ଧାମନଗର ଉପନିର୍ବାଚନ: ୨୭ରୁ ଆସିବେ ଷ୍ଟାର ପ୍ରଚାରକ

Advertisment
ଧାମନଗର ଉପନିର୍ବାଚନ: ୨୭ରୁ ଆସିବେ ଷ୍ଟାର ପ୍ରଚାରକ

ଭଦ୍ରକ: ଧାମନଗର ଉପନିର୍ବାଚନ ଉପରେ ସାରା ଓଡ଼ିଶା ନଜର ରଖିଛି। ସବୁଠି ଚାଲିଛି ଧାମନଗର ଚର୍ଚା। କିଏ ଜିତିବ ଆଉ କିଏ ହାରିବ , ତାକୁ ନେଇ ଚର୍ଚା ଚାଲିଛି। ଗତ କିଛି ଦିନ ହେଲା ରାଜ୍ୟର ତିନି ପ୍ରମୁଖ ଦଳର ନେତା ଭଦ୍ରକର ଧାମନଗର ନିର୍ବାଚନ ମଣ୍ଡଳୀରେ ଡେରା ପକାଇଛନ୍ତି। ପଞ୍ଚାୟତ ପଞ୍ଚାୟତ ଏପରିକି ଗାଁ ଗାଁରେ ନେତା ଓ ବିଧାୟକମାନେ ଡେରା ପକାଇ ପ୍ରଚାର ଚଳାଇଛନ୍ତି। ଗତ ଦୁଇ ଦିନ ଦୀପାବଳୀ ଓ ଆଜି ସୂର୍ଯ୍ୟ ପରାଗ ପାଇଁ ପ୍ରଚାର ବନ୍ଦ ରହିଥିବା ବେଳେ ଆସନ୍ତା କାଲି ୨୬ ତାରିଖରୁ ପୁଣି ପ୍ରଚାର ଆରମ୍ଭ ହେଉଛି।

ତେବେ ଆସନ୍ତା ୨୭ ତାରିଖଠାରୁ ତିନି ପ୍ରମୁଖ ଦଳ ବିଜେଡି ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ପ୍ରଚାର ଜୋରଦାର ହେଉଛି। ବିଜେପିର ଷ୍ଟା ର ପ୍ରଚାରକ ଭାବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ , ବିଶ୍ବେଶ୍ବର ଟୁଡୁ ପ୍ରମୁଖ ପ୍ରଚାରରେ ଯୋଗ ଦେବେ। ୨୭ ଓ ୨୮ ଦୁଇ ଦିନ ଧର୍ମେନ୍ଦ୍ର ଧାମନଗରରେ ସୂର୍ଯ୍ୟବଂଶୀ ସୂରଜଙ୍କ ଲାଗି ପ୍ରଚାର କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି କଂଗ୍ରେସ ଦଳ ପକ୍ଷ ରୁ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ଲାଗି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ୩ ଜଣ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନ ଯୋଗ ଦେବେ। ଏହି ପ୍ରଚାରରେ କଂଗ୍ରେସ ନେତା ସୁର ରାଉତରାୟ, ତାରା ବାହିନୀପତି ଓ ଅନ୍ୟ ବରିଷ୍ଠ ନେତା ଯୋଗ ଦେବେ। ବିଜେଡି ପକ୍ଷରୁ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ପ୍ରମିଳା ମଲ୍ଲିକ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ସାଂସଦ ସୁଲତା ଦେ, ସାଂସଦ ମଂଜୁଲତା ମଣ୍ଡଳଙ୍କ ସମେତ ବହୁ ବିଜେଡି ନେତା ଓ ମନ୍ତ୍ରୀ ପ୍ରଚାର କରିବେ। ବିଜେଡି ପ୍ରାର୍ଥୀ ଅବନ୍ତି ଦାସଙ୍କ ପାଇଁ ହୁଏତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ଚର୍ଚା ହେଉଛି। ସେହିପରି ବିଜେଡିର ବିଦ୍ରୋହୀ, ସ୍ଵାଧୀନ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ପ୍ରଚାର ୨୭ ଓ ୨୮ ତାରିଖରେ ଜୋରଦାର ହେବ ବୋଲି ତାଙ୍କର ସମର୍ଥକମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe