ଶ୍ରୀମନ୍ଦିର ଫଟୋ ଭାଇରାଲ ଘଟଣା : ୧୩ରେ ଉଚ୍ଚସ୍ତରୀୟ ବୈଠକ

ଶ୍ରୀମନ୍ଦିର ଫଟୋ ଭାଇରାଲ ଘଟଣା : ୧୩ରେ ଉଚ୍ଚସ୍ତରୀୟ ବୈଠକ

ପୁରୀ : ଶ୍ରୀମନ୍ଦିର ଗର୍ଭଗୃହ, ବେଢ଼ା, କୋଇଲି ବୈକୁଣ୍ଠ, ଆନନ୍ଦ ବଜାର ଆଦିର ଫଟୋ ବାରମ୍ବାର ଭାଇରାଲ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଥିବା ଗଳା ବାଟ ଏଥିରୁ ସ୍ପଷ୍ଟ ଦିଶୁଛି। ଏହାକୁ ନେଇ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି ତ୍ରୁଟି ପାଇଁ ସେବାୟତ, ପୁଲିସ ଓ ଗୁମାସ୍ତାଙ୍କୁ ଭକ୍ତମାନେ ଦାୟୀ କରିଛନ୍ତି। ଭକ୍ତିଭାବକୁ ପାଦରେ ଆଡ଼େଇ ଏମାନେ ଶ୍ରୀମନ୍ଦିରକୁ ଅବାଧରେ ମୋବାଇଲ୍ ଫୋନ୍‌ ନେଉଥିବାରୁ ଭକ୍ତମାନେ ବି ମୋବାଇଲ୍ ଫୋନ୍‌ ନେବାକୁ ସାହସ ଜୁଟାଉଛନ୍ତି ବୋଲି ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଗତକାଲିର ଘଟଣା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦେଶ ଦେଇଛନ୍ତି। ଏ ନେଇ ଆସନ୍ତା ୧୩ ତାରିଖରେ ଆଇଜିଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି।

୨୦୧୭ ଫେବ୍ରୁଆରି ୨୬ରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ମୋବାଇଲ୍ ଫୋନ୍ କଟକଣା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କେଉଁମାନେ ମନ୍ଦିରକୁ ମୋବାଇଲ୍ ନେଇପାରିବେ ଓ କେଉଁମାନେ ନେଇପାରିବେନି ସେ ନେଇ ସ୍ପଷ୍ଟ କରାଯାଇଥିଲା। ପରେ ସେବାୟତଙ୍କ ପାଇଁ କ୍ୟାମେରା ନଥିବା ମୋବାଇଲର ବ୍ୟବସ୍ଥା କରାଯାଇଥିଲା, ଯେଉଁଥିରେ ଶ୍ରୀମନ୍ଦିରର ଲୋଗୋ ଲଗାଯାଇଥିଲା। ଲୋଗୋ ଦେଖାଇ ସେବାୟତମାନେ ଶ୍ରୀମନ୍ଦିରକୁ ମୋବାଇଲ୍ ନେଇପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା। କେବଳ ସେବାୟତ ନୁହେଁ, ସୁରକ୍ଷା ଦାୟିତ୍ବରେ ରହୁଥିବା ଜେଟିପି ଓ ଅନ୍ୟ କର୍ମଚାରୀଙ୍କ ପାଇଁ ବି ଏହି ବ୍ୟବସ୍ଥା କରାଗଲା। ସୁଲଭ ମୂଲ୍ୟରେ ବି ମୋବାଇଲ୍ ଫୋନ୍ ଯୋଗାଇ ଦିଆଗଲା। ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସେବାୟତ ଓ ଅନ୍ୟମାନେ ଏହି ମୋବାଇଲ୍ ନେଲେ। କିନ୍ତୁ ପରବର୍ତୀ ସମୟରେ ସେବାୟତମାନେ ଏହି କଟକଣାକୁ ମାନିନଥିଲେ। ସେବେଠୁ ମୋବାଇଲ୍ କଟକଣା ବ୍ୟବସ୍ଥା ହୁଗୁଳା ପଡ଼ିଛି।

ଏ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ଯେହେତୁ ଶ୍ରୀମନ୍ଦିର ଲୋକଙ୍କ ଧାର୍ମିକ ଭାବନା ସହିତ ଜଡ଼ିତ, ଏ ଦିଗ ପ୍ରତି ଲୋକେ ନିଜ ଆଡ଼ୁ ସଚେତନ ହେବା କଥା। ଗତକାଲିର ଏହି ଘଟଣା ଜାଣିବା ପରେ ଆଜି ପୁଲିସ ଆଇଜି ଓ ପୁରୀ ଏସ୍‌ପିଙ୍କ ସହ ଆଲୋଚନା ସେ ଆଲୋଚନା କରିଥିବା କହିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ କୁହାଯାଇଛି। ତଥାପି ଏ ନେଇ ଆସନ୍ତା ୧୩ ତାରିଖରେ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି। ପୁଲିସ ଆଇଜି, ଜିଲ୍ଲାପାଳ, ଏସପି ପ୍ରମୁଖଙ୍କ ଉପସ୍ଥିତିରେ ଏହି ଆଲୋଚନା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe