ତ୍ୱରାନ୍ୱିତ ହେଲା ଶ୍ରୀ ସେତୁ କାର୍ଯ୍ୟ, ଜମି ଅଧିଗ୍ରହଣ ପରେ ନିର୍ମାଣରେ ଅଗ୍ରଗତି

Advertisment
ତ୍ୱରାନ୍ୱିତ ହେଲା ଶ୍ରୀ ସେତୁ କାର୍ଯ୍ୟ, ଜମି ଅଧିଗ୍ରହଣ ପରେ ନିର୍ମାଣରେ ଅଗ୍ରଗତି

ପୁରୀ : ବହୁ ପ୍ରତୀକ୍ଷିତ ଟ୍ରମ୍ପେଡ୍‌ ବ୍ରିଜ୍‌ ଶ୍ରୀ ସେତୁ କାମ ଜୋରସୋରରେ ଆଗେଇ ଚାଲିଛି। ପାଇଲିଂ ସହ ପିଲାର କାମ ଆଗେଇ ଚାଲିଛି। ଭକ୍ତଙ୍କ ସୁବିଧା ତଥା ଟ୍ରାଫିକ୍‌ ସମସ୍ୟା ଦୂର ପାଇଁ ଶ୍ରୀଜଗନ୍ନାଥ ବଲ୍ଲଭରୁ ମଙ୍ଗଳାଘାଟ ପାଇପାସକୁ ଶ୍ରୀସେତୁ ଜରିଆରେ ସଂଯୋଗୀକରଣ ଲକ୍ଷ୍ୟ ରଖାଯାଇଥିବାବେଳେ ଏ ଭିତରେ ଶ୍ରୀଜଗନ୍ନାଥ ବଲ୍ଲଭରୁ ଏକାଧିକ ପିଲାର ପଡ଼ି ସାରିଛି। ବାକି ପିଲାର ନିର୍ମାଣ କାମ ଜାରି ରହିଛି। ଏଥିପାଇଁ ରଡ୍‌ ବାଇଣ୍ଡିଂ କାମ ଚାଲିଥିବାବେଳେ ବାକି ରାସ୍ତା ସଂଯୋଗୀକରଣ କାମ ବି ଆଗେଇ ଚାଲିଛି। ସେପଟେ ଶ୍ରୀସେତୁ ସହ ସଂଯୋଗ କରୁଥିବା ବହୁତଳ ପାର୍କିଂ କାମ ବି ଜୋରସୋରରେ ଚାଲିଛି। ଏଥିପାଇଁ ପିଲାର ସହ ପାଇଲିଂ କାମ ଜାରି ରହିଛି।

ଶ୍ରୀ ସେତୁ ପ୍ରକଳ୍ପର ରୂପରେଖ ଅନୁଯାୟୀ, ମଙ୍ଗଳାଘାଟ ପାଇପାସ୍‌ଠାରେ ଏକ ଗୋଲେଇ ଓଭରବ୍ରିଜ୍‌ ତିଆରି ହେବ। ସେଠାରେ ଓଭରବ୍ରିଜ୍‌ ସହ ଉଭୟ ବ୍ରହ୍ମଗିରି ଓ ଭୁବନେଶ୍ବର ରାସ୍ତା ସଂଯୋଗ କରିବ। ଯଦ୍ବାରା ଯାତ୍ରୀ ତଥା ପର୍ଯ୍ୟଟକ ଯିବା ଆସିବା ବେଳେ ଦ୍ବନ୍ଦ୍ବରେ ପଡ଼ିବେନି। ପରେ ଏହି ଓଭରବ୍ରିଜ୍‌ ମାଟିତୋଟା ଦେଇ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରରେ ସରିବ। ଏହିଠାରେ ଓଭରବ୍ରିଜ୍‌ରୁ ଓହ୍ଲାଇବା ପରେ ପର୍ଯ୍ୟଟକ ତଥା ଭକ୍ତମାନେ ବହୁତଳ ପାର୍କିଂରେ ଗାଡ଼ି ପାର୍କିଂ କରିବେ। ଏଣୁ ବହୁତଳ ପାର୍କିଂ କାମ ବି ଜୋରସୋରରେ ଆଗେଇ ଚାଲିଛି। ଓବିସିସି ଡିଜିଭନ୍‌-୨ ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ କହିଛନ୍ତି, ଶ୍ରୀସେତୁ ପାଇଁ ଜଗନ୍ନାଥବଲ୍ଲଭରୁ ଓଭରବ୍ରିଜ୍‌ ବାହାରି ବ୍ରହ୍ମଗିରି ରାସ୍ତା ଅତିକ୍ରମ କରିବା ପରେ ମାଟିତୋଟା ପାଖରେ ପହଞ୍ଚିବ। ପରେ କିଛି ବାଟ ରାସ୍ତା ତିଆରି ହେବ। ପରେ ପୁନର୍ବାର ବାଇପାସ ରାସ୍ତା ସଂଯୋଗ ପୂର୍ବରୁ ଆଉ ଏକ ଓଭରବ୍ରିଜ୍‌ ମଙ୍ଗଳାଘାଟ ପାଇପାସକୁ ଅତିକ୍ରମ କରିବ। ଏ ଭିତରେ ଶ୍ରୀସେତୁର ପାଇଲିଂ କାମ ପ୍ରାୟ ଶେଷ ହୋଇ ସାରିଛି। ପିଲାର କାମ ଆଗେଇ ବି ଜୋରସୋରରେ ଚାଲିଛି। ଖୁବଶୀଘ୍ର ଓଭରବ୍ରିଜ୍‌ର ଉପରିଭାଗ କାମ ଆରମ୍ଭ ହେବ ଓ ମାପ ଅନୁସାରେ ଯୋଡ଼େଇ ହେବ ବୋଲି ଇଂ. ପାଢ଼ୀ କହିଛନ୍ତି।

ଶ୍ରୀମନ୍ଦିର ଐତିହ୍ୟ କରିଡର ଭଳି ଶ୍ରୀସେତୁ ପାଇଁ ରାଜ୍ୟ ସରକାର ‌ସ୍ବତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ପ୍ୟାକେଜ୍‌ ଅନୁସାରେ ଶ୍ରୀ ସେତୁ ପ୍ରକଳ୍ପ ଦ୍ବାରା ପ୍ରଭାବିତ ହେଉଥିବା କୃଷି ଶ୍ରମିକମାନଙ୍କୁ ଦୈନିକ ୩୧୫ ଟଙ୍କାର ମଜୁରି ହିସାବରେ ସର୍ବନିମ୍ନ ୨ଶହ ଦିନର ୬୩ହଜାର ଟଙ୍କା ପ୍ରଦାନ କରାଯାଇଛି। ସେହିଭଳି ପ୍ରଭାବିତ କ୍ଷୁଦ୍ର ଦୋକାନୀ, କାରିଗର, ବ୍ୟବସାୟୀଙ୍କୁ ୨୫ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସରକାରୀ ଜମି, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି ଓ ମଠ ଜାଗ‌ାରେ ବେଆଇନ୍‌ ଭାବେ ଗୃହ ନିର୍ମାଣ କରି ବସବାସ କରି ଆସୁଥିବା ପରିବାରଙ୍କୁ ବି ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି-୨୦୦୬ର ଅନୁଚ୍ଛେଦ ୯(ବି) ଅନୁଯାୟୀ ଘର ନିର୍ମାଣ ବାବଦକୁ ୩ ଲକ୍ଷ ୨୩ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଶ୍ରୀସେତୁ ପ୍ରକଳ୍ପ ପାଇଁ ପୁରୀ ସଦର ବ୍ଲକର ସମଙ୍ଗ, ମାଟିତୋଟା, ମାର୍କଣ୍ତେଶ୍ବର ସାହି-୧ ମୌଜାର ମୋଟ ୩୭ ଏକର ୯୮୪ ଡିସିମିଲ ଜମି ଅଧିଗ୍ରହଣ ଲକ୍ଷ୍ୟ ରଖାଯାଇଥିବାବେଳେ ଏ ଭିତରେ ପ୍ରାୟ ଜମି ଅଧିଗ୍ରହଣ କାମ ଶେଷ ହୋଇଛି। ସେହିଭଳି ସରକାରୀ, ଶ୍ରୀଜଗନ୍ନାଥଙ୍କ ଜମି ଓ ମଠ ଜାଗାରେ ବେଆଇନ ଭାବେ ଘର କରି ରହୁଥିବା ଲୋକଙ୍କୁ ପୁନର୍ବାସ ଓ ଥଇଥାନ ପ୍ୟାକେଜ୍‌ରେ ସଂପୃକ୍ତ ଗୃହର ମୂଲ୍ୟ, ଘର ନିର୍ମାଣ ସହାୟତା ବାବଦ ପ୍ରତ୍ୟେକ ପରିବାରକୁ ୨ ଲକ୍ଷ ୭୩ ହଜାର ଟଙ୍କା ପ୍ରଦାନ କରାଯାଇଛି। ସେହିଭଳି ବିସ୍ଥାପିତ ସ୍ଥାନରୁ ସ୍ଥାନାନ୍ତର ଭତ୍ତା ଭାବେ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe