ତାଳଚେର କଲେଜରେ ଛାତ୍ରଙ୍କୁ ଛୁରାମାଡ଼

Advertisment

୪/୫ ଜଣ ଅଣଛାତ୍ରଙ୍କ ଗୁଣ୍ଡାରାଜ, ଶ୍ରେଣୀ ଭିତରୁ ଘୋଷାଡ଼ି ଆଣି ଆକ୍ରମଣ

୪/୫ ଜଣ ଅଣଛାତ୍ରଙ୍କ ଗୁଣ୍ଡାରାଜ, ଶ୍ରେଣୀ ଭିତରୁ ଘୋଷାଡ଼ି ଆଣି ଆକ୍ରମଣ

ତାଳଚେର କଲେଜରେ ଛାତ୍ରଙ୍କୁ ଛୁରାମାଡ଼

ତାଳଚେର : ତାଳଚେର କଲେଜରେ ବୁଧବାର ଦିନ କେତେକ ଅଣଛାତ୍ର ଜଣେ ଯୁକ୍ତଦୁଇ ଛାତ୍ରଙ୍କୁ ମାଡ଼ମାରିବା ସହିତ ଏକ ଛୁରିରେ ଆକ୍ରମଣ କରିଛନ୍ତି। ଏହି ଘଟଣା ଅଭିଭାବକ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି।

ସୂଚନା ମୁତାବକ, ବୁଧବାର ଦିନ ପ୍ରାୟ ସାଢ଼େ ୧୨ଟାବେଳେ ୪/୫ ଜଣ ଅଣଛାତ୍ର କଲେଜ ଭିତରକୁ ଯାଇ ଜଣେ ଯୁକ୍ତଦୁଇ ଛାତ୍ରଙ୍କୁ ଖୋଜିଥିଲେ। ସଂପୃକ୍ତ ଛାତ୍ର ପଢ଼ୁଥିବା ନିର୍ଦ୍ଦିଷ୍ଟ ଶ୍ରେଣୀକକ୍ଷ ଖୋଜି ପାଇବାପରେ ଭିତରକୁ ପଶି ତାଙ୍କୁ ବେଞ୍ଚ ଉପରେ ଛିଡ଼ା ହେବାକୁ କହିଥିଲେ। ଏହାପରେ ସର୍ବସମ୍ମୁଖରେ ଛାତ୍ରଙ୍କୁ ବିଧା ଗୋଇଠା ମାରି କୋଠରିରୁ ବାହାରକୁ ଘୋଷାଡ଼ି ଆଣିଥିଲେ। ଜଣେ ଯୁବକ ଏକ ଛୁରିରେ ତାଙ୍କ ବେକ କାଟି ଦେଇଥିଲା। ଫଳରେ ଛାତ୍ର ଜଣକ ରକ୍ତାକ୍ତ ଅବସ୍ଥାରେ ସେଠାରେ ପଡ଼ିଯାଇଥିଲେ। ଏହି ଘଟଣା ଛାତ୍ରଛାତ୍ରୀଙ୍କ ମହଲରେ ଆତଙ୍କ ଖେଳାଇ ଦେଇଥିଲା। ସେମାନେ ହୋ’ହଲ୍ଲା କରିବା ସହ କଲେଜ ବାହାରକୁ ଦୌଡ଼ି ପଳାଇଥିଲେ। ଛାତ୍ରଛାତ୍ରୀଙ୍କ ପାଟିଶୁଣି ଅଧ୍ୟାପକମାନେ ଘଟଣାସ୍ଥଳକୁ ଯାଇ ଜଣେ ଛାତ୍ର ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଅନ୍ୟ ଛାତ୍ରମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ପରେ ତାଳଚେର ଥାନାକୁ ନେଇ ଏ ସଂପର୍କରେ ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ ଯେ କିଛିମାସ ପୂର୍ବରୁ କିଛି ଅଣଛାତ୍ର କଲେଜ କ୍ୟାଣ୍ଟିନ୍‌ ପାଖରେ ଛାତ୍ରୀମାନଙ୍କୁ ଅଶାଳୀନ ବ୍ୟବହାର କରିବା ସହିତ ଧମକ ଦେଇଥିଲେ। ସେହିଦିନଠାରୁ ଦୁଇଜଣ ଛାତ୍ରୀ କଲେଜକୁ ଆସୁନାହାନ୍ତି ବୋଲି କଲେଜର ଜଣେ ବରିଷ୍ଠ ଅଧ୍ୟାପକ କହିଛନ୍ତି। ଆଜିର ଘଟଣା ଏବଂ ପୂର୍ବର ଘଟଣାକୁ ନେଇ କିଛି ଅଭିଭାବକ ଉଦ୍‌ବେଗ ପ୍ରକାଶ କରିବା ସହ ସେମାନଙ୍କ ଝିଅକୁ କଲେଜକୁ ଛାଡ଼ିବେ ନାହିଁ ବୋଲି ପ୍ରକାଶ କରିଛନ୍ତି। ଘଟଣା ସଂପର୍କରେ ତାଳଚେର କଲେଜ ଅଧ୍ୟକ୍ଷ ବିନୟ ଖିଲାରଙ୍କୁ ପଚାରିବାରୁ ସେ କହିଛନ୍ତି, ‘ କିଏ କାହିଁକି ଏଭଳି କାଣ୍ଡ କଲା, ସେ ସଂପର୍କରେ ତାଙ୍କ ପାଖରେ ଅଭିଯୋଗ ହୋଇନାହିଁ। ଅନ୍ୟପକ୍ଷରେ, କଲେଜ ସିସିଟିଭି କିଛିଦିନ ହେଲା ଅଚଳ ହୋଇପଡ଼ିଥିବା ଜଣାପଡ଼ିଛି। ଗଣ୍ଡଗୋଳର ଫୁଟେଜ୍‌ ନଥିବାବେଳେ ଏ ବାବଦରେ କଲେଜ ପକ୍ଷରୁ ଥାନାରେ କିଛି ଅଭିଯୋଗ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe