଳତି

ନୂଆବର୍ଷରେ ଶ୍ରୀକ୍ଷେତ୍ର ଲୋକାରଣ୍ୟ : ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ୫ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ପୁରୀ : ଆଜି ଇଂରାଜୀ ନବବର୍ଷରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ୫ ଲକ୍ଷରୁ ଅଧିକ ଶ୍ରଦ୍ଧ‌ାଳୁ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରି ନୂଆବର୍ଷର ଶୁଭାରମ୍ଭ କରିଛନ୍ତି। ରାଜ୍ୟର କିଛି ମନ୍ତ୍ରୀ, ନେତା, ବିଧାୟକ, ପୂର୍ବତନ ବିଚାରପତି, ଚଳଚ୍ଚିତ୍ର ତାରକା ମଧ୍ୟ ଆଜି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଆଜି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆଜି ଏତେ ଥିଲା ଯେ ଏହା ରଥଯାତ୍ରାର ଭ୍ରମ ସୃଷ୍ଟି କରିଥିଲା। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି, ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀର ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ‌୍ୟବସ୍ଥା ଗ୍ରହଣ କରାଯାଇଥିଲା।

ମଙ୍ଗଳବାର ରାତି ୯ଟା ୩୦ରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ହୋଇଥିଲା। ହଜାର ହଜାର ଭକ୍ତ ଧାଡ଼ିରେ ଥାଇ ବି ମହାପ୍ରଭୁଙ୍କ ଦର୍ଶନ କରିପାରିନଥିଲେ। ତେବେ ଭକ୍ତମାନେ ନିରାଶ ‌ନହୋଇ ଶ୍ରୀମନ୍ଦିର ବାହାରେ ଅପେକ୍ଷା କରିଥିଲା। ଭକ୍ତଙ୍କ ପାଇଁ ରାତି ପ୍ରାୟ ଗୋଟାଏ ପରେ ଦ୍ବାର ଫିଟା ହୋଇଥିଲା। ରାତି ୨ଟା‌ରେ ଭକ୍ତମାନେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦେଖିବାର ଅପୂର୍ବ ସୁଯୋଗ ଲାଭ କରିଥିଲେ। ରାତି ୨ଟା ୩୫ରେ ତଡ଼ପଲାଗି, ରାତି ୩ଟାରୁ ୩ଟା ୩୦ରେ ଅବକାଶପୂଜା, ସକାଳ ୫ଟା ୪୫ରେ ପହିଲି ଭୋଗ ନୀତି ଅନୁଷ୍ଠିତ ହୋଇଥିଲା। ପରେ ସକାଳ ୭ଟା ୫ରେ ସକାଳଧୂପ ନୀତି ଅନୁଷ୍ଠିତ ହୋଇଥିଲା। ଆଜି ପୂର୍ବାହ୍ଣ ୧୦ଟାରେ ପ୍ରଥମ ଭୋଗ ମଣ୍ଡପ ଉଠିଥିଲା। ପୂର୍ବାହ୍ଣ ୧୧ଟାରେ ମଧ୍ୟାହ୍ନଧୂପ, ଦ୍ବିତୀୟ ଭୋଗମଣ୍ଡପ ଅପରାହ୍ଣ ୧ଟା ୫୦ରେ ଶେଷ ହୋଇଥିଲା। ସନ୍ଧ୍ୟା ୬ଟା ୩୦ରେ ସନ୍ଧ୍ୟା ଆଳତି ଓ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇଥିଲା।

ଭକ୍ତଙ୍କ ସୁଅ ଛୁଟିଥିବା କାରଣରୁ ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶନ ଜାରି ରହିବ ବୋଲି ପୁରୀ ଜିଲ୍ଲାପାଳ ବଲଓ୍ବନ୍ତ ସିଂହ ସୂଚନା ଦେଇଛନ୍ତି। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୁରୀରେ ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯାଇଥିଲା। ପୁରୀ ମେଡିକାଲ ଛକରୁ କୌଣସି ଚାରିଚକିଆ ଗାଡ଼ି ଛଡା ଯାଇନଥିଲା। ଭକ୍ତମାନେ ବଡ଼ଦାଣ୍ଡରେ ଚାଲିଚାଲି ଯାଇଥିଲେ। ପୁରୀ ଟାଉନ ଥାନା ସମ୍ମୁଖରୁ ବାରିକେଡରେ ଯାଇ ଭକ୍ତମାନେ ନବ ନିର୍ମିତ ସେଡ୍‌ରେ ଲମ୍ବାଧାଡ଼ିରେ ରହି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପ୍ରଶସ୍ତ ସିଂହଦ୍ବାର ଓ ପ୍ରଶାସନର ସାଜସଜ୍ଜା ଦେଖି ଭକ୍ତମାନେ ଖୁସି ପ୍ରକଟ କରିବା ସହ ପୁରୀ ପ୍ରଶାସନ ଓ ସରକାରଙ୍କ ଶ୍ରୀମନ୍ଦିର ବିକାଶ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe