ଉତ୍କଳ ସର୍ବୋଦୟ ମଣ୍ଡଳ ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ ଉଦ୍‌ଯାପିତ

Advertisment

ରାଜ୍ୟସ୍ତରୀୟ ସମାବେଶରେ କଟକ ଜିଲ୍ଲା ସର୍ବୋଦୟ ମଣ୍ଡଳର ସଭାପତି ଡାକ୍ତର ରବିରଂଜନ ସାହୁ, ଢେଙ୍କାନାଳ ଜିଲ୍ଲା ମଣ୍ଡଳର ସଭାପତି ପ୍ରଦୀପ ସାହୁ, ଭଦ୍ରକ କିଲ୍ଲା ମଣ୍ଡଳର ସଭାପତି ଅମର କୁମାର ପାଣିଗ୍ରାହୀ, ଯାଜପୁର ଜିଲ୍ଲା ମଣ୍ଡଳର ସଭାପତି ଯୋଗ ଦେଇଥିଲେ।

Updated On

ରାଜ୍ୟସ୍ତରୀୟ ସମାବେଶରେ କଟକ ଜିଲ୍ଲା ସର୍ବୋଦୟ ମଣ୍ଡଳର ସଭାପତି ଡାକ୍ତର ରବିରଂଜନ ସାହୁ, ଢେଙ୍କାନାଳ ଜିଲ୍ଲା ମଣ୍ଡଳର ସଭାପତି ପ୍ରଦୀପ ସାହୁ, ଭଦ୍ରକ କିଲ୍ଲା ମଣ୍ଡଳର ସଭାପତି ଅମର କୁମାର ପାଣିଗ୍ରାହୀ, ଯାଜପୁର ଜିଲ୍ଲା ମଣ୍ଡଳର ସଭାପତି ଯୋଗ ଦେଇଥିଲେ।

ଅଦ୍ୟତନ ହୋଇଛି
State level workshop

State level workshop Photograph: (sambad.in)

ଢେଙ୍କାନାଳ: ମହାତ୍ମା ଗାନ୍ଧୀଙ୍କ ଅହିଂସା ଦର୍ଶନ ଆଜିର ହିଂସା, ଆତଙ୍କବାଦ, ସାମ୍ପ୍ରଦାୟିକତା ଓ ଯୁଦ୍ଧଗ୍ରସ୍ତ ବିଶ୍ୱ ପାଇଁ ଅଧିକ ଜରୁରି, ଶାନ୍ତି ଆମର କାମ୍ୟ ଅହିଂସା ଆମର ଧର୍ମ ବୋଲି ଉତ୍କଳ ସର୍ବୋଦୟ ମଣ୍ଡଳ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀରେ ଉପସ୍ଥିତ ବକ୍ତା, ଲୋକସେବକ, ସର୍ବୋଦୟ ମିତ୍ର ତଥା ଗାନ୍ଧୀ ଓ ସର୍ବୋଦୟ ପ୍ରେମୀମାନେ ମତପ୍ରକାଶ କରିଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ବାଲିଗୋରଡ ଗାଆଁରେ ଅୟୋଜିତ ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ ଓ ସାଧାରଣ ପରିଷଦ ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଶତାଧିକ ଲୋକସେବକ ଓ ସର୍ବୋଦୟ ମିତ୍ର ଆଗାମୀ ଦିନରେ ସର୍ବୋଦୟର ଶାନ୍ତି ଅହିଂସା କାର୍ଯ୍ୟକ୍ରମ, ଗ୍ରାମସ୍ୱରାଜ ଅଭିଯାନକୁ ଘରେ ଘରେ ପହଞ୍ଚାଇବାକୁ ଉଦ୍ୟମ କରିବାକୁ ପଣ କରିଛନ୍ତି। 

ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି କୈଳାସ ଚନ୍ଦ୍ର ସାଉଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀକୁ ବାଲିଗୋରଡ ଗ୍ରାମର ମୁଖ୍ୟ ଅଲେଖଚନ୍ଦ୍ର ଖୁଣ୍ଟିଆ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥିଭାବେ ଯୋଗଦେଇ ସର୍ବ ସେବା ସଂଘର ଅଧ୍ୟକ୍ଷ ଆଦିତ୍ୟ ପଟ୍ଟନାୟକ, ଦେଶ ଓ ବିଶ୍ୱର ବର୍ତ୍ତମାନ ପରିସ୍ଥିତି ଓ ସେଥିରେ ସର୍ବୋଦୟ ସଂଗଠନର ଭୂମିକା ତଥା କର୍ତ୍ତବ୍ୟ ସମ୍ପର୍କରେ ବ୍ୟାପକ ଭାବେ ଆଲୋକପାତ କରିଥିଲେ। ସର୍ବୋଦୟ ଶାନ୍ତି, ଅହିଂସା, ପ୍ରେମ, ସେବା, ସଦ୍ଭାବନା ଶିଖାଏ। ଆମେ କ’ଣ ଚାହୁଁଛୁ, ଯୁଦ୍ଧ ନା ଶାନ୍ତି? ତାହା ଅମେ ଆମ ବିବେକକୁ ପଚାରିବା ଉଚିତ ବୋଲି ସେ ମତ ଦେଇଥିଲେ। ଉତ୍କଳ ନବଜୀବନ ମଣ୍ଡଳର ସଭାପତି ତଥା ଅଧିବକ୍ତା ଗୁରୁ ମହାନ୍ତି, ଉତ୍କଳ ସର୍ବୋଦୟ ମଣ୍ଡଳ ଉପସଭାପତି ତଥା ନାରୀନେତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତି, ଓଡ଼ିଶା କୃଷି ବିଶ୍ୱବିଦ୍ୟାଳର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ଅଦ୍ୱୈତ ପାତ୍ର, ସମାଜସେବୀ ଡକ୍ଟର ରୁଦ୍ରପ୍ରତାପ ଦାସ ମତ ଦେଇଛନ୍ତି ଯେ ଯେତେବେଳେ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିବସକୁ ବିଶ୍ୱ ଅହିଂସା ଦିବସ ଭାବେ ପାଳନ କରୁଛି, ସେତେବେଳେ ଆଜି ଯୁଦ୍ଧଗ୍ରସ୍ତ ବିଶ୍ୱ ପାଇଁ ଗାନ୍ଧିଜୀ ଓ ତାଙ୍କ ବିଚାର ଅଧିକ ଜରୁରି ହୋଇପଡିଛି। 

ଏହି ରାଜ୍ୟସ୍ତରୀୟ ସମାବେଶରେ କଟକ ଜିଲ୍ଲା ସର୍ବୋଦୟ ମଣ୍ଡଳର ସଭାପତି ଡାକ୍ତର ରବିରଂଜନ ସାହୁ, ଢେଙ୍କାନାଳ ଜିଲ୍ଲା ମଣ୍ଡଳର ସଭାପତି ପ୍ରଦୀପ ସାହୁ, ଭଦ୍ରକ କିଲ୍ଲା ମଣ୍ଡଳର ସଭାପତି ଅମର କୁମାର ପାଣିଗ୍ରାହୀ, ଯାଜପୁର ଜିଲ୍ଲା ମଣ୍ଡଳର ସଭାପତି କୁଳମଣି ଶୁକ୍ଳ, ମୟୂରଭଂଜ ଜିଲ୍ଲା ମଣ୍ଡଳର ସଭାପତି ପୀତାମ୍ବର ସାହୁ, ଜଗତସିଂହପୁର ଜିଲ୍ଲା ମଣ୍ଡଳର ସଭାପତି ରମାରଂଜନ ସ୍ୱାଇଁ, କେନ୍ଦୁଝର ଜିଲ୍ଲା ମଣ୍ଡଳ ପକ୍ଷରୁ ତଥା ସର୍ବୋଦୟ ପତ୍ରିକାର ଜିଲ୍ଲା ପ୍ରତିନିଧି ଭକ୍ତବତ୍ସଳ ମହାନ୍ତି, ବାଲେଶ୍ୱର ଜିଲ୍ଲା ମଣ୍ଡଳ ପକ୍ଷରୁ ମୁରଲୀଧର ଦାସ ଅଧିକାରୀ, କେନ୍ଦ୍ରାପଡା ଜିଲ୍ଲା ମଣ୍ଡଳ ପକ୍ଷରୁ ସୁଚିତ୍ରା ଦାସ, ବୌଦ୍ଧସୁବର୍ଣ୍ଣପୁର ଜିଲ୍ଲା ମଣ୍ଡଳ ସଭାପତି ପ୍ରମୋଦ ମଲ୍ଲିକ, ନୂଆପଡା ଜିଲ୍ଲା ମଣ୍ଡଳ ସଭାପତି ତ୍ରିଲୋଚନ କଣ୍ଟା ପ୍ରମୁଖ ନିଜ ଅଞ୍ଚଳର କାର୍ଯ୍ୟକ୍ରମ ଓ ଆଗାମୀ ଦିନରେ ସର୍ବୋଦୟ ସଂଗଠନକୁ ଅଧିକ ସକ୍ରିୟ କରିବାକୁ କହିଥିଲେ।

ସର୍ବୋଦୟ ଲୋକସେବକ ସରୋଜ ସତପଥୀ, ସମାଜସେବୀ ସତ୍ୟସ୍ୱରୂପ ସାହୁ, ତୁଷାର ନାୟକ, ଶିକ୍ଷାବିତ୍ ଅନ୍ତର୍ଯ୍ୟାମୀ ରଥ, ସମାଜସେବୀ ଗୋବିନ୍ଦ ଓଝା, ସମାଜସେବୀ କର୍ଣ୍ଣାଟ କେଶରୀ ଜେନା, ସମାଜସେବୀ ମନମୋହନ ମିଶ୍ର, ଲୋକସେବକ ବିଜୟଲକ୍ଷ୍ମୀ ମହାପାତ୍ର ଆଦି ବକ୍ତବ୍ୟ ପ୍ରଦାନକରି ସର୍ବୋଦୟ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ। ରାଜ୍ୟସ୍ତରୀୟ ସମ୍ମିଳନୀରେ ଶ୍ରୀମତୀ ପ୍ରଣତି ଦାସ, ଶ୍ରୀମତୀ ରେଣୁକା ସାହୁ ଆଦି ବହୁସଂଖ୍ୟାରେ ମହିଳା ଯୋଗଦାନ କରିଥିଲେ। ବାଲିଗୋରଡ ଗାଁକୁ ମଦମୁକ୍ତ ପରିବାର ଓ ଗାଁ କରିଥିବା ତଥା ଏହାର ପାଖଆଖ ଗଆଁର ଉର୍ବଶୀ ନାୟକ, ଶାନ୍ତିଲତା ବେହେରା, ଟିକିଲି ପଣ୍ଡା, ବବିତା ବେହେରା ଆଦି ମହିଳାମାନେ ଯୋଗଦାନକରି ସର୍ବୋଦୟ ଆନ୍ଦେଳନକୁ ସମର୍ଥନ କରିଥିଲେ। ଏହି ଅବସରରେ ରମାକାନ୍ତ ନାଥଙ୍କ ରଚିତ ପୁସ୍ତକ “ଗାନ୍ଧୀ ଏକ ଅଧ୍ୟୟନ” ଓ “ଦିଗ୍‌ବଳୟ” ଯଥାକ୍ରମେ ଆଦିତ୍ୟ ପଟ୍ଟନାୟକ ଓ ଗୁରୁ ମହାନ୍ତି ଲୋକାର୍ପଣ କରିଥିଲେ। 

ଦ୍ୱିତୀୟ ଅଧିବେଶନରେ ଉତ୍କଳ ସର୍ବୋଦୟ ମଣ୍ଡଳର ସାଧାରଣ ପରିଷଦ ବୈଠକରେ ସର୍ବ ସେବା ସଂଘ ପକ୍ଷରୁ ନିଯୁକ୍ତ ପର୍ଯ୍ୟବେକ୍ଷକ ରମାକାନ୍ତ ନାଥ ସଭାପତି ମନୋନୟନ କାର୍ଯ୍ୟ କରିଥିଲେ। ସର୍ବସମ୍ମତିରେ କୈଳାସ ଚନ୍ଦ୍ର ସାଉ ପୁଣି ସଭାପତି ଭାବେ ମନୋନୀତ ହୋଇଥିଲେ। ସେ ଆଗାମୀ ତିନି ବର୍ଷ ପାଇଁ ସଭାପତି ଭାବେ କାର୍ଯ୍ୟ କରିବେ। ନୂତନ ସଭାପତି ଶ୍ରୀ ସାଉ ଓ ପରାମର୍ଶଦାତା ଗୁରୁ ମହାନ୍ତିଙ୍କ ସହିତ ଆଲୋଚନା ପରେ ଆଗାମୀ ତିନି ବର୍ଷ ପାଇଁ ଉତ୍କଳ ସର୍ବୋଦୟ ମଣ୍ଡଳର କର୍ମକର୍ତ୍ତା ଘୋଷଣା କରାଯାଇଥିଲା।

ସେହିଭଳି କର୍ମୀ ସମ୍ମିଳନୀରେ ଉତ୍କଳ ସର୍ବୋଦୟ ମଣ୍ଡଳର ସମ୍ପାଦକ ରମାକାନ୍ତ ମଣ୍ଡଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ମଣ୍ଡଳର ଉପସଭାପତି ଗିରିଜା ନାୟକ ପ୍ରାରମ୍ଭିକ ସୂଚନା ଦେଇ ବାଲିଗୋରଡ଼  ସମ୍ମିଳନୀର ପ୍ରାସଙ୍ଗିକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସମ୍ମିଳନୀ ଅବସରରେ ସର୍ବଧର୍ମ ପ୍ରାର୍ଥନା, ବନ୍ଦେ ଉତ୍କଳ ଜନନୀ, କ୍ରାନ୍ତି ଗୀତ ଗାନ କରାଯାଇଥିଲା। ଶ୍ରୀମତୀ ଇନ୍ଦୁମତୀ ସାହୁ ଉତ୍କଳ ସର୍ବୋଦୟ ମଣ୍ଡଳର ମୁଖପତ୍ର “ସର୍ବୋଦୟ” ସମ୍ପର୍କରେ କହିଥିଲେ।  ବାଲିଗୋରଡ ଗ୍ରାମବାସୀଙ୍କ ସହଯୋଗ ପାଇଁ ତଥା ସମସ୍ତଙ୍କୁ ଲୋକସେବକ ସ୍ନେହାଂଶୁ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Dhenkanal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe