ମେଘନାଦ ପାଚେରି ପାଇଁ ବିପଦ ସୃଷ୍ଟି କରୁଛି ଆନନ୍ଦବଜାର ହାତଧୁଆ ପାଣି

Advertisment

ମାଡ଼ିଗଲାଣି ମୋଟା ବହଳର ଶିଉଳି, ଦୁର୍ବଳ ହେଲାଣି ପଥର କାନ୍ଥ

ମାଡ଼ିଗଲାଣି ମୋଟା ବହଳର ଶିଉଳି, ଦୁର୍ବଳ ହେଲାଣି ପଥର କାନ୍ଥ

ମେଘନାଦ ପାଚେରି ପାଇଁ ବିପଦ ସୃଷ୍ଟି କରୁଛି ଆନନ୍ଦବଜାର ହାତଧୁଆ ପାଣି

ପୁରୀ : ଶ୍ରୀମନ୍ଦିରକୁ ଅସୁନ୍ଦର କରୁଛି ଖୋଦ୍ ଶ୍ରୀମନ୍ଦିର ପ୍ରଶାସନ। ବିଭିନ୍ନ ଜାଗାରେ ଅଳିଆ ଆବର୍ଜନା ନିଷ୍କାସନର ଗଳିଆ ବାଟ ତିଆରି କରି ମେଘନାଦ ପାଚେରିକୁ ଅସୁରକ୍ଷିତ କରୁଛି। ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ସିଂହଦ୍ବାର ସମ୍ମୁଖରେ। ଆନନ୍ଦବଜାରର ହାତଧୁଆ ପାଣି ଏଠାରେ ଛାଡ଼ି ଦିଆଯାଉଛି। ଯାହା ମେଘନାଦ ପାଚେରି ପାଇଁ ବିପଦ ସୃଷ୍ଟି କରିଛି। ଜିଲ୍ଲା ପ୍ରଶାସନ ଏବେ ଜବରଦଖଲ ଉଚ୍ଛେଦ କାମ ଜାରି ରଖିଛି। ମେଘନାଦ ପାଚେରି ସଂଲଗ୍ନ ସରକାରୀ, ବେସରକାରୀ କୋଠାକୁ ଭାଙ୍ଗିବା ସହ ଅଳିଆ ଆବର୍ଜନା ବାହାର କରୁଛି। ଉତ୍ତର, ଦକ୍ଷିଣ, ପଶ୍ଚିମଦ୍ବାର ନିକଟରୁ ଉଚ୍ଛେଦ କାମ ପ୍ରାୟ ଶେଷ ହୋଇଥିବା ବେଳେ ସିଂହଦ୍ବାର ସମ୍ମୁଖରୁ ଉଚ୍ଛେଦ କାର୍ଯ୍ୟ ଚାରି ଦିନ ପରେ ବି ଶେଷ ହୋଇନି। ଆଜି ମଧ୍ୟ ଜିଲ୍ଲା ପ୍ରଶାସନ ଉଚ୍ଛେଦ କାର୍ଯ୍ୟ ଜାରି ରଖିଛି। ସେପଟେ ସିଂହଦ୍ବାର ସମ୍ମୁଖ ‌ ମେଘନାଦ ପାଚେରି ସଂଲଗ୍ନ ଫାଣ୍ଡି, ରାମଦୟା ପରିଷଦ କୋଠା, ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଭଙ୍ଗାଯିବା ପରେ ଶ୍ରୀମନ୍ଦିର ପ୍ରଶାସନର ଦୋଷତ୍ରୁଟି ନଜରକୁ ଆସିଛି।

ଆନନ୍ଦବଜାରରେ ଭକ୍ତଙ୍କ ପାଇଁ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଯୋଗରେ ଶ୍ରୀମନ୍ଦିର ପ୍ରଶାସନ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା କରିଛି। ଭକ୍ତମାନେ ପ୍ରସାଦ ସେବନ ପରେ ଏଠାରେ ପାଣି ପିଇବା ସହ ହାତ ଧୋଇ ଘରକୁ ଫେରୁଛନ୍ତି। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏହି ହାତଧୁଆ ପାଣିର ନିଷ୍କାସନ ବାଟ କରିନଥିବାରୁ ଏହି ପାଣି ଆନନ୍ଦବଜାରରେ ଭାସିବା ସହ ମେଘନାଦ ପାଚେରି ଦେଇ ଏକାଧିକ ସ୍ଥାନରେ ଗଳୁଛି। ଯେଉଁଥି ପାଇଁକାନ୍ଥରେ ମୋଟା ବହଳର ଶିଉଳି ଜମିବା ସହ ପାଚେରିରେ ଲାଗିଥିବା ପଥର ସବୁ ଦୁର୍ବଳ ହୋଇଗଲାଣି। ହାତ ମାରିଲେ ଏହା ଝଡ଼ି ପଡ଼ୁଛି। ଯାହାକୁ ନେଇ ଅନେକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଅନ୍ୟ‌ପକ୍ଷରେ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିବା ପ୍ରତ୍ନତତ୍ତ୍ବ ବିଭାଗର ଏଥି ପ୍ରତି ଦୃଷ୍ଟି ନପଡ଼ିବା ଦୁର୍ଭାଗ୍ୟଜନକ ବୋଲି ଭକ୍ତମାନେ କହିଛନ୍ତି। ସୂଚନାଥାଉକି, ଯେଉଁ ସଂସ୍ଥା ଆନନ୍ଦବଜାରରେ ପାନୀୟ ଜଳ ବ୍ୟବସ୍ଥା କରିଛି ତାର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ତଥାପି ଏହାକୁ ନଜରଅନ୍ଦାଜ କରାଯିବା ପରିତାପର ବିଷୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe