The New Indian Express
ଭୁବନେଶ୍ବର : କେନ୍ଦ୍ରର ବିଜେପି ଏବଂ ରାଜ୍ୟର ବିଜେଡି ଶାସନ କାଳରେ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ। ଉଭୟ ସରକାର ଚାଷୀଙ୍କ ବିକାଶ ପାଇଁ ଡିଣ୍ଡିମ ପିଟୁଛନ୍ତି। ରାଜ୍ୟରେ ୨୨ ବର୍ଷର ଶାସନ କାଳରେ ଚାଷୀ ଆତ୍ମହତ୍ୟା ୧୫ ହଜାରକୁ ଟପିଲାଣି। ଜାତୀୟସ୍ତରରେ ଚାଷୀର ଆୟ ୧୦ ହଜାରରୁ ଅଧିକ ଟଙ୍କା ଥିବା ବେଳେ ଓଡ଼ିଶାରେ ଚାଷୀର ମାସିକ ଆୟ ୫୧୧୨ ଟଙ୍କା ରହିଛି। ବିଜେପି ଓ ବିଜେଡି ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ରାଜ୍ୟ କିଷାନ କଂଗ୍ରେସର ରାଜ୍ୟସ୍ତରୀୟ ଚିନ୍ତନ ଶିବିରରେ ଆନ୍ଦୋଳନ ଡାକରା ଦିଆଯାଇଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ପ୍ରତି ଜିଲ୍ଲାରେ ଜିଲ୍ଲା କିଷାନ କଂଗ୍ରେସ ତରଫରୁ ଜିଲ୍ଲାସ୍ତରୀୟ କିଷାନ ଚିନ୍ତନ ଶିବର ଆୟୋଜନ କରାଯାଇ ଚାଷୀ ସମସ୍ୟା ସଂପର୍କରେ ଏକ ଚିଠା ପ୍ରସ୍ତୁତ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି।
ରାଜ୍ୟ କଂଗ୍ରେସ ଭବନରେ କିଷାନ କଂଗ୍ରେସର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଅଖିଳ ଭାରତ କିଷାନ କଂଗ୍ରେସ ଅଧ୍ୟକ୍ଷ ସୁଖପାଲ ସିଂ ଖେରା ଯୋଗଦେଇ କହିଲେ, କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କ ସମୟରେ ଓଡ଼ିଶାର ଚାଷୀ ଚାଷ ଛାଡି଼ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି। ମାତ୍ର ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ଚାଷୀ ଏବେ ଅତି ସଂକଟଜନକ ସ୍ଥିତିରେ ଅଛନ୍ତି। ଚାଷୀ ନାମରେ କୋଟି କୋଟି ଟଙ୍କା ହରିଲୁଟ କରାଯାଉଛି। ଚାଷୀ ତା’ର ହକ୍ ମାଗିଲେ ହକ୍ ପାଉନାହିଁ। କେବଳ ପୁଞ୍ଜିପତିଙ୍କ ପାଇଁ ଏ ସରକାର କାମ କରୁଛନ୍ତି ବୋଲି ଶ୍ରୀ ଖେରା ଅଭିଯୋଗ କରିଥିଲେ।
ପିସିସି ସଭାପତି ଶରତ ପଟ୍ଟନାୟକ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ। ଆସନ୍ତା ୨ମାସ ମଧ୍ୟରେ ଗାଁ ସ୍ତରରୁ କିଷାନ କଂଗ୍ରେସ ସଂଗଠନକୁ ସୁଦୃଢ଼ କରାଯାଇ ପରବର୍ତୀ ସମୟରେ ଏକ ବିଶାଳ ଚାଷୀ ସମାବେଶ କରାଯିବ। ବର୍ତମାନ ବର୍ଷା ଓ ବନ୍ୟା ସମୟରେ ବିପନ୍ନଙ୍କୁ ଉଦ୍ଧାର ଓ ସହାୟତା ଯୋଗାଇ ଦେବାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଏଣିକି ଚାଷୀକୁଳ ଆଉ ବିଜେପି ଓ ବିଜେଡି ସରକାରଙ୍କ କୃଷକ ମାରଣ ନୀତିକୁ ବରଦାସ୍ତ କରିବେ ନାହିଁ। ଗାଁ ଗାଁରେ ଚାଷୀ ମେଳି ଆନ୍ଦୋଳନର ରୂପନେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଚିନ୍ତନ ବୈଠକରେ ଏଆଇସିସି ସଂପାଦକ ଜି.ରୁଦ୍ର ରାଜୁ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିଧାୟକ ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ, ଅଧିରାଜ ମୋହନ ପାଣିଗ୍ରାହୀ, କଂଗ୍ରେସ ନେତା ଶିବାନନ୍ଦ ରାୟ ପ୍ରମୁଖ ଯୋଗଦେଇ ସରକାରଙ୍କ ବିଫଳତା ସଂପର୍କରେ ଆଲୋକପାତ କରିଥିଲେ। ଦେବଗଡ଼ କିଷାନ କଂଗ୍ରେସ ସଭାପତି ସନ୍ତୋଷ କୁମାର ସାହୁ ଧନ୍ୟବାଦ ଦେଇଥିଲେ। ପ୍ରାରମ୍ଭରେ କଂଗ୍ରେସ କାର୍ୟ୍ୟାଳୟରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ କଂଗ୍ରେସ ଭବନ ପରିସରରେ ବୃକ୍ଷରୋପଣ ହୋଇଥିଲା।
Follow Us