ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ମାମଲା: ୨୩ ସୁଦ୍ଧା ଜାରି ହେବ ଚୂଡ଼ାନ୍ତ ଭୋଟର ତାଲିକା

ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ଏପ୍ରିଲ ୧୫ରେ; ୧୬୭ ବୁଥ୍, ୩୪ ହଜାର ୯୦୮ ଭୋଟର

Telegraph India

କଟକ : ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ଖୁବ୍ ଶୀଘ୍ର ହେବାକୁ ଯାଉଛି। ଆଜି ହାଇକୋର୍ଟ‌ରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଦାଖଲ ସତ୍ୟପାଠରୁ ଏଭଳି ସୂଚନା ମିଳିଛି। ସତ୍ୟପାଠ ଅନୁଯାୟୀ ଫେବ୍ରୁଆରି ୧୦ର ସ୍ବତନ୍ତ୍ର କମିଟି ବୈଠକର ନିଷ୍ପତ୍ତି ଅନୁସାରେ ଫେବ୍ରୁଆରି ୨୩ ତାରିଖ ଅଥବା ତା ପୂର୍ବରୁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଆଗକୁ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପ୍ରମଥ ପଟ୍ଟନାୟକ ରିଟର୍ଣ୍ଣିଂ ଅଫିସର ଭାବେ ଦାୟିତ୍ବ ନିର୍ବାହ ପାଇଁ ଅନୁମତି ଦେଇଛନ୍ତି। ଚୂଡାନ୍ତ ଭୋଟର ତାଲିକା ପ୍ରକାଶର ୬୦ ଦିନ ଭିତରେ ରିଟର୍ଣ୍ଣିଂ ଅଫିସର ନିର୍ବାଚନ ମତଦାନ ତାରିଖ ଧାର୍ଯ୍ୟ କରି ବିଜ୍ଞପ୍ତି ପ୍ରକାଶ କରିବେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ମେ ୯କୁ ଧାର୍ଯ୍ୟ କରିଛନ୍ତି। ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନର ସାନି ସ୍ଥିତି ନେଇ ପରବର୍ତ୍ତୀ ଶୁଣାଣି ସମୟରେ ହାଇକୋର୍ଟଙ୍କୁ ଅବଗତ କରାଯିବ। ବାର୍ କାଉନସିଲ ଅଫ୍ ଇଣ୍ଡିଆ ଓ ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ଦାୟର ରିଟ୍ ଅପିଲର ଏକତ୍ର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟ ଆଇନଜୀବୀ ପରିଷଦର ନିର୍ବାଚନ ପରେ ୨୫ଜଣ ସଦସ୍ୟ ୨୦୧୪, ମେ ୫ରେ ଦାୟିତ୍ବ ଗ୍ରହଣ କରିଥିଲେ। ପରିଷଦର ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷ ହୋଇଥିବା ବେଳେ ତାହାକୁ ୬ ମାସ ବୃଦ୍ଧି କରାଯାଇଥିଲା। ନିର୍ବାଚିତ ପରିଷଦ ସଦସ୍ୟଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୧୯ ନଭେମ୍ବର ୪ରେ ଶେଷ ହୋଇଥିଲା। ବାର୍ କାଉନସିଲ୍‌ ଅଫ ଇଣ୍ଡିଆ ଆଡଭୋକେଟ୍ସ ଆକ୍ଟର ଧାରା-୮ କରେ ଥିବା ବ୍ୟବସ୍ଥା ଅନୁସାରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରିଥିଲା। ୨୦୧୯ ନଭେମ୍ବର ୫ରୁ ରାଜ୍ୟ ଆଇନଜୀବୀ ପରିଷଦରେ ଏହି ସ୍ବତନ୍ତ୍ର କମିଟି ଦାୟିତ୍ବରେ ରହିଛି। ଇତିମଧ୍ୟରେ ନିର୍ବାଚିତ ପରିଷଦ ସଦସ୍ୟଙ୍କ କାର୍ଯ୍ୟକାଳ ବହୁଦିନ ହେବ ଶେଷ ହୋଇଥିବା ବେଳେ ତୁରନ୍ତ ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ କରାଯାଉ ବୋଲି ଦର୍ଶାଇ ରାଜ୍ୟ ଆଇନଜୀବୀ ପରିଷଦର ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ମହାନ୍ତି ଓ ପୂର୍ବତନ ବରିଷ୍ଠ ସଦସ୍ୟ ସୀତାଂଶୁ ମୋହନ ଦ୍ବିବେଦୀ ୨୦୨୧ରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ୬ ସପ୍ତାହ ଭିତରେ ନିର୍ବାଚନ କରିବା ପାଇଁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦକୁ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୨ ଜାନୁଆରି ୪ରେ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟ ବିରୋଧରେ ଦାୟର ରିଟ୍ ଅପିଲର ହାଇକୋର୍ଟରେ ଏକତ୍ର ଶୁଣାଣି ଚାଲିଛି। ବାର୍ କାଉନସିଲ ଅଫ୍ ଇଣ୍ଡିଆ ତରଫରୁ ଆଇନଜୀବୀ ଅମିତ ପ୍ରସାଦ ବୋଷ, ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଅମିତାଭ ଦାସ ଓ ଚିନ୍ମୟ ମହାନ୍ତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe