ଭୁବନେଶ୍ବର: ଜଳର ସୁପରିଚାଳନା ବିନା କୃଷି, ଅର୍ଥନୈତିକ ଉନ୍ନତି ଓ ରାଜ୍ୟର ପ୍ରଗତି ଅସମ୍ଭବ। ପାଣି ପଞ୍ଚାୟତ ବ୍ୟବସ୍ଥା ଓଡ଼ିଶାର କୃଷି ଓ କୃଷକଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଛି। ଆଗାମୀ ୫ ବର୍ଷ ମଧ୍ୟରେ ବୃହତ୍, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଉଠାଜଳସେଚନ, ମେଗା ଲିଫ୍ଟ ଓ ଆଡ଼ିବନ୍ଧ ନିର୍ମାଣ ମାଧ୍ୟମରେ ୧୫ ଲକ୍ଷ ହେକ୍ଟର ଅତିରିକ୍ତ ଜମିକୁ ଜଳସେଚନରେ ସାମିଲ କରାଯିବ। ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୬ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଣି ପଞ୍ଚାୟତ ମାଧ୍ୟମରେ ସମତାମୂଳକ ଓ ଦକ୍ଷ ଜଳ ବଣ୍ଟନ ସମ୍ଭବ ହୋଇପାରିଛି। ମୟୂରଭଞ୍ଜର ଖଇରିବନ୍ଧନ ବ୍ୟାରେଜ୍, ବଲାଙ୍ଗୀରର ଅପରଲାନ୍ଥ ପ୍ରକଳ୍ପ, ସାଣ୍ଡୁଲ ଭୂତଳ ପାଇପ ଲାଇନ୍, ନୟାଗଡ଼ର ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନେକ ଜଳାଶୟ ଓ କେନାଲ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ୨୦୩୬ ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟରେ ୯୦%ରୁ ଅଧିକ ଚାଷଯୋଗ୍ୟ ଜମିକୁ ଜଳସେଚନ ସୁବିଧା ଯୋଗାଇବା ପାଇଁ ସରକାର ପ୍ରତିବଦ୍ଧ। ଜଳବାୟୁ ସହନଶୀଳ କୃଷି ପାଇଁ ଓଡ଼ିଶା ସମନ୍ବିତ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜଳବାୟୁ ସହନଶୀଳ କୃଷି ଅଭ୍ୟାସ ଓ କୃଷି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ବ୍ୟବହାର ମାଧ୍ୟମରେ ଫସଲର ବିବିଧତା, ସହନଶୀଳ ବିହନ ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଉଛି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଜଳସେଚନ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାକୁ ଆପଣାଇବା ଓ ଆଇଓଟି ସକ୍ଷମ ଡିଜିଟାଲ ଜଳ ମାପ ଓ ମୃତ୍ତିକାର ଆର୍ଦ୍ରତା ଜାଣିବା ପାଇଁ ସେନ୍ସିଂ ସିଷ୍ଟମ ନିମନ୍ତେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ୱାଟର ମ୍ୟାନେଜମେଣ୍ଟକୁ ଅନୁବନ୍ଧିତ କରାଯାଇଛି। ପାଣି ପଞ୍ଚାୟତଗୁଡ଼ିକର ଦକ୍ଷତା ବୃଦ୍ଧି ପାଇଁ ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ସହ ଏମ୍ଓୟୁ କରାଯାଇଛି। ନୂଆପଡ଼ା ଜିଲ୍ଲାର ଚାନ୍ଦପାଲାରେ ୨ହଜାର ୫୬୭ ହେକ୍ଟର ଜମିକୁ ଆଧୁନିକ ଜଳ ଦକ୍ଷତା ଗୋଷ୍ଠୀ ଦ୍ବାରା ପରିଚାଳିତ ଜଳସେଚନ ପରିଚାଳନା ପାଇଁ ପାଇଲଟ୍ ପ୍ରକଳ୍ପ ଭାବେ ଗ୍ରହଣ କରାଯାଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଲେ, ଚାଷୀଙ୍କୁ କିପରି ଉତ୍ତମ ବଜାର ବ୍ୟବସ୍ଥା ମିଳିବ, ସେମାନଙ୍କ ଉତ୍ପାଦିତ ଫସଲକୁ ବିଦେଶକୁ ରପ୍ତାନି କରାଯାଇ ସେମାନଙ୍କୁ ଉତ୍ତମ ମୂଲ୍ୟ ଦିଆଯାଇପାରିବ ସେଥିପାଇଁ ସରକାର ଯୋଜନା କରୁଛନ୍ତି। ଚାଷୀଙ୍କ ଆୟ କିପରି ଦ୍ବିଗୁଣିତ ହୋଇପାରିବ ତାହା ରାଜ୍ୟ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମରେ କୃଷି ସଚିବ ଅରବିନ୍ଦ ପାଢ଼ୀ, ଜଳସମ୍ପଦ ବିଭାଗ ସଚିବ ଶୁଭା ଶର୍ମା, ସର୍ବୋଚ୍ଚ ଯନ୍ତ୍ରୀ ସାଗର ମହାନ୍ତି ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଏବେ ୪୦ ହଜାର ୩୮୦ଟି ପାଣି ପଞ୍ଚାୟତ ସକ୍ରିୟ ଭାବେ କାର୍ଯ୍ୟ କରୁଛି। ସେଗୁଡିକ ମାଧ୍ୟମରେ ୨୪.୧୨ ଲକ୍ଷ ହେକ୍ଟର ଜମିର ଜଳସେଚନ ସଫଳତାର ସହ ପରିଚାଳିତ ହେଉଛି। ଓଡ଼ିଶା ପାଣି ପଞ୍ଚାୟତ ଆଇନ-୨୦୦୨ ଓ ତାହାର ସଂଶୋଧନ ମାଧ୍ୟମରେ ମହିଳା, ମତ୍ସ୍ୟଜୀବୀ ଓ ଜଳ ବ୍ୟବହାରକାରୀଙ୍କୁ ସମାନ ଅଧିକାର ଓ ସୁଯୋଗ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/20/mohan-2025-11-20-00-53-14.jpg)