ରାଜ୍ୟ ବଜେଟ୍ ଡେଇଁବ ଦେଢ଼ଲକ୍ଷ କୋଟି! ମନ୍ତ୍ରୀ ପରିଷଦ ବୈଠକରେ ଲାଗିଲା ମୋହର

Advertisment
ରାଜ୍ୟ ବଜେଟ୍ ଡେଇଁବ ଦେଢ଼ଲକ୍ଷ କୋଟି! ମନ୍ତ୍ରୀ ପରିଷଦ ବୈଠକରେ ଲାଗିଲା ମୋହର

National Portal of India

କିଶୋରୀଙ୍କ ପାଇଁ ଆସିପାରେ ନୂଆ ଯୋଜନା
ଗୁରୁତ୍ବ ଫେରିପାଇବ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା
ମଧ୍ୟାହ୍ନଭୋଜନରେ ମାଛ ଦେବା ନେଇ ଚିନ୍ତା

ଭୁବନେଶ୍ବର : ୧୪ରୁ ୧୯ ବର୍ଷର କିଶୋରୀମାନଙ୍କ ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଘୋଷଣା କରିପାରନ୍ତି। ପୁଷ୍ଟିଯୁକ୍ତ ଖାଦ୍ୟ ପାଇଁ ମଧ୍ୟାହ୍ନଭୋଜନରେ ଅଣ୍ଡା ସହିତ ଏଣିକି ମାଛ ବି ଦିଆଯାଇପାରେ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ପୁଣି ଅର୍ଥ ଦେବେ ସରକାର। ସେହିଭଳି ବିଜୁ ସେତୁ ଯୋଜନାରେ ମଧ୍ୟ ଆସନ୍ତା ଆର୍ଥିକ ବର୍ଷରେ ଗ୍ରାମାଞ୍ଚଳ ରାସ୍ତାକୁ ଯୋଡ଼ାଯିବ। ଉଭୟ ଯୋଜନା ପାଇଁ ପାଖାପାଖି ୧୫୦୦ କୋଟିରୁ ଅଧିକ ଅର୍ଥ ବ୍ୟୟ ହୋଇପାରେ।

ଏଭଳି କିଛି ନିଷ୍ପତ୍ତି ସହିତ ରାଜ୍ୟ ସରକାର ଆସନ୍ତା ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ପୁଣି ଏକ ବଡ଼ ବଜେଟ୍ କରିବା ଲାଗି ପାଗ ଭିଡ଼ିଛନ୍ତି। ପାଖାପାଖି ୧ଲକ୍ଷ ୫୦ ହଜାର କୋଟି ଟଙ୍କାର ଅର୍ଥ ରାଶି ଉପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ମୋହର ଲାଗିଛି। ଶେଷ ମୁହୂର୍ତରେ କିଛି ବିଭାଗ ଯେଉଁ ଦାବି ରଖିଛନ୍ତି, ତାକୁ ମିଶାଇଲେ ଏହି ରାଶି ଦେଢ଼ ଲକ୍ଷ କୋଟି ଟଙ୍କାକୁ ଡେଇଁଯିବା ସମ୍ଭାବନା ଅଧିକ। ସବୁଠାରୁ ଉଲ୍ଲେଖନୀୟ କଥା ହେଲା, ଏଥର ବଜେଟ୍ ପଞ୍ଚଦଶ ଅର୍ଥ କମିସନ ଓ ପଞ୍ଚମ ଅର୍ଥ କମିସନଙ୍କ ସୁପାରିସ ଭିତ୍ତିରେ ଅର୍ଥାତ୍ ସମ୍ପୂର୍ଣ୍ଣ ନୂଆ ଢଙ୍ଗରେ ପ୍ରସ୍ତୁତ କରାଯାଇଛି।

୨୦୧୯-୨୦ ଆର୍ଥିକ ବର୍ଷରେ ମୂଳ ବଜେଟ୍ ଓ ଅତିରିକ୍ତ ବଜେଟକୁ ମିଶାଇ ୧ଲକ୍ଷ ୪୭ ହଜାର ୧୨୬ କୋଟି ଟଙ୍କା ବ୍ୟୟ ପାଇଁ ସରକାର ପ୍ରସ୍ତୁତି କରିଥିଲେ। ଏଥିରୁ ମୂଳ ବଜେଟ୍ ଆକାର ଥିଲା ୧ଲକ୍ଷ ୩୯ ହଜାର କୋଟି। ସେହିଭଳି ଅତିରିକ୍ତ ବଜେଟରେ ସରକାର ୮ ହଜାର ୧୨୬ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ବିଧାନସଭାର ଅନୁମତି ଲୋଡ଼ିଥିଲେ। ଆସନ୍ତା ୧୮ ତାରିଖ ଦିନ ଆସନ୍ତା ଆର୍ଥିକ ବର୍ଷ ଲାଗି ନୂଆ ବଜେଟ୍ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଆଗତ କରିବେ।

ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ବଜେଟ୍ ଚୂଡ଼ାନ୍ତ ପ୍ରକ୍ରିୟାରେ ଦେଖିବାକୁ ମିଳିଛି। ୨୦୧୯-୨୦ରେ ମୂଳ ବଜେଟ୍ ଅର୍ଥରାଶି ପାଖାପାଖି ୧୫.୭% ବୃଦ୍ଧି ପାଇଥିଲା। ଏଥର କିନ୍ତୁ ସେଭଳି ସ୍ଥିତି ନାହିଁ। ବରଂ ସରକାର ଅତ୍ୟନ୍ତ ମାପଚୁପ ଢଙ୍ଗରେ ନୂଆ ବଜେଟ୍ ପ୍ରସ୍ତୁତ କରିଛନ୍ତି। କାରଣ ପଞ୍ଚଦଶ ଅର୍ଥ କମିସନ ସୁପାରିସ ଏବଂ କେନ୍ଦ୍ରୀୟ ବଜେଟରେ ରାଜ୍ୟ ସରକାରଙ୍କୁ ଜବରଦସ୍ତ ଧକ୍‌କା ଲାଗିଛି।

ଗୋଟିଏ ପଟେ ରାଜ୍ୟର ନିଜସ୍ବ ରାଜସ୍ବ ଆଖିଦୃଶିଆ ଭାବେ ବୃଦ୍ଧି ପାଉନଥିବା େବଳେ ଅନ୍ୟପଟେ କେନ୍ଦ୍ରୀୟ ଅଂଶ କମିବା ଫଳରେ ସରକାର ଆଉ ବଡ଼ ବଜେଟ୍ ପ୍ରତି ମନ ବଳାଇନଥିବା ଅର୍ଥ ବିଶାରଦମାନେ ସୂଚନା ଦେଉଛନ୍ତି। ତଥାପି ଆଗତ ହେବାରୁ ଥିବା ବଜେଟ୍ ଆକାର ପୂର୍ବବର୍ଷ ତୁଳନାରେ ସବୁଠାରୁ ଅଧିକ ହେବ।

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସରକାର ଆଗତ କରିବାକୁ ଥିବା ଚିଠା ବଜେଟରେ ପ୍ରଶାସନିକ ବ୍ୟୟ ବାବଦରେ ପ୍ରାୟ ୬୫ ହଜାର ୩୭୫ କୋଟି ଟଙ୍କା ବରାଦ କରିଛନ୍ତି। ସେହିଭଳି କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ୭୪ ହଜାର କୋଟି ଟଙ୍କା, ବିପର୍ଯ୍ୟୟ ପାଇଁ ୩୨୦୦ କୋଟି ଏବଂ କେନ୍ଦ୍ର ପ୍ରବର୍ତିତ ଯୋଜନାରେ ରାଜ୍ୟ ଅଂଶ ବାବଦରେ ୭୪୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏସବୁ ମିଶାଇ ବଜେଟ୍ ଆକାର ପ୍ରାୟ ୧ଲକ୍ଷ ୪୯ ହଜାର ୯୭୫ କୋଟି ଛୁଇଁଛି।

ଯେହେତୁ କିଛି ମନ୍ତ୍ରୀ ଆଜି ଶେଷ ମୁହୂର୍ତରେ ଅର୍ଥ ବିଭାଗ ନିକଟରେ ବିଭିନ୍ନ ଦାବି ରଖିଛନ୍ତି, ଏହାକୁ ବଜେଟରେ ସଂଲଗ୍ନ କରିବା ଲାଗି ମୁଖ୍ୟମନ୍ତ୍ରୀ ସମ୍ମତି ଜଣାଇଛନ୍ତି। ଏଣୁ ବଜେଟ୍ ଆକାର ଆଉ ଟିକେ ବଢ଼ିବ। ଡାକୋଟା ବିମାନକୁ ଭୁବନେଶ୍ବର ଆଣିବା ଲାଗି ବଜେଟ୍‌ରେ ଅର୍ଥ ବ୍ୟବସ୍ଥା କରିବାକୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଦେଇଥିବା ପ୍ରସ୍ତାବ ଉପରେ ବି ମୁଖ୍ୟମନ୍ତ୍ରୀ ହଁ ଭରିଛନ୍ତି।

ଆସନ୍ତା ଆର୍ଥିକ ବର୍ଷ ଲାଗି ପ୍ରସ୍ତୁତ ହୋଇଥିବା ଚିଠା ବଜେଟରେ ମୁଖ୍ୟତଃ ‘୫-ଟି’ ଉପରେ ଗୁରୁତ୍ବ ଦିଆଯାଇଛି। ଏହାକୁ ବଜେଟର ମୂଳାଧାର ବୋଲି ବିବେଚନା କରାଯିବ। ପୁରୀ ଶ୍ରୀମନ୍ଦିର, ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଗଞ୍ଜାମ ତାରାତାରିଣୀ, କେନ୍ଦ୍ରାପଡା ବଳଦେବଜୀଉ, ବାରିପଦା ଶ୍ରୀ ଜଗନ୍ନାଥ ମନ୍ଦିର, ସମ୍ବଲପୁର ସମଲେଶ୍ବରୀ ମନ୍ଦିର ପ୍ରମୁଖ ସହିତ କଟକ ବଡ଼ମେଡିକାଲର ବିକାଶ ଉପରେ ବଜେଟ୍‌ରେ ଗୁରୁତ୍ବ ଦିଆଯାଇଛି। ୫-ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍ ବିଭିନ୍ନ ଜିଲ୍ଲା ବୁଲିବା ପରେ ସ୍ବାସ୍ଥ୍ୟ ବିଭାଗର ନୂଆ କାର୍ଯ୍ୟକ୍ରମ ସଂପର୍କରେ େହାଇଥିବା ଘୋଷଣା ଲାଗି ମଧ୍ୟ ଅର୍ଥ ବରାଦ କରାଯିବ। ଏହା ପରେ କୃଷି ବିଭାଗକୁ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଇଛି। କୃଷି ବିଭାଗର ସ୍ନାତକ, ଗବେଷଣା ଛାତ୍ରଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ବୃତ୍ତି େଘାଷଣା କରିପାରନ୍ତି।

କେବଳ ସେତିକି ନୁହେଁ, ମହିଳା ଓ ଶିଶୁ ବିକାଶ ବିଭାଗ ଏଥର ବଜେଟରେ କିଶୋରୀଙ୍କ ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ କିଶୋରୀମାନଙ୍କ ପାଇଁ ଏକ ନୂଆ ଯୋଜନା ପ୍ରଣୟନ ହେବ, ଯେଉଁଥିରେ ସେମାନଙ୍କର ଶିକ୍ଷା ଓ ସ୍ବାସ୍ଥ୍ୟ ପ୍ରତି ଆର୍ଥିକ ପ୍ରୋତ୍ସାହନ ଦିଆଯାଇପାରେ। ଅଙ୍ଗନବାଡ଼ି ଲାଗି ଅଧିକ ଅର୍ଥ ବରାଦ କରାଯିବା ସହିତ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ। ଛତୁଆ ସହିତ ଅନ୍ୟାନ୍ୟ ପୁଷ୍ଟିସାରଯୁକ୍ତ ଖାଦ୍ୟ ମଧ୍ୟ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe