ଶିକ୍ଷାମନ୍ତ୍ରୀଙ୍କ ଭଦ୍ରକ ଗସ୍ତ ପରେ ପ୍ରତିକ୍ରିୟା; ଶିକ୍ଷକ, କର୍ମଚାରୀ ଅଭାବ କଥା ଭୁଲିଗଲେ

Advertisment
ସମୀର ଓ ଅରୁନ୍ଧତୀଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭଦ୍ରକ: ଗତକାଲି ରାଜ୍ୟ ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଭଦ୍ରକ ଗସ୍ତରେ ଆସି ସ୍ଥାନୀୟ ଟାଉନ୍‌ହଲ୍‌ ପରିସରରେ ସରକାରୀ ହାଇସ୍କୁଲ୍‌ର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଜିଲ୍ଲାସ୍ତରୀୟ ସମ୍ମିଳନୀରେ ଯୋଗ ଦେଇଥିଲେ। ସେଥିରେ ସେ କେବଳ ରାଜ୍ୟ ସରକାରଙ୍କର ଗୁଣଗାନ କରିଥିଲେ। ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ବିଶ୍ବସ୍ତରୀୟ ହେବ ବୋଲି କହିଥିଲେ। କିନ୍ତୁ ମନ୍ତ୍ରୀ ଶିକ୍ଷାର ଗୁଣାତ୍ମକ ମାନ କିଭଳି ବୃଦ୍ଧି ହେବ, ସେ ବିଷୟରେ କିଛି କହିଲେ ନାହିଁ। ଭଦ୍ରକ ଜିଲ୍ଲାରେ ମୋଟ ୩୦୧ଟି ହାଇସ୍କୁଲ୍‌ ଥିବା ବେଳେ ୧୭୫ଟି ସରକାରୀ ହାଇସ୍କୁଲ୍‌ ଅଛି। ଏହି ସରକାରୀ ହାଇସ୍କୁଲ୍‌ରେ ମୋଟ ୮୪ଟି ପ୍ରଧାନଶିକ୍ଷକ ପଦ ଖାଲିପଡ଼ିଛି।

ଖାଲିଥିବା ପ୍ରଧାନଶିକ୍ଷକ ପଦ ପୂରଣ କରିବା ପାଇଁ ଗତ ୨୦୨୧ ମସିହା ନଭେମ୍ବର ମାସରୁ ବରିଷ୍ଠତା ଭିତ୍ତିରେ ଶିକ୍ଷକମାନଙ୍କର ପଦୋନ୍ନତି ପ୍ରକ୍ରିୟା ଆରମ୍ଭ କରିଥିବା ରାଜ୍ୟ ସରକାର ଏବେ ସୁଦ୍ଧା ପ୍ରଧାନଶିକ୍ଷକ ନିଯୁକ୍ତ କରି ପାରିଲେ ନାହିଁ। ସେହିପରି ଜିଲ୍ଲାରେ ଅବଶିଷ୍ଟ ୧୨୬ଟି ଅନୁଦାନପ୍ରାପ୍ତ ହାଇସ୍କୁଲ୍‌ରେ ପ୍ରାୟ ୯୦ରୁ ଊର୍ଦ୍ଧ୍ବ ପ୍ରଧାନଶିକ୍ଷକ ପଦ ଖାଲି ପଡ଼ିଛି। ପୂର୍ବ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଅନୁଯାୟୀ ପ୍ରତି ଶ୍ରେଣୀ ପାଇଁ ଜଣେ ଶିକ୍ଷକ ଓ ବିଷୟ ଭିତ୍ତିକ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରୁ ରାଜ୍ୟ ସରକାର ଦୂରେଇ ଯାଇ ଏବେ ୩୨ ଜଣ ଛାତ୍ରଛାତ୍ରୀରେ ଜଣେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରଖିଛନ୍ତି।

ସେହି ଅନୁପାତରେ ଭଦ୍ରକ ଜିଲ୍ଲାରେ ୨୬ ଜଣ ଛାତ୍ରଛାତ୍ରୀ ଅନୁପାତରେ ଜଣେ ଶିକ୍ଷକ ରହିଥିବା ମନ୍ତ୍ରୀ ସଭାରେ ସୂଚନା ଦେଇଥିଲେ। ସହରାଞ୍ଚଳକୁ ଛାଡ଼ି ଦେଲେ ଗ୍ରାମାଞ୍ଚଳରେ ଥିବା ହାଇସ୍କୁଲ୍‌ଗୁଡ଼ିକରେ ୨ରୁ ୩ ଜଣ ଶିକ୍ଷକ ଅଛନ୍ତି। ଅନେକ ସ୍କୁଲ୍‌ରେ ଗଣିତ ଓ ବିଜ୍ଞାନ ଶିକ୍ଷକ ପଦ ଖାଲି ରହିଥିବା ବେଳେ ସଂସ୍କୃତ ଓ ହିନ୍ଦୀ ଶିକ୍ଷକ ଗଣିତ ଓ ବିଜ୍ଞାନ ବିଷୟ ପଢ଼ାଉଛନ୍ତି। ଜିଲ୍ଲାରେ ଅଧିକାଂଶ ସ୍କୁଲ୍‌ରେ କିରାଣି, ପିଅନ ଓ ରାତିଜଗୁଆଳି ପଦ ଖାଲି ପଡ଼ିଛି। ପଦ ପୂରଣ ଦିଗରେ ବିଭାଗ ଆନ୍ତରିତା ପ୍ରକାଶ କରୁ ନଥିବା ବେଳେ ସବୁ କାର୍ଯ୍ୟ ଶିକ୍ଷକମାନଙ୍କୁ କରିବାକୁ ପଡୁଛି। ଭଦ୍ରକ ଜିଲ୍ଲାରେ ବିଭିନ୍ନ ସରକାରୀ ହାଇସ୍କୁଲ୍‌ ଏବଂ ୫-ଟି ହାଇସ୍କୁଲ୍‌ରେ ମୋଟ ୫୦୬ ଶିକ୍ଷକ ପଦ ଖାଲି ପଡ଼ିଥିବା ବେଳେ ୬ଟି ଆଦର୍ଶ ବିଦ୍ୟାଳୟରେ ଅନେକ ଶିକ୍ଷକ ପଦ ଖାଲିଥିବା ବେଳେ ମାତ୍ର ୩୩ ଜଣ ଶିକ୍ଷକ ଅଛନ୍ତି।

ସେହିପରି ସବୁ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପଦ ଖାଲିପଡ଼ିଛି। ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦ ମଧ୍ୟ ଖାଲି ରହିଛି। ଏଭଳି ସ୍ଥିତିରେ ଶିକ୍ଷାର ମାନ କିପରି ବଢ଼ିବ, ସେନେଇ ପ୍ରଶ୍ନ ଉଠିଛି। ପୁଣି ସଭାରେ ମନ୍ତ୍ରୀ ଶିକ୍ଷକ ଶିକ୍ଷକମାନଙ୍କୁ ତାଗିଦ କରିଗଲେ ଯେ ସିଆର୍‌ସିସିମାନେ ଅଫିସର ନୁହନ୍ତି ସେମାନେ ଶ୍ରେଣୀରେ ପାଠ ପଢ଼ାଇବେ ଏବଂ ପରେ ସ୍କୁଲ୍‌ ପରିଦର୍ଶନରେ ଯିବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ନମ୍ବର ନରଖିଲେ ଶିକ୍ଷକମାନଙ୍କ ଉପରେ ଆକ୍ସନ ନିଆଯିବ। ମନ୍ତ୍ରୀଙ୍କ ଏଭଳି ଚେତାବନୀ ଅନେକ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଭିତରେ ଆତଙ୍କ ଖେଳାଇ ଦେଇଛି। ରାଜ୍ୟରେ ସରକାରୀ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବେଳେ ମନ୍ତ୍ରୀଙ୍କ ଏଭଳି ଚଢ଼ଉକୁ ନ‌େଇ ବହୁ ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe