ମୟୂରଭଞ୍ଜକୁ ପ୍ରତିଶ୍ରୁତି ଦେଇ ଠକିଦେଇଛନ୍ତି ରାଜ୍ୟ ସରକାର: ଅପରାଜିତା

ଶସ୍ତା ରାଜନୀତି କରୁଛନ୍ତି ବିଜେପି ସାଂସଦ, ହାଲ୍‌କା ଆତ୍ମପ୍ରଚାର ନିମନ୍ତେ ବ୍ୟାକୁଳ : ବିଜେଡି

ମୟୂରଭଞ୍ଜକୁ ପ୍ରତିଶ୍ରୁତି ଦେଇ ଠକିଦେଇଛନ୍ତି ରାଜ୍ୟ ସରକାର: ଅପରାଜିତା

ବାରିପଦା : ବାରିପଦା ପୌରପରିଷଦ ଅନ୍ତର୍ଗତ ଭୁଗୁଡ଼ାକଟାରେ ପ୍ରଭୁ ଶ୍ରୀରାମ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ମୟୂରଭଞ୍ଜକୁ ବିଭିନ୍ନ କ୍ଷେତ୍ରରେ ପ୍ରତିଶ୍ରୁତି ଦେଇ ରାଜ୍ୟ ସରକାର ଠକି ଦେଇଥିବା ଶ୍ରୀମତୀ ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି। ମହିଳା, ଯୁବଗୋଷ୍ଠୀଙ୍କୁ କାମ ନାହିଁ, ଶ୍ରୀହରିବଳଦେବ ଜୀଉ ମନ୍ଦିର ସୌନ୍ଦର୍ଯ୍ୟକରଣ ନିମନ୍ତେ ୫କୋଟି ଦେଇଥିବା ଘୋଷଣା କରିଥିଲେ ମଧ୍ୟ କିଛି କାମ ନହେବା, ଜମ୍ଭୀରା ଡ୍ୟାମ୍ରୁ ପାଣି ନଆସିବା, ବାଘଡ଼ା ରୋଡ ଏବଂ ଷ୍ଟେସନ ବଜାରରେ ପ୍ରସ୍ତାବିତ ଫ୍ଲାଏ ଓଭର୍ ବ୍ରିଜ୍ ନିର୍ମାଣ ନହେବା, ପିଆରଏମ ମେଡିକାଲ କଲେଜ୍ ଏଣ୍ଡ ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥା, ଶିମିଳିପାଳକୁ ପ୍ରକୃତ ନ୍ୟାୟ ନମିଳିବା, ଆୟୁର୍ବେଦ ଏବଂ ହୋମିଓପ୍ୟାଥିକ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ନମିଳିବା, ବସୁନ୍ଧରା ଯୋଜନାରେ ପଟ୍ଟା ନମିଳିବା, ଏଏନଏମ କର୍ମୀଙ୍କ ଆନ୍ଦୋଳନ ୧୦ ଦିନରେ ପହଞ୍ଚିଥିଲେ ସୁଦ୍ଧା କେହି ଆଲୋଚନା ନିମନ୍ତେ ନଆସିବା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଆରୋପ କରିଥିଲେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ।

ତେବେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କର ଏପରି ଆରୋପକୁ ବାଚାଳାମି କହିଛି ବିଜେଡି। ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ତଥା ପୂର୍ବତନ ମୟୂରଭଞ୍ଜ ବିଜେଡି ସଭାପତି ଦେବାଶିଷ ମହାନ୍ତି ଅପରାଜିତାଙ୍କର ଏପରି ଅଭିଯୋଗକୁ କେବଳ ଶସ୍ତା ରାଜନୀତି ବୋଲି କହିଛନ୍ତି। ମୟୂରଭଞ୍ଜର ପ୍ରକୃତ ବିକାଶ କଥା ଚିନ୍ତା କରୁଥିଲେ ସେ ପ୍ରଥମେ କେନ୍ଦ୍ର ସରକାରଙ୍କୁ କହି ଜିଲ୍ଲାରେ ରେଳ ଭିତ୍ତିଭୂମିର ବିକାଶ କରନ୍ତୁ। ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଦ୍ଧ ପରିକର। ଜିଲ୍ଲାରୁ ଗତ ନିର୍ବାଚନରେ ବିଜେପିର ୬ ବିଧାୟକ ଏବଂ ସାଂସଦ ନିର୍ବାଚିତ ହୋଇଛନ୍ତି। ମାତ୍ର ଜିଲ୍ଲାର ବିକାଶ ପାଇଁ ସେମାନଙ୍କର ଭୂମିକା କଣ ତାହା ଜିଲ୍ଲାବାସୀ ଭଲଭାବେ ଜାଣିଛନ୍ତି। ସାଂସଦ ମହୋଦୟା କେବଳ ନିଜର ଶସ୍ତା ଆତ୍ମପ୍ରଚାର ନିମନ୍ତେ ଏପରି ହାଲ୍‌କା କଥା କହୁଥିବା ଶ୍ରୀ ମହାନ୍ତି କହିଛନ୍ତି।

ଆଜିର ବାରିପଦା ଗସ୍ତ ଅବସରରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ରାମ ମନ୍ଦିର ଶିଳାନ୍ୟାସରେ ଯୋଗଦେବା ସହିତ ଏକ ବୁଦ୍ଧିଜୀବୀ ସମ୍ମିଳନୀ, ଯୁବ ମହିଳାବର୍ଗଙ୍କୁ ଭେଟିବା ଆଦି କାର୍ଯ୍ୟକ୍ରମ କରିଥିଲେ। ଆଗାମୀ ପୌର ଏବଂ ପଞ୍ଚାୟତ ନିର୍ବାଚନରେ ଦଳକୁ ଆହୁରି ସୁଦୃଢ଼ କରି ସଫଳତା ହାସଲ କରିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମନ୍ତ୍ର ଦେଇଛନ୍ତି। ଏଥିସହିତ ସାଂସଦ ବିଶ୍ବେଶ୍ବର ଟୁଡୁ ଏବଂ ଅନ୍ୟ ଜନପ୍ରତିନିଧିଙ୍କ ସହିତ ବସି ଏନେଇ ଆଲୋଚନା କରି ପଦକ୍ଷେପ ନିଆଯିବବୋଲି ଶ୍ରୀମତୀ ଷଡ଼ଙ୍ଗୀ ସୂଚନା ଦେଇଥିଲେ। ଏହି ଅବସରରେ ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶ୍ୱେଶର ଟୁଡ଼ୁ, ବାରିପଦା ବିଧାୟକ ପ୍ରକାଶ ସୋରେନ , ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ଜୀବନ ସାହୁ ଓ କବି ବିଷ୍ଣୁ ଶତପଥୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଶ୍ରୀହରିବଳଦେବ ଜୀଉ ମନ୍ଦିର ବିକାଶ ନିମନ୍ତେ ହୋଇଛି ୪କୋଟିରୁ ଊର୍ଧ୍ବ ମୂଲ୍ୟର ଟେଣ୍ଡର

ମିଥ୍ୟା ତଥ୍ୟ ଦେଇ ଭ୍ରମିତ କରିବାରୁ କ୍ଷାନ୍ତ ରୁହନ୍ତୁ ବିଜେପି ସାଂସଦ: ଯୁବ ବିଜେଡ଼ି ସଭାପତି

ବାରିପଦା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ପ୍ରତିଶ୍ରୁତି ଦିଅନ୍ତି ତାହା ପାଳନ କରନ୍ତି। ୨ୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ହରିବଳଦେବଜୀଉ ମନ୍ଦିରର ବିକାଶ ନିମନ୍ତେ କରିଥିବା ୫କୋଟିର ସହାୟତା ରାଶି ଘୋଷଣାର କାର୍ଯ୍ୟକାରିତା ଆରମ୍ଭ ହୋଇସାରିଛି। ଏନେଇ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଦ୍ବାରା ୪କୋଟିରୁ ଊର୍ଧ୍ବ ମୂଲ୍ୟର ଟେଣ୍ଡର ଆହ୍ବାନ କରାଯାଇସାରିଛି। ଏହି ତଥ୍ୟ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନିକଟରେ ଉପଲବ୍ଧ ନାହିଁ। ତେଣୁ ପ୍ରଥମେ ସାଂସଦ ନିଜେ ସମସ୍ତ ବିଷୟ ଜାଣିବା ପରେ ଗଣମାଧ୍ୟମ ଆଗରେ ତଥ୍ୟ ରଖନ୍ତୁ। ଅଯଥାରେ ଶସ୍ତା ଲୋକପ୍ରିୟତା ହାସଲ ପାଇଁ ମିଛ ନକୁହନ୍ତୁ ବୋଲି ମୟୂରଭଞ୍ଜ ଯୁବ ବିଜେଡି ସଭାପତି ଅରୁଣ ବରାଡ଼ ବିଜେପି ନେତ୍ରୀ ଅପରାଜିତାଙ୍କ ଅଭିଯୋଗର ଜବାବ ଦେବାକୁ ଯାଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଅଯଥାରେ ମିଛ କହି ବାହାବା ନିଅନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି ଶ୍ରୀ ବରାଡ। ସେହିପରି ବାରିପଦା ସହର ବୁଲି ଦେଖିବାକୁ ଅନୁରୋଧ। କାରଣ ବୋଧହୁଏ ଆକାଶରେ ଉଡ଼ୁଥିବାରୁ ବାରିପଦା ପୌରପାଳିକାର କାନ୍ଥ ବାଡ଼ରେ ତାଙ୍କର ଦୃଷ୍ଟି ପଡ଼ିନି। ତେଣୁ ଏଠାରେ ହୋଇଥିବା ସୌନ୍ଦର୍ଯ୍ୟକରଣ ଉପରେ ଦୃଷ୍ଟି ଦେଇପାରିନାହାନ୍ତି। ଜମ୍ଭୀରା ପ୍ରକଳ୍ପ ସମ୍ପର୍କରେ ମଧ୍ୟ ସାଂସଦଙ୍କର ଆଦୌ ଜ୍ଞାନ ନାହିଁ। କାରଣ ଆଗାମୀ ଅଳ୍ପ କିଛି ମାସ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ। ନିଜ ନିର୍ବାଚନମଣ୍ଡଳୀର ବିକାଶ ପ୍ରତି ଧ୍ୟାନ ଦିଅନ୍ତୁ, ଅଯଥାରେ ମୟୂରଭଞ୍ଜକୁ ଆସି ଭ୍ରମିତ ନକରନ୍ତୁ ବୋଲି ଶ୍ରୀ ବରାଡ଼ ବିଜେପି ନେତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe