ଓଡ଼ିଶା ସବୁଜ ପତ୍ରିକାଧାରୀ ପରିବାରଙ୍କ ରାଜ୍ୟସ୍ତରୀୟ କର୍ମଶାଳା : ଦାବି ଅପେକ୍ଷା ଶକ୍ତି ପ୍ରଦର୍ଶନ ଉପରେ ଗୁରୁତ୍ୱ ଦିଅ

Advertisment
ଓଡ଼ିଶା ସବୁଜ ପତ୍ରିକାଧାରୀ ପରିବାରଙ୍କ ରାଜ୍ୟସ୍ତରୀୟ କର୍ମଶାଳା : ଦାବି ଅପେକ୍ଷା ଶକ୍ତି ପ୍ରଦର୍ଶନ ଉପରେ ଗୁରୁତ୍ୱ ଦିଅ

ଭୁବନେଶ୍ୱର : ଓଡ଼ିଶା ସବୁଜ ପତ୍ରିକାଧାରୀ ପରିବାରଙ୍କ ରାଜ୍ୟସ୍ତରୀୟ କର୍ମଶାଳା ଆଜି ଇନ୍‌ଷ୍ଟିଚ୍ୟୁସ୍‌ ଅଫ ଇଞ୍ଜିନିୟର୍ସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ତଥା ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ଜଣେ ଜଣେ ସବୁଜ ପତ୍ରିକାଧାରୀ ନିଜ ପଞ୍ଚାୟତରେ କେତେ ଜଣ ସବୁଜ ପତ୍ରିକାଧାରୀ ରହିଛନ୍ତି, ତାହାର ଚିହ୍ନଟ କରିବେ। ଏହାସହ ୧୦/୧୫ ପଞ୍ଚାୟତରେ ପହଞ୍ଚିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ। ଫଳରେ ରାଜ୍ୟବ୍ୟାପୀ ସବୁଜ ପତ୍ରିକାଧାରୀଙ୍କ ଚିହ୍ନଟ ହେବା ସହ ସଂଗଠନ ମଜଭୁତ ହୋଇପାରିବ। ସବୁଜ ପତ୍ରିକାଧାରୀମାନେ ଭିକ ନ ମାଗି ନିଜ ଅଧିକାରକୁ ସାବ୍ୟସ୍ତ କରିବା ଉପରେ ଗୁରୁତ୍ୱ ଦେବା ଦରକାର। ସଂଗଠନ ଯଦି ନିଜର ଶକ୍ତି ପ୍ରଦର୍ଶନ କରିପାରିବ, ତା’ ହେଲେ ସରକାର ଦାବି ଶୁଣିବା ପାଇଁ ବାଧ୍ୟ ହେବେ।

publive-image

ସେ ଆହୁରି ମଧ୍ୟ କହିଥିଲେ ଯେ ସବୁଜ ପତ୍ରିକାଧାରୀମାନେ କେବଳ ନିଜର ଦାବି ଉପରେ ଗୁରୁତ୍ୱ ନ ଦେଇ ସମାଜରେ ରହିଥିବା ଅନ୍ୟାନ୍ୟ ଅବ୍ୟବସ୍ଥା ସଂପର୍କରେ ସ୍ୱର ଉତ୍ତୋଳନ କରିବା ଉଚିତ୍‌। ମଦ ଦୋକାନ ନ ଭାଙ୍ଗି ବରଂ ନିଜ ପରିବାର, ପଡ଼ୋଶୀ ଓ ଗାଁରେ ମଦ୍ୟପାନ ବିରୋଧରେ ବାତାବରଣ ସୃଷ୍ଟି କରିବାକୁ ପଡ଼ିବ। ଫଳରେ ଦୁର୍ଘଟଣାଜନିତ ମୃତ୍ୟୁ ଓ ନାରୀ ନିର୍ଯାତନା କମି ପାରିବ। ଏହାସହ କେବଳ ସଦସ୍ୟ ବାବଦ ଅର୍ଥକୁ ବାଦ୍‌ ଦେଲେ ଅନ୍ୟ କୌଣସି ଅର୍ଥ ଆଦାୟ କରାଯିବା ଉଚିତ୍‌ ନୁହେଁ। ସେପ୍ଟେମ୍ବର ମାସ ସୁଦ୍ଧା ସଦସ୍ୟଙ୍କ ତାଲିକା ସଂଗ୍ରହ ହୋଇପାରିଲେ ଅକ୍ଟୋବର ମାସରେ ସବୁଜ ପତ୍ରିକାଧାରୀଙ୍କୁ ନେଇ ମହାସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସଂଗଠନର ସଦସ୍ୟ ଦେବରାଜ ନାୟକ କହିଲେ, ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସବୁଜ କାର୍ଡରେ ଯେଉଁ ସବୁ ସୁବିଧା କଥା ଉଲ୍ଲେଖ ରହିଛି, ସେ ସବୁ ସୁବିଧା ମିଳୁନାହିଁ। ଗୃହ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି କ୍ଷେତ୍ରରେ ସବୁଜ ପତ୍ରିକାଧାରୀ ସୁବିଧା ପାଇ ପାରୁ ନାହାନ୍ତି। ଜନସଂଖ୍ୟା ନିୟନ୍ତ୍ରଣରେ ଅଣସରକାରୀ କର୍ମଚାରୀଙ୍କ ମଧ୍ୟ ସମାନ ଅବଦାନ ରହିଛି। ଜନସଂଖ୍ୟା ନିୟନ୍ତ୍ରଣ ବ୍ୟବସ୍ଥାକୁ ଗ୍ରହଣ କରିଥିବା ମହିଳା/ପୁରୁଷଙ୍କୁ ଅର୍ଥନୈତିକ ସଂଗ୍ରାମୀ ପରିବାରର ମାନ୍ୟତା ଦିଆଯିବା ଜରୁରୀ ବୋଲି ଶ୍ରୀ ନାୟକ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଶ୍ମିତା ପ୍ରଧାନ, ସରସ୍ୱତୀ କାଠ ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ। ଏହି ସମାବେଶରେ ୨୨ଜିଲ୍ଲାରୁ ସୁବଜ ପ୍ରତିକାଧାରୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe