ରାଜ୍ୟସ୍ତରୀୟ ଆଇଟିଆଇ ଫେଷ୍ଟ ଉଦ୍‌ଘାଟିତ

Advertisment
ରାଜ୍ୟସ୍ତରୀୟ ଆଇଟିଆଇ ଫେଷ୍ଟ ଉଦ୍‌ଘାଟିତ

ଭୁବନେଶ୍ବର: ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌‌‌ରେ ଆଜି ରାଜ୍ୟସ୍ତରୀୟ ଆଇଟିଆଇ ଫେଷ୍ଟ-୨୦୧୯ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଏହାକୁ ଉଦ୍‌ଘାଟନ କରି କହିଲେ, କ୍ରୀଡ଼ା ଓ ସଂସ୍କୃତି କ୍ଷେତ୍ରରେ ପ୍ରଶିକ୍ଷକ ଓ ପ୍ରଶିକ୍ଷାର୍ଥୀଙ୍କ ସାମଗ୍ରିକ ବିକାଶ ନିମନ୍ତେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଓଡ଼ିଆ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଉଚ୍ଚ ଆକାଂକ୍ଷା ସୃଷ୍ଟି କରିବାରେ ଏହି କାର୍ଯ୍ୟକ୍ରମ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଆସନ୍ତା ୫ ବର୍ଷ ମଧ୍ୟରେ ଆଇଟିଆଇ/ପଲିଟେକ୍‌ନିକ୍‌ର ୬ଜଣ ଛାତ୍ରଛାତ୍ରୀ ଅନ୍ତର୍ଜାତୀୟସ୍ତର‌ରେ ଅନୁଷ୍ଠିତ ସର୍ବୋଚ୍ଚ ପ୍ରତିଯୋଗିତାଗୁଡ଼ିକରେ ଭାଗ ନେବେ ବୋଲି ଶ୍ରୀ ବାଗ୍‌ଚୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବ‌େ ଯୋଗଦେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଆୟୁକ୍ତ ତଥା ସଚିବ ସଂଜୟ ସିଂ କହିଲେ, ପ୍ରଶିକ୍ଷକ ଓ ପ୍ରଶିକ୍ଷାର୍ଥୀଙ୍କ ଢ଼ଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତାର ବାତାବରଣ ସୃଷ୍ଟି କରିବା ସହ ଏକ ଉଜ୍ଜଳ ଭବିଷ୍ୟତ ଗଠନ ଦିଗରେ ଉତ୍ସାହ ସୃଷ୍ଟି କରିବା ନିମନ୍ତେ ଏହି ଫେଷ୍ଟର ଆୟୋଜନ କରାଯାଇଛି। ସେହିପରି ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବଲୱନ୍ତ ସିଂହ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଓଡ଼ିଶାର ଯୁବକଯୁବତୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ଏହା ଏକ ପ୍ରକୃଷ୍ଟ ମଞ୍ଚ। ସଭାରେ ନିୟୋଜନ ନିର୍ଦେଶାଳୟର ନିର୍ଦେଶକ ରାଜେଶ ପ୍ରଭାକର ପାଟିଲ୍‌ଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟର ୪୫ଟି ସରକାରୀ ଓ ୩୨ଟି ବେସରକାରୀ ଆଇଟିଆଇର ୧୩୯୨ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମ ଶେଷରେ ଏସ୍‌ଡିଟିଇ ବିଭାଗର ଯୁଗ୍ମ ସଚିବ ଅଜୟ କୁମାର ନାୟକ ଧନ୍ୟବାଦ ଦେଇଥିଲେ। ଆସନ୍ତାକାଲି କିଟ୍‌ ଅଡିଟୋରିୟମଠାରେ ଆୟୋଜିତ ହେବାକୁ ଥିବା ଉଦ୍‌ଯାପନୀ ଉତ୍ସବରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe