ଶ୍ରୀମନ୍ଦିର ନାଟମଣ୍ଡପ ଫାଟ ପ୍ରସଙ୍ଗ: ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକଙ୍କ ମନ୍ତବ୍ୟ ପରେ ଝଡ଼

Advertisment

୨୦୧୮ରେ ନାଟମଣ୍ଡପ ଫାଟିନଥିଲା, ଆଇଆଇଟି ମାଡ୍ରାସ ଏବେ ବି ସ୍ଥିତି ଅନୁଧ୍ୟାନ କରୁଛି

୨୦୧୮ରେ ନାଟମଣ୍ଡପ ଫାଟିନଥିଲା, ଆଇଆଇଟି ମାଡ୍ରାସ ଏବେ ବି ସ୍ଥିତି ଅନୁଧ୍ୟାନ କରୁଛି

ଶ୍ରୀମନ୍ଦିର ନାଟମଣ୍ଡପ, ଜଗମୋହନ ମରାମତି: ଆଜି ଆସିବେ ଏଏସ୍‌ଆଇର ଉଚ୍ଚସ୍ତରୀୟ ବୈଷୟିକ ଦଳ

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ଓ ଅନ୍ୟାନ୍ୟ ସ୍ଥାନରେ ଏକାଧିକ ଫାଟ ଦେଖାଦେବା ପରେ ବିବାଦ ଘନେଇବାରେ ଲାଗିଛି। ଏହି ଫାଟ ପୁରୁଣା ନା ଏବେକାର, ତାକୁ ନେଇ ଭକ୍ତ, ସେବାୟତ ମହଲ ପ୍ରଶ୍ନ ଉଠାଇବା ସହ ଏହାର ଜବାବ ମାଗିଛନ୍ତି। ଏହି ଖବର ପ୍ରକାଶ ପରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ସ୍ଥାନୀୟ ଅଧିକାରୀ ଓ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ପୁରୁଣା ଫାଟ ବୋଲି ଦର୍ଶାଉଛନ୍ତି। କିନ୍ତୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ତଥା ଓଡ଼ିଶା ମୁଖ୍ୟ ଅରୁଣ ମଲ୍ଲିକ ଗଣମାଧ୍ୟମ ଆଗରେ ଏ ଉପରେ ଚାଞ୍ଚଲ୍ୟକର ବୟାନ ରଖିବା, ସବୁ ମିଛ ଧରାପକାଇ ଦେଇଛି। ଶ୍ରୀ ମଲ୍ଲିକ ସିଧାସଳଖ କହିଛନ୍ତି, ୨୦୧୮ ମସିହାରେ ନାଟମଣ୍ଡପରେ କୌଣସି ଫାଟ ନଥିଲା କି ଏହାର କୌଣସି ମରାମତି କରାଯାଇନି। ଆଇଆଇଟି ମାଡ୍ରାସ କେବଳ ଏହାର ସ୍ଥିତି ଅନୁଧ୍ୟାନ କରୁଛି ଓ ଏବେ ବି ଅନୁଧ୍ୟାନ ଜାରି ରହିଛି। ପ୍ରତ୍ନତତ୍ତ୍ବ ବିଭାଗ ଓଡ଼ିଶା ମୁଖ୍ୟଙ୍କ ଏଭଳି ବୟାନ ଝଡ଼ ସୃଷ୍ଟି କରିଛି।

କିଛି ଦିନ ତଳେ ଶ୍ରୀମନ୍ଦିର ନାଟମଣ୍ଡପରେ ଏକାଧିକ ଫାଟ ଦେଖିବାକୁ ମିଳିଥିଲା। ନାଟମଣ୍ଡପ ଛାତରେ ଜୟ-ବିଜୟଦ୍ବାର ଓ ଦାନ ହୁଣ୍ଡି ମଝିରେ ଏକ ତିନିକୋଣିଆ କୋଠରି ବି ଏକ ବଡ଼ ଫାଟ ଦେଖିବାକୁ ମିଳିଥିଲା। ଯାହାର ଲମ୍ବ ପ୍ରାୟ ଅଢ଼େଇ ଫୁଟ ଓ ଓସାର ଦେଢ଼ ଇଞ୍ଚ ପାଖାପାଖି ରହିଥିଲା। ସ୍ଥିତି ଅନୁଧ୍ୟାନ ବେଳେ ନାଟମଣ୍ଡପର ଆହୁରି ଅନେକ ଜାଗାରେ ବି ଫାଟ ରହିଥିବା ଦେଖିବାକୁ ମିଳିଥିଲା। ସେହିଭଳି ଘଣ୍ଟିଦ୍ବାର, ଜୟ-ବିଜୟ ଦ୍ବାର, ବେହେରଣ ଦ୍ବାର‌ ନିକଟରେ ବି ଫାଟ ରହିଥିଲା। ଏହି ଫାଟ ‌ଜଣାପଡ଼ିବା ପରେ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ ପ୍ରତ୍ନତତ୍ତ୍ବ ବିଭାଗ କିଭଳି ସୁରକ୍ଷା ଦେଇ ଆସୁଛି, ସ୍ପଷ୍ଟ ବାରି ହୋଇପଡ଼ୁଛି। ଯେଉଁଭଳି ଫାଟ ଚାରିଆଡ଼େ ଦେଖାଗଲାଣି, ଏହା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରିଥିବାବେଳେ ଏହି ଫାଟ କେବେକାର ବୋଲି ପ୍ରଶ୍ନ ଉଠାଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଗଣିତ ଭକ୍ତ। ଏହାକୁ ନେଇ ସମାଲୋଚନା ଆରମ୍ଭ ପରେ ପ୍ରତ୍ନତତ୍ତ୍ବ ବିଭାଗର ସ୍ଥାନୀୟ ଅଧିକାରୀମାନେ ଏହାକୁ ପୁରୁଣା ଫାଟ ବୋଲି ଦର୍ଶାଇଥିଲେ। ଏହାକୁ ଆଇଆଇଟି ଖଡ଼ଗପୁର ଅନୁଧ୍ୟାନ କରୁଛି ବୋଲି ମତ ରଖିଥିଲେ।

ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ବି ଏହି ଫାଟ ପୁରୁଣା ଓ ଏ ସମ୍ପର୍କରେ ବାରମ୍ବାର ପ୍ରତ୍ନତତ୍ତ୍ବ ବିଭାଗକୁ ଚିଠି କରାଯାଇଛି ବୋଲି କହିଥିଲେ। କିନ୍ତୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଓଡ଼ିଶା ମୁଖ୍ୟ ଭିନ୍ନ ମତ ଦେବା ଫାଟକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ୨୦୧୮ ମସିହାରେ ନାଟମଣ୍ଡପରେ ଫାଟ ଥିଲା କି ବୋଲି ପ୍ରଶ୍ନରେ ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଶ୍ରୀ ମଲ୍ଲିକ କହିଛନ୍ତି, ସେ ସମୟରେ ନାଟମଣ୍ଡପରେ କିଛି ବି ଫାଟ ନଥିଲା କି ଏହାର କୌଣସି ମରାମତି କରାଯାଇନଥିଲା। ଆଇଆଇଟି ମାଡ୍ରାସର ଏକ ଟିମ୍‌ ଶ୍ରୀମନ୍ଦିର ଆସି ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କରିଥିଲେ। ସେ ସମୟରେ କୌଣସି ଫାଟ ଦେଖିବାକୁ ମିଳିନଥିଲା। ଏଣୁ ଆଇଆଇଟି ମାଡ୍ରାସ ପକ୍ଷରୁ ଆସିଥିବା ଏହି ଟିମ୍‌ ଫାଟ ଅନୁଧ୍ୟାନ ପାଇଁ କ୍ରାକ୍‌ ମିଟର ଲଗାଇଥିଲେ। ଏବେ ବି ଆଇଆଇଟି ମାଡ୍ରାସ କ୍ରାକ୍‌ ମିଟର ଜରିଆରେ ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କରୁଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ଶ୍ରୀ ମଲ୍ଲିକଙ୍କ ଏହି ମନ୍ତବ୍ୟ ପରେ ତର୍କବିତର୍କ ଆରମ୍ଭ ହୋଇଯାଇଛି। କିଏ ସତ ଓ କିଏ ମିଛ, ତାକୁ ନେଇ ତର୍ଜମା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe