sisat
ଯୋଡ଼ା: ଏକ ଘରୋଇ କମ୍ପାନିରେ କାମ କରୁଥିବା ଠିକା ଶ୍ରମିକଙ୍କୁ ଦୁର୍ବୃତ୍ତମାନେ ବାହାରକୁ ଡାକି ନେଲେ। ଛୁରି ଭୁସି ହତ୍ୟା କରିବା ପରେ ଫେରାର ହୋଇଗଲେ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ସହରର ଗଣେଶଭବନଠାରେ। ମୃତ ଶ୍ରମିକ ଜଣଙ୍କ ହେଲେ ନାଜିମ ଶେଖ୍ (୨୨)। ତାଙ୍କ ଘର ପଶ୍ଚିମବଙ୍ଗ ରାଜ୍ୟର ମୁର୍ଶିଦାବାଦ ଅଞ୍ଚଳରେ ବୋଲି ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ନାଜିମ ଟାଟଷ୍ଟିଲ କମ୍ପାନିରେ ଜଣେ ଠିକାଦାରଙ୍କ ଅଧୀନରେ ରହି ଇଲେକ୍ଟ୍ରିକାଲ ସହାୟକ ଭାବେ କାମ କରୁଥିଲେ। ଯୋଡ଼ା ଗଣେଶଭବନରେ ସେ ଓ ତାଙ୍କ ସାନଭାଇ ସମୟାନ ଶେଖ୍ ରହୁଥିଲେ। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ନାଜିମଙ୍କୁ ଦୁଇଜଣ ଦୁର୍ବୃତ୍ତ ବାହାରକୁ ଡକାଇ ଥିଲେ। ଗେଟ୍ ବାହାରେ କୌଣସି କାରଣରୁ ସେମାନଙ୍କ ସହ ନାଜିମଙ୍କ ବଚସା ହୋଇଥିଲା। ପରେ ଦୁର୍ବୃତ୍ତମାନେ ନାଜିମଙ୍କୁ ଛୁରି ଭୁସି ସେଠାରୁ ଆଖିପିଛୁଳାକେ ଫେରାର ହୋଇଯାଇଥିଲେ। ନାଜିମଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ। ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ଏନେଇ ନାଜିମଙ୍କ ସାନଭାଇ ସମୟାନ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଆଧାର କରି ଯୋଡ଼ା ଥାନାରେ କେସ୍ ନମ୍ବର ୫୨/୨୦୨୨ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଥିବା ଯୋଡ଼ା ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ତେବେ କେଉଁ କାରଣରୁ ନାଜିମଙ୍କୁ ହତ୍ୟା କରାଗଲା ସେ ସମ୍ପର୍କରେ କିଛି ସୂଚନା ମିଳିପାରିନି।
Follow Us