Gear Patrol
ଭୁବନେଶ୍ୱର: ନୂଆ ମୋଟରଯାନ ଆଇନ୍ ଲାଗୁ ପରେ ଗାଡ଼ି ଚାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେଣି। ଗାଡ଼ିର ବୀମା, କ୍ରୟ କାଗଜପତ୍ର ଓ ଲାଇସେନ୍ସ ଆଦି ପାଖରେ ନରଖି ଗାଡ଼ି ଚଳାଇଲେ ଦେବାକୁ ପଡୁଛି ମୋଟା ଅଙ୍କର ଜରିମାନା। ଏ ନେଇ ଅନେକ ଗଣ୍ଡଗୋଳ ମଧ୍ୟ ଉପୁଜି ସାରିଲାଣି।
ନୂଆ କରି ଗାଡ଼ି କିଣୁଥିବା ଲୋକଙ୍କ ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍ଟିଏ) ପକ୍ଷରୁ ଏକ ଟ୍ଵିଟ୍ କରାଯାଇ ସୂଚନା ଜାରି କରାଯାଇଛି ଯେ, ‘ମୋଟରଯାନ ଆଇନ୍ ୧୯୮୮ର ଧାରା ୪୧(୬) ଆଧାରରେ ଡିଲରମାନେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ରେ ସ୍ଥାୟୀ ରେଜିଷ୍ଟ୍ରେସନ୍ ନମ୍ବର ନ ଲେଖି ଗ୍ରାହକଙ୍କୁ ଗାଡ଼ି ହସ୍ତାନ୍ତର କରିପାରିବେ ନାହିଁ। ଏଥିରେ ଖିଲାପ ହେଲେ କ୍ରେତା ଓ ଡିଲର୍ ଉଭୟ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ।’
କେବଳ ଦଣ୍ଡ ନୁହେଁ ବରଂ ଖିଲାପକାରୀ ଡିଲର୍ଙ୍କ ଟ୍ରେଡ୍ ସାର୍ଟିଫିକେଟ ମଧ୍ୟ ରଦ୍ଦ କରାଯାଇପାରେ। ତେବେ, ଏହି କ୍ଷେତ୍ରରେ କ୍ରେତାମାନେ ୧୦ ହଜାର ଟଙ୍କା ଜରିମାନା ଦେବା ସହ ୧ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ମଧ୍ୟ ଭୋଗିପାରନ୍ତି। ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ନମ୍ବର ପ୍ଲେଟ୍ ନଥିବା ଏକ ହୋଣ୍ଡା ଆକ୍ଟିଭା ଧରାପଡ଼ିବା ପରେ ଉଭୟ ଗ୍ରାହକ ଓ ଡିଲର୍ଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିଥିଲା।
Follow Us