ଯାଜପୁରଟାଉନ/ସଦର: ଯାଜପୁର ଜିଲ୍ଲା କିନ୍ନର ସଂଘ (ଶାନ୍ତିସେନା) ପକ୍ଷରୁ ଆଜି ରାଜ୍ୟସ୍ତରୀୟ କିନ୍ନର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜନମଙ୍ଗଳ କଳସ ଶୋଭାଯାତ୍ରା କରାଯିବା ସହ ଯାଜପୁର ଗଣେଶ ମଣ୍ଡପଠାରେ ମାତା ପୂଜା କରାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ୬ ଶହରୁ ଊର୍ଦ୍ଧ୍ବ କିନ୍ନରଙ୍କ ଉପସ୍ଥିତିରେ ପୁଣ୍ୟତୋୟା ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରୁ ଘଟ ଉତ୍ତୋଳନ କରାଯାଇଥିଲା। ଏହାପରେ କିନ୍ନରମାନେ କଳସରେ ଜଳ ଭରି ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଯାଜପୁର ଗଣେଶ ମଣ୍ଡପରେ ପହଞ୍ଚିବା ପରେ ଜନମଙ୍ଗଳ ପାଇଁ ମାତାଙ୍କ ପୂଜା କରିଥିଲେ। ପରେ ସଂଘର ଜିଲ୍ଲା ସଭାପତି କାଜଲ ନାୟକ ଓ ଲଭଲି ସାହୁଙ୍କ ନେତୃତ୍ୱରେ ରାଜ୍ୟସ୍ତରୀୟ କିନ୍ନର ସମ୍ମିଳନୀ ଆୟୋଜିତ ହୋଇଥିଲା। ରାଜ୍ୟ କିନ୍ନର ସଂଘ ସଭାପତି ଜୟା ତ୍ରିପାଠୀ ଯୋଗଦେଇ ମାତା ପୂଜା ଓ କଳସ ଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ ସମାଜରେ ଶାନ୍ତି, ମୈତ୍ରୀ ଓ ସଦ୍ଭାବ ବଜାୟ ରଖିବା କିନ୍ନର ସମାଜର ଉଦ୍ଦେଶ୍ୟ ବୋଲି କହିଥିଲେ। ଜନଗଣଙ୍କ ହିତ ସାଧନ ନିମନ୍ତେ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ କରାଯାଉଛି ବୋଲି ସେ ପ୍ରକାଶ କରିଥିଲେ।
ଯାଜପୁରରେ ରାଜ୍ୟସ୍ତରୀୟ କିନ୍ନର ସମ୍ମିଳନୀ
Advertisment
Follow Us