ଶ୍ରୀମନ୍ଦିର ରତ୍ନଭଣ୍ଡାର ବିବାଦ: ଚାବିକୁ ନେଇ ଥମୁନି ଦ୍ୱନ୍ଦ୍ୱ

Advertisment

୨୦୧୮ ଜୁନ୍‌ ୧୩ରୁ ଅଗଷ୍ଟ ୬ ଭିତରେ ଚାବି ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ହୋଇନି

୨୦୧୮ ଜୁନ୍‌ ୧୩ରୁ ଅଗଷ୍ଟ ୬ ଭିତରେ ଚାବି ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ହୋଇନି

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: ଦୁଇଘଣ୍ଟା ଦର୍ଶନ ବନ୍ଦ

atlasobscura.com

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ବିବାଦ ଥମିବାକୁ ନା ଧରୁନି। ରତ୍ନଭଣ୍ଡାରରେ ଗଚ୍ଛିତ ରତ୍ନ ଅଳଙ୍କାରକୁ ନେଇ ଭକ୍ତ, ସେବାୟତଙ୍କ ମହଲରେ ସନ୍ଦେହ ବଢ଼ିବାରେ ଲାଗିଥିବା ବେଳେ ଆଜିସୁଦ୍ଧା ରତ୍ନଭଣ୍ଡାର ଚାବି ହଜିବା ଉପରୁ ପରଦା ହଟିପାରୁନି। ସତରେ ରତ୍ନଭଣ୍ଡାର ଚାବି ହଜିଥିଲା ନା ଚାବି ହଜିବାର ନାଟକ କରାଯାଇଥିଲା, ତାହା ଆଜି ବି ଭକ୍ତଙ୍କୁ ଆନ୍ଦୋଳିତ କରୁଛି। ଏଭଳି ସ୍ଥିତିରେ ଆଉ ଏକ ନୂଆ ତଥ୍ୟ ପଦାକୁ ଆସିଛି। ଚାବି ହଜିବା କି ପାଇବା ସମ୍ପର୍କରେ ଜିଲ୍ଲାପାଳ କି ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ କୌଣସି ଚିଠି କରାଯାଇନଥିବା ଜଣାପଡ଼ିଛି। ଯାହା ରତ୍ନଭଣ୍ଡାରକୁ ନେଇ ଥିବା ସନ୍ଦେହକୁ ଦ୍ବିଗୁଣିତ କରିଛି।

ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ୧୭ଜଣିଆ କମିଟି ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିଲେ। ନିର୍ଦ୍ଦେଶ ଥିଲା, ରତ୍ନଭଣ୍ଡାରରେ ଗଚ୍ଛିତ ରତ୍ନ, ଅଳଙ୍କାରର ଗଣତି ଓ ମଣତି। ୨୦୧୮ ଏପ୍ରିଲ ୪ରେ ୧୭ଜଣିଆ ଦଳ ବି ବ୍ୟାପକ ସୁରକ୍ଷା ଭିତରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଲେ। କିନ୍ତୁ ଯାଞ୍ଚ ପାଇଁ ଯାଇଥିବା ଦଳ ରତ୍ନଭଣ୍ଡାର ଯାଞ୍ଚ ଆବଶ୍ୟକ ନ ପଡ଼ିବାରୁ ଫେରି ଆସିଥିବା ସଫେଇ ଦେଇଥିଲେ। କିନ୍ତୁ ରତ୍ନଭଣ୍ଡାର ଅବସ୍ଥା ଭଲ ନ ଥିବା ଏବଂ ଏହା ଅସୁରକ୍ଷିତ ଅବସ୍ଥାରେ ଥିବା ୧୭ଜଣିଆ ଦଳ ରିପୋର୍ଟ ଦେଇଥିଲେ। ସେହିଦିନ ସଂଧ୍ୟାରେ ଭୁବନେଶ୍ବରରେ ଗଜପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଯେଉଁଠି ରତ୍ନଭଣ୍ଡାର ଚାବି ହଜିଥିବା ପ୍ରସଙ୍ଗ ଉଠିଥିଲା। ଏହାର ଦୁଇମାସ ପରେ ଅର୍ଥାତ୍‌ ୨୦୧୮ ଜୁନ ୧୩ରେ ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ହଜିଥିବା ଚାବି ମିଳି ଯାଇଥିବା ଗଣମାଧ୍ୟମ ଆ‌ଗରେ ସଫେଇ ଦେଇଥିଲେ। ଏହା ଜିଲ୍ଲା କୋଷାଗାର ବଦଳରେ ଭୁଲ୍‌ରେ ରେକର୍ଡ ରୁମ୍‌ରେ ରହି ଯାଇଥିଲା ବୋଲି ଦର୍ଶାଇଥିଲେ। ଜିଲ୍ଲା ରେକର୍ଡ ରୁମ ଅଧିକାରୀ ମନୋଜ କୁମାର ନାୟକ ଓ ଅନ୍ୟ ଅଧିକାରୀଙ୍କୁ ନେଇ ଗଠିତ ଦଳ ରେକର୍ଡ ରୁମ ଖୋଜାଖୋଜି ବେଳେ ଏହି ଚାବି ୨୦୧୮ ଜୁନ ୧୩ ତାରିଖରେ ପାଇଥିଲେ ବୋଲି ସଫେଇ ଦିଆଯାଇଥିଲା। ଏ ସମ୍ପର୍କରେ ବି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ପତ୍ର ଜରିଆରେ ଅବଗତ କରାଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ।

ଏହି ଆଧାରରେ ସୂଚନା ଅଧିକାର କର୍ମୀ ଦିଲୀପ କୁମାର ବରାଳ ଜିଲ୍ଲା ରେକର୍ଡ ରୁମକୁ ୨୦୧୮ ଜୁନ ୧୩ରୁ ଅଗଷ୍ଟ ୬ ଭିତରେ ରତ୍ନଭଣ୍ଡାର ଚାବି ହଜିବା ସମ୍ପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶ୍ରୀମନ୍ଦିର ପ୍ରଶାସନକୁ ହୋଇଥିବା ଚିଠିର ନକଲ ମାଗିଥିଲେ। କିନ୍ତୁ ଜିଲ୍ଲା ରେକର୍ଡ ରୁମ ଏପରି କୌଣସି ଚିଠି ଶ୍ରୀମନ୍ଦିର ପ୍ରଶାସନକୁ ହୋଇନଥିବା ସ୍ପଷ୍ଟ କରିଛି। ସେପଟେ ଶ୍ରୀ ବରାଳ ଏଥିରେ ସନ୍ତୁଷ୍ଟ ନ ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କ କୋର୍ଟରେ ଅପିଲ୍‌ କରି ଚିଠି ନକଲ ଦେବାକୁ ନିବେଦନ କରିଥିଲେ। ଏହାର ବିଚାର କରି ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲାପାଳଙ୍କ ସାଧାରଣ ଓ ମିସ୍‌ଲାନସ୍‌ ବିଭାଗକୁ ଉତ୍ତର ଦେବାକୁ କହିଥିଲେ। କିନ୍ତୁ ଗତ ଜୁଲାଇ ୩୦ ତାରିଖରେ ଜିଲ୍ଲାପାଳଙ୍କ ସାଧାରଣ ଓ ମିସଲାନସ୍‌ ବିଭାଗ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ରତ୍ନଭଣ୍ଡାର ଚାବି ହଜିବା ଓ ମିଳିବା ସମ୍ପର୍କରେ କୌଣସି ଚିଠି ଶ୍ରୀମନ୍ଦିର ପ୍ରଶାସନକୁ ହୋଇନଥିବା ଚିଠି(୨୬୭୪/୨୭.୭.୨୦୨୨)ରେ ଶ୍ରୀ ବରାଳଙ୍କୁ ଅବଗତ କରିଛି। ୨୦୧୮ ଜୁନ ୧୩ରୁ ଅଗଷ୍ଟ ୬ ଭିତରେ ଜିଲ୍ଲାପାଳ ସେଭଳି କୌଣସି ଚିଠି କରିନଥିବା ବିଭାଗ କହିଛି। ଏଭଳି ସ୍ଥିତିରେ ସେ ସମୟରେ ଜିଲ୍ଲାପାଳ ରତ୍ନଭଣ୍ଡାର ଚାବି ନ ଦେଖାଇ କେବଳ ଏକ ଲଫାଫା ଦେଖାଇ, ଯେଉଁ ତଥ୍ୟ ଗଣମାଧ୍ୟମ ଆଗରେ ରଖିଥିଲେ, ତାହା ଛଳନା ଥିଲା ବୋଲି ଶ୍ରୀ ବରାଳ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe