The Hindu
ଭୁବନେଶ୍ୱର : ଗୋଟିଏ ପଟେ ଇ-ଷ୍ଟାମ୍ପ ସଫଳ ହେଲାନି। ଅନ୍ୟପଟେ ଆବଶ୍ୟକ ମୁତାବକ ଷ୍ଟାମ୍ପ ପେପର ଯୋଗାଉ ନାହାନ୍ତି ସରକାର। ଫଳରେ ତହସିଲ ଠୁଁ ଆରମ୍ଭ କରି କୋର୍ଟ ପର୍ଯ୍ୟନ୍ତି ସବୁଠି ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ଜଣେ ଜଣେ ଷ୍ଟାମ୍ପ ଭେଣ୍ଡରଙ୍କର ଚାହିଦା ଯେଉଁଠି ଏକ ହଜାର ଷ୍ଟାମ୍ପ ପେପର ରହିଛି ସେଠାରେ ରାସନ ଦେବା ଭଳି ମୁଣ୍ଡ ପିଛା ଶହେ ଷ୍ଟାମ୍ପ ପେପର ମିଳୁଛି। ଗତ ଏକ ବର୍ଷ ହେବ ଏଭଳି ସମସ୍ୟା ଲାଗି ରହିଛି। ଏହାର ତୁରନ୍ତ ସମାଧାନ ନ ହେଲେ ରାଜ୍ୟ ଷ୍ଟାମ୍ପ ଭେଣ୍ଡର ମହାସଂଘ ଷ୍ଟାମ୍ପ ପେପର ବିକ୍ରି ବନ୍ଦ କରିବ ବୋଲି ଚେତାବନୀ ଦେଇଛି। ଏ ନେଇ ମହାସଂଘ ସମ୍ପାଦକ ରାମକୃଷ୍ଣ ପରିଡ଼ା ଓ ସଭାପତି ଅନନ୍ତ ପ୍ରସାଦ ଜେନା ରାଜ୍ୟ କୋଷାଗାର ସମେତ ସରକାରଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି।
କୋର୍ଟ କଚେରୀରେ କାରବାର ବଢ଼ି ଯାଇଥିବାରୁ ଷ୍ଟାମ୍ପ ପେପରର ମଧ୍ୟ ଚାହିଦା ବଢ଼ିଛି। ଏଭଳି ସ୍ଥିତିରେ ଷ୍ଟାମ୍ପ ପେପର ନ ମିଳିବା କେବଳ ସାଧାରଣ ଲୋକ ଓ ଷ୍ଟାମ୍ପ ଭେଣ୍ଡରଙ୍କ ସମସ୍ୟା ସୃଷ୍ଟି କରିନାହିଁ ବରଂ ନକଲି କାରବାର ପାଇଁ ବାଟ ଫିଟାଇଛି। ପୂର୍ବରୁ କୋଟି କୋଟି ଟଙ୍କାର ଷ୍ଟାମ୍ପ ପେପର କେଳେଙ୍କାରୀର ପ୍ରମାଣ ମଧ୍ୟ ରହିଛି। ତାହା ଛଡ଼ା ନକଲି କାରବାର ହେଲେ ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ବ ହାନି ହେବା ଆଶଙ୍କା ରହିଛି। ତେବେ ଭୁବନେଶ୍ବର ନୁହେଁ, ବରଂ ସବୁ ଜିଲ୍ଲାରେ ଷ୍ଟାମ୍ପପେପର ଅଭାବ ଦେଖାଦେଇଛି। ବିଭିନ୍ନ ଜିଲ୍ଲାରୁ ଏ ନେଇ ସରକାରଙ୍କୁ ଅବଗତ କରାଯାଇଥିବା ମହାସଂଘ ପକ୍ଷରୁ କୁହାଯାଇଛି।
ରାସନ ସାମଗ୍ରୀ ଭଳି କୋଟାରେ ଷ୍ଟାମ୍ପ ପେପର ଦିଆଯାଉଥିବା ମହାସଂଘ ଅଭିଯୋଗ କରିଛି। ଏକ ଟଙ୍କାରୁ ଆରମ୍ଭ କରି ଶହେ ଟଙ୍କିଆ ପର୍ଯ୍ୟନ୍ତ ୧ ହଜାର ଷ୍ଟାମ୍ପ ପେପର ପାଇଁ ଆବେଦନ କଲେ ମୁଣ୍ଡପିଛା ଶହେ ଟଙ୍କିଆ ଶହେଟି ଦିଆଯାଉଛି। ଗତ ବର୍ଷ ଠାରୁ ଆଜି ପର୍ଯ୍ୟନ୍ତ ଏହି ସମସ୍ୟା ଲାଗି ରହିଛି। ଅନ୍ୟପଟେ ଇ-ଷ୍ଟାମ୍ପ ବ୍ୟବସ୍ଥା ସରକାର ଲାଗୁ କରିଛନ୍ତି। ଏହାର ଠିକା ନେଇଛି ଷ୍ଟକ୍ ହୋଲ୍ଡିଂ କର୍ପୋରେସନ। ଲକ୍ଷେ ଟଙ୍କା କାରବାର କଲେ ଏହି ସଂସ୍ଥା ଭେଣ୍ଡରଙ୍କୁ ୧୫୦ ଟଙ୍କା କମିସନ ଦେଉଛି। ଫଳରେ ଏହାକୁ ବିରୋଧ କରି ଭେଣ୍ଡରମାନେ ଏହି ଠିକାଦାର ଠାରୁ ଇ-ଷ୍ଟାମ୍ପ ନେଉ ନାହାନ୍ତି। ଇ-ଷ୍ଟାମ୍ପରେ ଉପଯୁକ୍ତ କମିସନ ଦାବିରେ ୨୦୧୯ ମସିହାରେ ମହାସଂଘ ଆଇଜିଆର୍ଙ୍କ ସହିତ ଆଲୋଚନା କରିଥିଲା। ବର୍ଷେ ପରେ ଅର୍ଥାତ୍ ୨୦୨୦ ସେପ୍ଟେମ୍ବରରେ ଆଇଜିଆର୍ ରାଜସ୍ବ ବିଭାଗକୁ ଫାଇଲ୍ ପଠାଇଥିଲେ ସୁଦ୍ଧା ବିଭାଗ କମିସନ ଧାର୍ଯ୍ୟ କରୁନାହିଁ। ଏଣୁ ଏହି ଡିଜିଟାଲ ବ୍ୟବସ୍ଥା ମଧ୍ୟ ଷ୍ଟାମ୍ପ ପେପର ଅଭାବର ସମସ୍ୟାକୁ ସମାଧାନ କରିପାରି ନାହିଁ। ଏହାର ତୁରନ୍ତ ସମାଧାନ ନକଲେ ମହାସଂଘ ପୁନଶ୍ଚ ଷ୍ଟାମ୍ପ ବିକ୍ରି ବନ୍ଦ କରି ରାଜରାସ୍ତାକୁ ଓହ୍ଲାଇବ ବୋଲି ସଭାପତି ଓ ସମ୍ପାଦକ ଚେତାବନୀ ଦେଇଛନ୍ତି।
Follow Us