ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ରକୁ ଅନୁମୋଦନ

ଶ୍ରୀମନ୍ଦିର କାର୍ଯ୍ୟାଳୟ ପ୍ରଶାସନିକ କୋଠା, ୩୦ ମଠକୁ ବି ଅନୁମତି

ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିବାଦୀୟ ପ୍ରକଳ୍ପ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ଶେଷରେ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷଙ୍କ ଅନୁମୋଦନ ଲାଭ କରିଛି। ନିୟନ୍ତ୍ରିତ ଅଞ୍ଚଳରେ ଏହି କେନ୍ଦ୍ର ନିର୍ମାଣ କରିବାକୁ ଅନୁମତି ମିଳିଛି। ଏହାସହ ଶ୍ରୀମନ୍ଦିର ପ୍ରଶାସନିକ କୋଠା ଓ ୩୦ଟି ମଠର ନିର୍ମାଣକୁ ବି ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ(ଏନ୍‌ଏମ୍‌ଏ) ଅନୁମତି ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି।

ଗତ ଏପ୍ରିଲ ୨୫ ତାରିଖରେ ଏନ୍‌ଏମ୍‌ଏ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନିକ କୋଠା ଓ ଅନ୍ୟ ପ୍ରକଳ୍ପ ସମ୍ପର୍କିତ ଏକ ଚିଠି କରିଥିଲେ। ଯେଉଁଥିରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନିକ କୋଠା ପୁରୀ ପୌରାଞ୍ଚଳର ୟୁନିଟ୍‌-୧୮, ଚୁଡ଼ଙ୍ଗସାହି ପୁରୀ ସହର ମୌଜାର ଖାତା ନମ୍ବର-୩୩୨ର ୩୨୧ ନମ୍ବର ପ୍ଲଟ୍‌, ଖାତା ନମ୍ବର-୩୦୭ର ପ୍ଲଟ୍‌ ନମ୍ବର ୩୨୨ ଏବଂ ଖାତା ନମ୍ବର-୨୯୮/୩୫ର ପ୍ଲଟ୍‌ ନମ୍ବର- ୩୨୩, ୩୨୫, ୩୨୬, ୩୨୭, ୩୨୮ରେ ନିର୍ମାଣ ହେବ ବୋଲି ଉଲ୍ଲେଖ ରହିଛି। ସେହିଭଳି କାଳିକାଦେବୀସାହି ମୌଜାରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ଓ ରଘୁନନ୍ଦନ ପାଠାଗାର କରାଯିବ ବୋଲି ଜଣାପଡ଼ିଛି। ୧୦୦ ମିଟର ବାହାରେ ଏମାର ମଠକୁ ଲାଗି ଏହି ପ୍ରକଳ୍ପ କାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି। ଏଣୁ ଏଥିପାଇଁ ଆହୁରି ଜମି ଅଧିଗ୍ରହଣ ଓ ଉଚ୍ଛେଦ କାର୍ଯ୍ୟ କରାଯିବ ବୋଲି ଶୁଣିବାକୁ ମିଳୁଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି, ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ନିୟନ୍ତ୍ରିତ(ରେଗୁଲେଟେଡ୍‌) ଅଞ୍ଚଳରେ ୧୩ଟି ଓ ନିଷିଦ୍ଧାଞ୍ଚଳ(ପ୍ରୋହି‌ବିଟେଡ୍‌)ରେ ୧୭ଟି, ଏଭଳି ୩୦ଟି ମଠର ପୁନରୁଦ୍ଧାର ଅନୁମତି ପ୍ରଦାନ କରିଛନ୍ତି। ନିୟନ୍ତ୍ରିତ ଅଞ୍ଚଳରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ଓ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପ୍ରଶାସନିକ କୋଠା ନିର୍ମାଣକୁ ବି ଅନୁମତି ପ୍ରଦାନ କରିଛନ୍ତି। ଏପରି ୩୨ଟି କାର୍ଯ୍ୟକୁ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷଙ୍କ ଅନୁମୋଦନ ମିଳିସାରିଥିବା ଶ୍ରୀ ଦାସ କହିଛନ୍ତି।

ସୂଚନାଯୋଗ୍ୟ, ଦକ୍ଷିଣ-ପୂର୍ବ କୋଣରେ ଏମାର ମଠ ଜାଗାକୁ ଲାଗି ୨୬୩୮.୯୧୧ ବର୍ଗମିଟର ଜାଗାରେ ୧୩.୨୦୮ ମିଟର ଉଚ୍ଚର ତିନି ମହଲା(ଜି+୨) କୋଠା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଏହାକୁ ନେଇ ଉଭୟ ଏନ୍‌ଏମ୍‌ଏ ଓ ପ୍ରତ୍ନତତ୍ତ୍ବ ବିଭାଗ ଆପତ୍ତି ଉଠାଇବା ପରେ ସ୍ଥାନ ଓ କୋଠାର ଉଚ୍ଚତାରେ ପରିବର୍ତ୍ତନ କରାଯାଇଛି। ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ରକୁ ୧୦୧.୫୦ ମିଟର ପରେ ନିର୍ମାଣ କରିବା ଓ ଏହାର ଉଚ୍ଚତା ୭.୫୦ ମିଟର ରଖିବାକୁ ସହମତି ମିଳିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe