ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍‌

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

www.jagran.com

ପୁରୀ : ପୁଣିଥରେ ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଯେଉଁଥିରେ ଆନନ୍ଦବଜାରରେ ମହାପ୍ରସାଦ ବିକ୍ରିର ଫଟୋ ରହିଛି। ପିଣ୍ଟୁ ମହାପାତ୍ର ନାମକ ଜଣେ ସୁଆର ସେବକ ଏହି ଫଟୋ ଭାଇରାଲ୍‌ କରିଥିବା ଜଣାପଡ଼ିଛି। ପୁଣିଥରେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବା ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଘଟଣା ସଂପର୍କରେ ଜାଣିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଏ ନେଇ ସିଂହଦ୍ବାର ଥାନାରେ ଅଭିଯୋଗ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶରତ ମିଶ୍ର ଏହି ‌ଏତଲା ଦେଇଛନ୍ତି। ପୁଲିସ ଅଭିଯୋଗକୁ ଭିତ୍ତି କରି ୧୧୬/୧୯ରେ ଏକ ମାମଲା ରୁଜୁ କରିଛି।

ମିଳିଥିବା ସୂଚନା ମୁତାବକ, ପିଣ୍ଟୁ ମହାପାତ୍ର ନାମକ ଜଣେ ଯୁବକ ନିଜ ଫେସ୍‌ବୁକ ଆକାଉଣ୍ଟରେ ଏହି ଫଟୋକୁ ଅପ୍‌ଲୋଡ୍‌ କରିଛନ୍ତି। ପିଣ୍ଟୁ ଆନନ୍ଦବଜାରରେ ବସି ନିଜ ମୋବାଇଲରେ ଖୋଲାଖୋଲି ଫଟୋ ଉଠାଇଥିବାର ଦୃଶ୍ୟ ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି। କାରଣ ଫଟୋଟି ଯେଉଁ ସମୟରେ ଉଠାଯାଇଛି, ସେ ସମୟରେ ଭକ୍ତଙ୍କ ଗହଳିଚହଳି ଆନନ୍ଦବଜାରରେ ଲାଗିଥିବା ଦେଖିବାକୁ ମିଳିଛି। ଏହା ଶ୍ରୀମନ୍ଦିର ଢ଼ିଲା ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe