ଏଏସ୍‌ଆଇ ରିପୋର୍ଟ : କଳସ ପଥର ଭାଙ୍ଗିଛି, ସିଂହଦ୍ବାରରେ ଲାଗିବ ଜୟ ମୂର୍ତ୍ତି

Advertisment
ପୁରୀ: ସ୍ଥିତି ଅନୁଧ୍ୟାନ ଲାଗି ଡ୍ରୋନ୍‌ ଦ୍ୱାରା ‘ନୀଳଚକ୍ର’ର ହେବ ଫଟୋଗ୍ରାଫି

Holiday Resort Puri

ପୁରୀ : ଶ୍ରୀମନ୍ଦିର ନୀଳଚକ୍ର ସୁରକ୍ଷିତ ଅଛି। ମନ୍ଦିରକୁ ବି କୌଣସି ବିପଦ ନାହିଁ। ତେବେ ନୀଳଚକ୍ର ପୋତା ହୋଇଥିବା କଳସର ପଥର ଯୋଡ଼େଇ ଖୋଲିଯାଇଛି। ପବନ ମାଡ଼ରେ ଖୋଲି ଯାଇଥିବା ପଥର ଯୋଡ଼େଇକୁ ସ୍ନାନଯାତ୍ରା ପୂର୍ବରୁ ମରାମତି କରାଯିବ ବୋଲି କହିଛନ୍ତି ଏଏସ୍‌ଆଇର ଅଧିକ୍ଷକ ଅରୁଣ ମଲ୍ଲିକ।

ଗତକାଲି ମୁଖ୍ୟମନ୍ତ୍ରୀ ଓ ଗଜପତି ମହାରାଜ ଶ୍ରୀମନ୍ଦିର ବୁଲି କ୍ଷୟକ୍ଷତି ଦେଖିଥିବା ବେଳେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିର ଆସି ମରାମତି କାମ ଅନୁଧ୍ୟାନ କରିଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ଦ୍ବାରା ସ୍ଥିତି ସମୀକ୍ଷା ପରେ ଏଏସ୍‌ଆଇ ଅଧିକ୍ଷକ ଶ୍ରୀ ମଲ୍ଲିକ କହିଲେ, ବାତ୍ୟା ଫନି ପ୍ରଭାବରେ ନୀଳଚକ୍ର ବଙ୍କା ହୋଇଥିବା ସଂପର୍କରେ କିଛି ଜଣାପଡ଼ିନାହିଁ। ବାତ୍ୟା ପରେ ଆମର ଦୁଇ ଜଣ ଅଧିକାରୀ ମନ୍ଦିରର ନିର୍ମାଣ ଢାଞ୍ଚା ଅନୁଧ୍ୟାନ କରିଥିଲେ। ଏବେ ନୀଳଚକ୍ର ନିରାପଦ ରହିଛି। କୌଣସି ପ୍ରକାର ହୁଗୁଳା ହୋଇନାହିଁ କି ବୁଲି ନାହିଁ। ନୀଳଚକ୍ର ପୋତା ହୋଇଥିବା କଳସ କେତେକ ପଥର ଖଣ୍ଡ ‌ଯୋଡ଼ା ହୋଇ ତିଆରି ହୋଇଛି। ପବନର ତୀବ୍ରତାରେ ସେହି ପଥର ଯୋଡ଼େଇ ଖୋଲିଯାଇଛି। ସ୍ନାନ ଯାତ୍ରା ପୂର୍ବରୁ ତାକୁ ମରାମତି କରିଦିଆଯିବ। ତେବେ ଏହାର ଉଚ୍ଚସ୍ତରୀୟ ଅନୁଧ୍ୟାନ କରାଯିବାର ଆବଶ୍ୟକତା ରହିଛି। ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ଲୁହାଭାରା ଲାଗିଲେ କରାଯିବ।

୩ ତାରିଖ ବାତ୍ୟା ସମୟରେ ସିଂହଦ୍ବାରରୁ ଜୟ ମୂର୍ତ୍ତି ଖସି ଯାଇଥିବା ବେଳେ ବିଜୟ ମୂର୍ତ୍ତି ପୂର୍ବ ସ୍ଥାନରେ ଅକ୍ଷୁଣ୍ଣ ରହିଥିଲା। ଜୟ ମୂର୍ତ୍ତି ତିଆରି ସରିଛି। ଖୁବ ଶୀଘ୍ର ଏହାକୁ ସ୍ଥାପନ କରାଯିବ। ଲୁହାଭାରା ଭୁଶୁଡ଼ିବା ଦ୍ବାରା ଖସି ପଡ଼ିଥିବା ସିଂହ ମୂର୍ତ୍ତି ଲଗାଯାଇଛି। ପୂର୍ବରୁ ସେହି ମୂର୍ତ୍ତି ଦୁର୍ବଳ ଥିବା ବେଳେ ତାକୁ ମରାମତି ପାଇଁ ପିନିଂ କରାଯାଇଥିଲା। ମାତ୍ର ଏବେ ନୂଆ ସିଂହମୂର୍ତ୍ତି ଲଗାଯିବା ଦ୍ବାରା ତାହା ଆହୁରି ସୁଦୃଢ଼ ହୋଇଛି। ସେହିପରି ସାକ୍ଷୀଗୋପାଳ ମନ୍ଦିରର କଳସ ଫାଟିଥିଲା, ତାର ମରାମତି ଚାଲିଛି। ସିଂହଦ୍ବାର ଗୁମୁଟ, ଜଗମୋହନ, ଅମୁହାଁ ଦେଉଳ, ରତ୍ନଭଣ୍ଡାର କାନ୍ଥରୁ ଖସିଯାଇଥିବା ପ୍ଲାଷ୍ଟରକୁ ପୁନଃ କରାଯାଉଛି। ଭୋଗମଣ୍ଡପ ଘର ଉପର କଳସ ପଥରରେ ତିଆରି ହୋଇଛି। ତାହା ଉପରେ ସୌନ୍ଦର୍ଯ୍ୟକରଣ ପାଇଁ ଲାଗିଥିବା ବ୍ରାସ୍‌ ଫାଟିଥିଲା। ସେହି ବ୍ରାସ୍‌କୁ କଟକର ବିଶିଷ୍ଟ କାରିଗର ତିଆରି କରିବେ। ପୂର୍ବରୁ ନୀଳଚକ୍ର, ଜଗମୋହନ ଚକ୍ର ତିଆରି କରିଥିବା କାରିଗରଙ୍କୁ ଏଥି ପାଇଁ ଡକାଯାଇଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe