ଏସଏସବିର ଅଧ୍ୟାପକ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତି ରଦ୍ଦ କଲେ ହାଇକୋର୍ଟ

ଏସଏସବି ପକ୍ଷରୁ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ଅଧ୍ୟାପକ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୟୁଜିସି ନିୟମାବଳୀ ଓ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଆଧରରେ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରିବାକୁ କହିଛନ୍ତି।

Odisha HC

କଟକ: ‌ଷ୍ଟେଟ୍ ସିଲେକ୍ସନ ବୋର୍ଡ (ଏସଏସବି) ପକ୍ଷରୁ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ଅଧ୍ୟାପକ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୟୁଜିସି ନିୟମାବଳୀ ଓ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଆଧରରେ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରି ଏସଏସବି ପକ୍ଷରୁ ସାନି ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରାଯାଇ ପାରିବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଡକ୍ଟର ଅମୀୟ ରଂଜନ ବାରିକ, ଜୟପ୍ରକାଶ ନାୟକ ଓ ଅନ୍ୟମାନଙ୍କ ତରଫରୁ ଦାୟର ମାମଲା ଗୁଡ଼ିକର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି। 

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୪, ମାର୍ଚ୍ଚ ୯ରେ ଏସଏସବି ପକ୍ଷରୁ ରାଜ୍ୟର ବିଭିନ୍ନ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ୭୮୬ଟି  ଅଧ୍ୟାପକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁମାନେ କେବଳ ସ୍ନାତକୋରରେ ୫୫ ପ୍ରତିଶତ ମାର୍କ ରଖିଥିବେ ସେମାନେ ଅାବେଦନ କରିବାକୁ ଯୋଗ୍ୟ ହେବେ ବୋଲି ନିଯୁକ୍ତି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା।

ଏପରି ସର୍ତ୍ତ ୟୁଜିସି ନିୟମାବଳୀର ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ହୋଇଥିଲା। ଆବେଦନକାରୀଙ୍କ ତରଫରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ୟୁଜିସି ନିୟମାବଳୀ ଅନୁସାରେ ପିଜି ସହିତ ପିଏଚଡି ଓ ନେଟ୍ ଆଦିକୁ ଯୋଗ୍ୟତା ମାନଦଣ୍ଡ ଭାବେ ଧାର୍ଯ୍ୟ କରାଯାଇଛି। 

ସେହିଭଳି ଭାବେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ୧୯୯୯, ଡିସେମ୍ବର ୩୧ର ବିଜ୍ଞପ୍ତ‌ିରେ ମଧ୍ୟ ସିଧା ସଳଖ ଅଧ୍ୟାପକ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ସ୍ନାତୋକତ୍ତରରେ ୫୫ ପ୍ରତିଶତ ମାର୍କ ସହିତ ନେଟ୍ ଯୋଗ୍ୟତା ପ୍ରସଂଗରେ ଉଲ୍ଲେଖ କରାଯାଇଥିଲା। ଅଧ୍ୟାପକ ନିଯୁକ୍ତି ପ୍ରସଂଗରେ ୟୁଜିସି ନିୟମାବଳୀ ଅନୁପାଳନ କରାଯିବ ବୋଲି ରାଜ୍ୟ ସରକାରଙ୍କ ମଧ୍ୟ ବିଜ୍ଞପ୍ତି ରହିଛି। ହେଲେ ଏସଏସବି ନିଯୁକ୍ତି ବିଜ୍ଞପ୍ତିରେ ୟୁଜିସି ନିୟମାବଳୀ ଓ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଉଲ୍ଲଘଂନ କରି ପ୍ରାର୍ଥୀଙ୍କ ପାଇଁ ଯୋଗ୍ୟତା ମାପଦଣ୍ଡ ଧାର୍ଯ୍ୟ କରାଯାଇଛି ବୋଲି ଆବେଦନକାରୀ ଦର୍ଶାଇଥିଲେ।

ଓଡ଼ିଶା ଲୋକସେବା ଆୟୋଗ ତରଫରୁ ଅଧ୍ୟାପକ ନିଯୁକ୍ତି ବେଳେ ୟୁଜିସି ନିୟମାବଳୀ ପାଳନ କରି ପ୍ରାର୍ଥୀଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଉଛି। ତେଣୁ ଏସଏସବି ମଧ୍ୟ ଏହି ଆଧାରରେ ଅଧ୍ୟାପକ ନିଯୁକ୍ତି ବେଳେ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରିବା କଥା। ଏପରି କରାଯାଇ ନଥିବାରୁ ଏସଏସବି ବିଜ୍ଞପ୍ତିକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସୋଭାଗ୍ୟ ସ୍ବାଇଁ ଓ ଶୈଳେଶ ଦାସ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe