ରାଜ୍ୟ ଖାଦ୍ୟ କମିସନ କ୍ଷୁବ୍ଧ : ଧାର୍ଯ୍ୟ ତାରିଖ ସୁଦ୍ଧା ଜଙ୍ଗଲ ଜମି ମାପ ସାରିପାରିଲେନି ୧୮ଜିଲ୍ଲା

ରାଜ୍ୟ ଖାଦ୍ୟ କମିସନ କ୍ଷୁବ୍ଧ : ଧାର୍ଯ୍ୟ ତାରିଖ ସୁଦ୍ଧା ଜଙ୍ଗଲ ଜମି ମାପ ସାରିପାରିଲେନି ୧୮ଜିଲ୍ଲା

ଭୁବନେଶ୍ୱର : ଚଳିତମାସ ୩୧ତାରିଖ ସୁଦ୍ଧା ସମସ୍ତ ଜିଲ୍ଲାକୁ ନିଜ ଅଞ୍ଚଳରେ ଥିବା ଜଙ୍ଗଲ ଜମିର ମାପ ଶେଷ କରିବାକୁ ନିର୍ଦେଶ ଦେଇଥିଲେ ରାଜ୍ୟ ଖାଦ୍ୟ କମିସନ। କେବଳ ଭଦ୍ରକ ଓ ଝାରସୁଗୁଡ଼ା ଜିଲ୍ଲାକୁ ବାଦ୍‌ ଦେଲେ ଅନ୍ୟ କୌଣସି ଜିଲ୍ଲା ଧାର୍ଯ୍ୟ ସମୟ ମଧ୍ୟରେ ଏହାକୁ ଶେଷ କରିପାରି ନାହାନ୍ତି। ୧୮ଟି ଜିଲ୍ଲା ନିଜେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବାରେ ବିଫଳ ହୋଇଛନ୍ତି। ଯାହାକୁ ନେଇ କମିସନ କ୍ଷୁବ୍ଧ ହେବା ସହିତ ଚଳିତମାସ ଜୁନ୍‌ ପର୍ଯ୍ୟନ୍ତ ଏଥିରେ କେତେ ଅଗ୍ରଗତି ହୋଇଛି ତାହାକୁ ଜଣାଇବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

କମିସନ ଦର୍ଶାଇଛନ୍ତି ଯେ, ଗତବର୍ଷ ଜୁଲାଇ ମାସରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ସମସ୍ତ ପଟ୍ଟାଧାରୀଙ୍କ ଜମିର ମାପ ୨୦୧୭ ଡିସେମ୍ବର ମାସ ଶୁଦ୍ଧା ଶେଷ କରିବା ପାଇଁ ନିର୍ଦେଶ ଦେଇଥିଲେ। ମାତ୍ର ମନ୍ତ୍ରୀଙ୍କ ନିର୍ଦେଶକୁ ମଧ୍ୟ ଜିଲ୍ଲାପାଳମାନେ ବେଖାତିର କରିଛନ୍ତି। କୋରାପୁଟ, ବରଗଡ଼, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳ ଜମି ମାପ ସଂକ୍ରାନ୍ତରେ କିଛି ପଦକ୍ଷେପ ନେଇ ନାହାନ୍ତି। ପରବର୍ତୀ କେତେ ତାରିଖ ସୁଦ୍ଧା ଏହାକୁ ଶେଷ କରିବେ ତାହା ମଧ୍ୟ ଦର୍ଶାଇ ନାହାନ୍ତି। ଗତବର୍ଷ ଡିସେମ୍ବର ମାସ ସୁଦ୍ଧା ଏହାକୁ ଶେଷ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ହେଁ ଚଳିତ ମାର୍ଚ ମାସ ସୁଦ୍ଧା ଶେଷ କରିପାରି ନାହାନ୍ତି। ପୁରୀ ଜିଲ୍ଲାରେ ଗ୍ରାମସଭାରେ ଯେତିକି ସଂଖ୍ୟକ ଆବେଦନ ଆସିଥିଲା ତାହା ଜିଲ୍ଲାସ୍ତରୀୟ କମିଟି ବା ଡିଏଲ୍‌ସି କିମ୍ବା ଉପଖଣ୍ଡସ୍ତରୀୟ କମିଟି ଏସ୍‌ଡିଏଲସି ଦ୍ୱାରା ଖାରଜ ହୋଇଛି।

ଏ ପର୍ଯ୍ୟନ୍ତ ୪ଲକ୍ଷ ୧୫ହଜାର ୫୨୨ଟି ବ୍ୟକ୍ତିଗତ ଜଙ୍ଗଲ ଅଧିକାର ବା ଆଇଏଫ୍‌ଆର ପଟ୍ଟା ବଣ୍ଟନ ହୋଇଥିବା ବେଳେ ସେଥିରୁ ୨ଲକ୍ଷ ୫୨ହଜାର ୫୨୭ଟି ପଟ୍ଟାର ମାପ ହୋଇପାରିଛି। ଗତବର୍ଷ ଅକ୍ଟୋବର ମାସରୁ ଚଳିତବର୍ଷ ମାର୍ଚ ପର୍ଯ୍ୟନ୍ତ ୧୩ଟି ଜିଲ୍ଲାରେ ଏହି ମାପ କରାଯାଇଛି। ଅପରପକ୍ଷରେ ୨ଲକ୍ଷ ୯୯ହଜାର ୭୫୪ଟି ପଟ୍ଟାର ରେକର୍ଡରେ ରହିଥିବା ତ୍ରୁଟି ସଂଶୋଧନ ହୋଇପାରିନି। ତେଣୁ ଏବେ ବି ଭୋକିଲା ରହୁଥିବା ଲୋକମାନଙ୍କ ପାଇଁ ଖାଦ୍ୟ ଯୋଗାଇବାକୁ ହେଲେ ଏ ସଂକ୍ରାନ୍ତୀୟ କାର୍ଯ୍ୟକୁ ତ୍ୱରାନ୍ଵିତ କରିବାକୁ ପଡ଼ିବ ବୋଲି ଖାଦ୍ୟ କମିସନ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe