୪୮୮ କଲେଜ କର୍ମଚାରୀଙ୍କୁ ଅଣଦେଖା; ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି

Advertisment
୪୮୮ କଲେଜ କର୍ମଚାରୀଙ୍କୁ ଅଣଦେଖା; ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି

ଭୁବନେଶ୍ୱର : ୪୮୮ କଲେଜରେ କାର୍ଯ୍ୟରତ ରାଜ୍ୟ ଦରମାପ୍ରାପ୍ତ ଡେମୋନ୍‌ଷ୍ଟ୍ରେଟର୍‌, ବିଇଡି, ଲାଇବ୍ରେରିଆନ୍‌, କ୍ଲର୍କ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ କ୍ରମାଗତ ଭାବେ ଅଣଦେଖାର ଅଭିଯୋଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛି ଓଡ଼ିଶା ବେସରକାରୀ କଲେଜ କର୍ମଚାରୀ ସଂଘ। ଦେବରାୟ କଲେଜରେ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।

ସଭାପତି ସଚିତ୍ର କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂଘ ଅଭିଯୋଗ କରିଛି ଯେ, ଉକ୍ତ କର୍ମଚାରୀମାନେ ୧୯୯୦ରେ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ ଟିବିଏରେ ଅନ୍ତର୍ଭୁକ୍ତ ହୋଇଥିିବା ବେଳେ ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଉକ୍ତ କର୍ମଚାରୀମାନଙ୍କୁ ଏସିପି କିମ୍ବା ଆର୍‌ଏସିପିରେ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ଉକ୍ତ କର୍ମଚାରୀମାନେ ଟିବିଏ ପାଇନଥିବା ଆଧାରରେ ଅର୍ଥ ବିଭାଗ ପ୍ରତ୍ୟାଖ୍ୟାନ କରିଥିଲା। ମାତ୍ର ଏହିସବୁ କଲେଜରେ ୨୦୧୪ରେ ଏକ ନୂତନ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟ ସରକାର ରାଜ୍ୟ ଦରମାପ୍ରାପ୍ତ ଅଧ୍ୟାପକଙ୍କ ପାଇଁ ପଦୋନ୍ନତି ବ୍ୟବସ୍ଥାକୁ ୨୦୧୪ ଜାନୁଆରି ପହିଲାରୁ ଲାଗୁ କରିଛନ୍ତି। ଯଦ୍ୱାରା ଅଧ୍ୟାପକଙ୍କ ମୂଳ ଦରମା ବୃଦ୍ଧି ସହିତ ସେମାନଙ୍କ ଗ୍ରେଡ୍‌ ପେ’କୁ ୪୬୦୦ରୁ ୬୬୦୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଏପରିକି ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀଙ୍କୁ ୨୦୧୫ରୁ ଆର୍‌ଏପିସିରେ ଅନ୍ତର୍ଭୁକ୍ତ କରାଯାଇଛି। କ୍ରମାଗତ ଅବହେଳାର ଶିକାର ହୋଇଥିବା ଉକ୍ତ କର୍ମଚାରୀଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ ସଂଘର ଅଭିଯୋଗ ତଥା ଅନୁରୋଧକ୍ରମେ ସପ୍ତମ ବେତନ କମିସନ୍‌ ୨୦୧୬ ଆଧାରରେ ଏକ ନୂତନ ବ୍ୟବସ୍ଥା ‘ଏମ୍‌ଏସିପି’ରେ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ପ୍ରସ୍ତାବ ଅର୍ଥ ବିଭାଗକୁ ପ୍ରେରଣ କରିଛନ୍ତି। ତେଣୁ କ୍ରମାଗତ ଅବହେଳାର ଶିକାର ହୋଇଥିବା କର୍ମଚାରୀମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ସଂଘର ସଭାପତି ସଚିତ୍ର କୁମାର ପାତ୍ର, ସମ୍ପାଦକ ଗଣେଶ ଚନ୍ଦ୍ର ରାଉତ, ପ୍ରଶାନ୍ତ ଦାଶ, ଭଗବାନ ନାୟକ, ପ୍ରଦୀପ୍ତ ସୂତାର, ରତ୍ନାକର ମାଝୀ ପ୍ରମୁଖ ନେତୃବୃନ୍ଦ ଦୃଢ଼ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe