ଏସ୍‌ଟିଏ ଯୁଗ୍ମ କମିସନର ଗିରଫ: ସରୁନି ସମ୍ପତ୍ତି ହିସାବ, ମିଳିଲା ୨ କୋଟିର ସୁନା, ନଗଦ ୧୭.୫୫ ଲକ୍ଷ

ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ଏସ୍‌ଟିଏର ଯୁଗ୍ମ କମିସନର ପ୍ରଦୀପ କୁମାର ମହାନ୍ତି। କିନ୍ତୁ ତାଙ୍କ ସମ୍ପତ୍ତି ହିସାବ ଏଯାଏଁ ସରିନାହିଁ। ଆସନ୍ତାକାଲି ସମ୍ପତ୍ତି ହିସାବ ସରିବା ପରେ ତାଙ୍କୁ କୋର୍ଟରେ ହାଜର କରି ଜେଲ୍ ହାଜତକୁ ପଠାଯିବ।

ssdsdcxxc

କଟକ: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ଏସ୍‌ଟିଏର ଯୁଗ୍ମ କମିସନର ପ୍ରଦୀପ କୁମାର ମହାନ୍ତି। କିନ୍ତୁ ତାଙ୍କ ସମ୍ପତ୍ତି ହିସାବ ଏଯାଏଁ ସରିନାହିଁ। ଆସନ୍ତାକାଲି ସମ୍ପତ୍ତି ହିସାବ ସରିବା ପରେ ତାଙ୍କୁ କୋର୍ଟରେ ହାଜର କରି ଜେଲ୍ ହାଜତକୁ ପଠାଯିବ। ଆଜି ସୁଦ୍ଧା ମୋଟ ୨ କେଜି ୧୦୦ ଗ୍ରାମ ଓଜନର ସୁନା ଅଳଙ୍କାର ଓ ୧୭ ଲକ୍ଷ ୫୫ ହଜାର ଟଙ୍କା ଜବତ ହୋଇଛି। ଶ୍ରୀ ମହାନ୍ତି ଏମ୍‌ଭିଆଇ ଓ ଆରଟିଓ ଥିବା ସମୟରେ ଅସାଧୁ ଉପାୟରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପ୍ରାଥମିକ ଭାବେ ପ୍ରମାଣ ପାଇଛି। 

ସୂଚନା ଅନୁଯାୟୀ, କଟକ ଏସ୍‌ଟିଏରେ ଏବେ ଯୁଗ୍ମ କମିସନର ଥିବା ପ୍ରଦୀପ କୁମାର ମହାନ୍ତି ୧୯୯୦ ନଭେମ୍ବର ୯ରେ ମୟୁରଭଞ୍ଜ ଜିଲ୍ଲା ଜାମଶୋଳାରେ ଜୁନିୟର ଏମ୍‌ଭିଆଇ ଭାବେ ଚାକିରି ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଏମ୍‌ଭିଆଇ, ଅତିରିକ୍ତ ଆରଟିଓ, ଅତିରିକ୍ତ ଆରଟିଓ (ଏନ୍‌ଫୋର୍ସମେଣ୍ଟ), ଡେପୁଟି କମିସନର ଓ ଶେଷରେ ୨୦୨୨ ଜୁଲାଇରୁ ଯୁଗ୍ମ କମିସନର ପାହ୍ୟାକୁ ପଦୋନ୍ନତି ପାଇଥିଲେ। ୨୦୨୩ ଜୁଲାଇରୁ ସେ କଟକ ଏସଟିଏ (ସଡ଼କ ସୁରକ୍ଷା)ର ଯୁଗ୍ମ କମିସନର ଭାବେ କାର୍ଯ୍ୟ କରିଆସୁଥିଲେ। ତେବେ ଶ୍ରୀ ମହାନ୍ତି ଏମ୍‌ଭିଆଇ, ଆରଟିଓ ଥିବା ସମୟରେ ବିପୁଳ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ହାତରେ ସୁରାକ ଲାଗିଥିଲା। ଭିଜିଲାନ୍ସ ନିକଟରେ ତାଙ୍କର ଦୁର୍ନୀତି ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ ପହଞ୍ଚିବା ପରେ ଭିଜିଲାନ୍ସ ଟିମ୍ ଗୁରୁବାର କଟକ ଏସ୍‌ଟିଏ କାର୍ଯ୍ୟାଳୟ ସମେତ ଶ୍ରୀ ମହାନ୍ତିଙ୍କ ୯ଟି ଠିକଣାରେ ଚଢ଼ଉ କରିଥିଲା। 

କଟକ ଭିଜିଲାନ୍ସ ମୁଖ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଶ୍ରୀ ମହାନ୍ତିଙ୍କ ସଂପତ୍ତି ମଧ୍ୟରେ ୩ଟି ବହୁତଳ କୋଠା, ଭୁବନେଶ୍ବରରେ ୪ ବଖରା ଘର କିଣିବାକୁ ଦେଇଥିବା ୧ କୋଟି ଟଙ୍କା, ପୁରୀରେ ୨ଟି ବେନାମୀ ଫ୍ଲାଟ୍‌, ୧୧ଟି ପ୍ଲଟ୍‌, ୧୪ ଏକର ପରିମିତ ଜମିରେ ଫାର୍ମ ହାଉସ, ୨ କେଜି ୧୦୦ ଗ୍ରାମ ଓଜନର ସୁନା ଅଳଙ୍କାର, ନଗଦ ୧୭ ଲକ୍ଷ ୫୫ ହଜାର ଟଙ୍କା ଏବଂ ଦୁଇଟି ବେନାମୀ ଚାରିଚକିଆ ଗାଡ଼ି ଜବତ ହୋଇଛି। ଶ୍ରୀ ମହାନ୍ତି ଜବତ ବେନାମୀ ସମ୍ପତ୍ତି ସମ୍ପର୍କରେ ଭିଜିଲାନ୍ସକୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe