Manoramaonline
କଟକ : କରୋନା ଆଇସୋଲେସନ୍ ୱାର୍ଡରେ କାର୍ଯ୍ୟ କରୁଥିବା ଏସ୍ସିବିର ଦୁଇଜଣ ଷ୍ଟାଫ୍ନର୍ସ କାମ ସାରି ଭଡ଼ାଘରକୁ ଫେରିବା ପରେ ମାଲିକ ମାଗିଛନ୍ତି ଟେଷ୍ଟ୍ ରିପୋର୍ଟ। ରିପୋର୍ଟ ନ ଦେଖାଇଲେ ଘରେ ପୂରାଇ ଦେବେନି ବୋଲି ରୋକଠୋକ୍ ମନା କରି ଦେଇଛନ୍ତି। ଏ ସଂପର୍କରେ ଷ୍ଟାଫ୍ନର୍ସଦ୍ବୟ ଏସ୍ସିବି ଅଧୀକ୍ଷକ, ପ୍ରାଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀଙ୍କ ପ୍ରତି ସମସ୍ତେ ସମ୍ମାନ ପ୍ରଦାନ କରନ୍ତୁ ବୋଲି ସରକାର କହିଥିବାବେଳେ କରୋନା ଆଇସୋଲେସନ୍ ୱାର୍ଡରେ ଡ୍ୟୁଟି କରିଥିବା ନର୍ସଙ୍କ ପ୍ରତି ଗୃହକର୍ତ୍ତାଙ୍କ ଏଭଳି ଆଚରଣ ନେଇ ଏସ୍ସିବିରେ କାର୍ଯ୍ୟରତ ଷ୍ଟାଫ୍ନର୍ସଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁସାରେ, ଏସ୍ସିବିର ଏକ ନିର୍ଦ୍ଦିଷ୍ଟ ବିଭାଗରେ କାର୍ଯ୍ୟରତ ଦୁଇଜଣ ଷ୍ଟାଫ୍ନର୍ସଙ୍କର ଏସ୍ସିବିରେ ଖୋଲାଯାଇଥିବା ସ୍ବତନ୍ତ୍ର କରୋନା ୱାର୍ଡରେ ଡ଼୍ୟୁଟି ଲାଗିଥିଲା। ଡ୍ୟୁଟି ପରେ ସେ ଦୁହିଁଙ୍କୁ ନର୍ସିଂକେନ୍ଦ୍ରରେ ଥିବା କ୍ବାରାଣ୍ଟିନ୍ କେନ୍ଦ୍ରରେ ରହିବା ପାଇଁ କୁହାଯାଇଥିଲା। ସେଠାରେ ରହିବା ପରେ ମଲାସାହିରେ ନେଇଥିବା ଭଡ଼ାଘରକୁ ଯାଇଥିଲେ। କିନ୍ତୁ ମାଲିକ ତାଙ୍କୁ ଘରେ ପୂରାଇ ଦେଇ ନଥିଲେ ବୋଲି ନର୍ସଦ୍ବୟ ଅଭିଯୋଗ କରିବା ସହ ଏ ସଂପର୍କରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏପରିକି, ଫିଟ୍ନେସ୍ ସାର୍ଟିଫିକେଟ୍ ନ ମିଳିଲେ ମାଲିକ ପୂରାଇ ଦେବେ ନାହିଁ ବୋଲି କହୁଥିବାରୁ ତୁରନ୍ତ ତାଙ୍କୁ ଫିଟ୍ନେସ୍ ସାର୍ଟିଫିକେଟ୍ ପ୍ରଦାନ କରିବା ପାଇଁ ନର୍ସଦ୍ବୟ କର୍ତ୍ତୃପକ୍ଷଙ୍କୁ କହିଥିବା ଜଣାପଡ଼ିଛି। ମାଗିଥିଲେ।
ଏହି ଘଟଣାକୁ ନେଇ ଏସ୍ସିବି କରୋନା ଆଇସୋଲେସନ୍ ୱାର୍ଡରେ ଡ୍ୟୁଟି କରୁଥିବା କର୍ମଚାରୀ ଓ ଭଡାଘର ନେଇ ରହୁଥିବା କର୍ମଚାରୀ ମହଲରେ ଆତଙ୍କ ସୃଷ୍ଟି ହୋଇଛି। ଏ ସଂପର୍କରେ ଏସ୍ସିବି କର୍ତ୍ତୃପକ୍ଷ କୌଣସି ମତାମତ ଦେବାକୁ ମନା କରିଦେଇଛନ୍ତି। ଅନ୍ୟପଟେ ଉଭୟ ଷ୍ଟାଫ୍ନର୍ସ ଏବେ ନର୍ସିଂ ସ୍କୁଲରେ ଖୋଲାଯାଇଥିବା କେନ୍ଦ୍ରରେ ରହିଥିବା ଜଣାପଡିଛି।
  
 Follow Us